Unknown

 

 

 

 

 

 

 

 

 

 

 

ଭୂତ କୋଠିର ତାଣ୍ଡବ

(ତୃତୀୟ ଖଣ୍ଡ)

ଗୁଇନ୍ଦା ସାହେବ୍

 

–ଏକ–

 

......ମାଡ଼୍ରାସ୍‍ ମେଲ ଛୁଟି ଚାଲିଥିଲା ଆଗକୁ, ଆହୁରି ଆଗକୁ । ରାତି ସାଢ଼େ ଗୋଟାଏ ସେତେବେଳକୁ । ଆରୋହୀ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ନିଦ୍ରାଦେବୀଙ୍କ ଅନୁଗ୍ରହ ଲାଭ କରି ସାରିଛନ୍ତି । କେତେକ ତନ୍ଦ୍ରାଚ୍ଛନ୍ନ । କେବଳ ଅଳ୍ପ କେତେ ଜଣ ବସି ବସି ଆପଣା ଆପଣାର ଲକ୍ଷସ୍ଥଳ ଅପେକ୍ଷାରେ ଅଛନ୍ତି । ଛୋଟ ଛୋଟ ଷ୍ଟେସନଗୁଡ଼ିକୁ ଉପେକ୍ଷା କରି ମାଡ଼୍ରାସ୍ ମେଲ ଛୁଟି ଚାଲିଛି ଆଗକୁ ।

 

......ଗୋଟିଏ ପ୍ରଥମ ଶ୍ରେଣୀ କମ୍ପାଟ୍‍ମେଣ୍ଟର ଗଦି ବେଞ୍ଚ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ନିଜକୁ ଲୋଟାଇ ଦେଇଛନ୍ତି–ଜମିଦାର ସୁକାନ୍ତ ଛୋଟରାୟ । ଲକ୍ଷ ସ୍ଥଳରେ କାଲି ସକାଳ ପୂର୍ବରୁ ହୁଏତ ପହଞ୍ଚିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ତଥାପି ସେ ନିଦ୍ରାଦେବୀଙ୍କ ଅନୁଗ୍ରହ ବଳପୂର୍ବକ ଉପେକ୍ଷା କରୁଛନ୍ତି । କୋଳ ଉପରେ ତାଙ୍କର ସୁଦୃଶ୍ୟ ଚମଡ଼ା ସୁଟକେଶ୍‍ଟିଏ-। ହାତଟି ତାରି ଉପରେ ରହିଛି । ବେଳେ ବେଳେ କଡ଼ର କାଚ ଝରକା ଦେଇ ଟିକିଏ ବାହାରକୁ ଚାହିଁ ପୁଣି ଆପଣା ସ୍ଥାନରେ ଶୋଇ ରହୁଛନ୍ତି ଯାହା । ଏପରି ଭାବରେ ରହିବାରେ ବଡ଼ ଅଶ୍ୱସ୍ତି ବୋଧ କରୁଛନ୍ତି ସେ ! ଓଃ ! କେତେ ଧୀରେ ଚାଲୁଛି ଏ ଟ୍ରେନ୍‍ଟା ?

 

ଆଗରେ ଷ୍ଟେସନ । ଦୂରରୁ ଡିଷ୍ଟାଣ୍ଟ ସିଗ୍ନାଲର ନାଲି ନୀଳ ବତୀଗୁଡ଼ିକ ମିଟ୍ ମିଟ୍ କରି ଦିଶି ଯାଉଛି । ଗାଡ଼ି ବୋଧହୁଏ ଏଠି କିଛି ସମୟ ରହିବ । ଝିମେଇ ଗଲା ବେଗଟା । କିଛି ସମୟ ପରେ ଧୀରେ ଧୀରେ ପ୍ଲାଟଫର୍ମରେ ଛିଡ଼ା ହେଲା ଗାଡ଼ିଟା । ନିହାତି ଛୋଟ ଷ୍ଟେସନ । ତେଲବତୀ କେଇଟା ଜଳୁଛି । ଗାଡ଼ିରୁ ଓହ୍ଲାଇବାକୁ କି ଗାଡ଼ିକୁ ଚଢ଼ିବାକୁ କେହି ନାହିଁ ।

 

ଗାଡ଼ି ପ୍ଲାଟଫର୍ମରେ ବ୍ରେକ୍ ଦେଲାକ୍ଷଣି ଗୋଟିଏ ଥାର୍ଡ଼କ୍ଲାସ କମ୍ପାଟ୍‍ମେଣ୍ଟ ଦରଜା ଖୋଲି ଜଣେ ଲୋକ ଓହ୍ଲାଇ ପଡ଼ିଲା । ଖୁବ୍ ଶୀଘ୍ର ସେ ସୁକାନ୍ତ ବାବୁଙ୍କ ଡବା ପାଖକୁ ଆସି ଦରଜା ଠକ୍ ଠକ୍ କଲା । ସୁକାନ୍ତବାବୁ ଦରଜା ଖୋଲି ଆଗନ୍ତୁକକୁ ଚାହିଁ ପଚାରିଲେ–‘କଣରେ ମଧୁ ।’

 

‘‘ନାଇଁ ଆଜ୍ଞା, ଚା ଦରକାର ହେବ କି ?’’ ଆଗନ୍ତୁକ ଉତ୍ତର ଦେଲା । ‘‘ନାଇଁ ତୁ ଯା ! ଚା ଆଗ ଷ୍ଟପେଜ୍‍ରେ ଦେଇଯିବୁ ।’’ –କହିଲେ ସୁକାନ୍ତବାବୁ ।

 

ଗାଡ଼ି ଛାଡ଼ିବାର ହ୍ୱିସିଲ୍ ଦେଲା । ଧୀରେ ଧୀରେ ଗାଡ଼ିଟା ଆଗକୁ ଚାଲିବାକୁ ଲାଗିଲା । ସୁକାନ୍ତବାବୁ ମଧୁକୁ ବିଦାୟ ଦେଇ ଦରଜାଟା ବନ୍ଦ କରିବାକୁ ଯାଉଥିଲେ । ହଠାତ୍ ଜଣେ ସୁଟ୍ ପିନ୍ଧା ଭଦ୍ରଲୋକ ଧାଇଁ ଧାଇଁ ଆସି ଦୁଆର ରେଲିଂଟା ଧରି ଉପରକୁ ଉଠିଗଲେ । ସଙ୍ଗେ ସଙ୍ଗେ ସୁକାନ୍ତ ବାବୁଙ୍କୁ ଏକରକମ ଠେଲି ନେଲେ କହିଲେ ଚଳେ ।

 

‘‘ଓଃ ! କି ପ୍ରକାର ଲୋକ’’–ସୁକାନ୍ତ ବାବୁଙ୍କ ମୁହଁର ଭାଷା ଅଟକି ଗଲା ।

 

‘‘ଚୁପ୍‍କର ମିଷ୍ଟର !’’ ଉଦ୍ୟତ ରିଭଲଭର ମୁହଁଟା ଚାହିଁ ରହିଥିଲା ତାଙ୍କରି ଆଡ଼କୁ ।

 

ଏ ଆକସ୍ମିତ ବିପଦରେ ହତବୁଦ୍ଧି ହୋଇ ପଡ଼ିଥିଲେ ସୁକାନ୍ତବାବୁ ।

 

‘‘ଚମଡ଼ା ସୁଟକେଶଟା ଶୀଘ୍ର ମୋ ହାତକୁ ଦେଇଦିଅ ।’’

 

ସୁକାନ୍ତ ବାବୁଙ୍କର ଅନ୍ୟ ଉପାୟ ନ ଥିଲା । ଥର ଥର ହାତରେ ସେଇଟି ବଢ଼ାଇ ଦେଲେ ତା ହାତକୁ । କଳା ମୁଖୋସ୍ ତଳେ ଦସ୍ୟୁର ମୁହଁକୁ ଚିହ୍ନିବାର ଉପାୟ ନ ଥିଲା ତାଙ୍କର ।

 

‘‘ଆଚ୍ଛା, ଧନ୍ୟବାଦ !’’ ଚଟ୍ କରି ଓହ୍ଲାଇଗଲା ସେ ।

 

ଗାଡ଼ିର ବେଗ ଧୀରେ ଧୀରେ ବଢ଼ୁଥିଲା । ମୁହୂର୍ତ୍ତକ ମଧ୍ୟରେ କି କାଣ୍ଡ ଘଟିଗଲା, କିଛି ଭାବି ପାରିଲେ ନାହିଁ ସୁକାନ୍ତବାବୁ । ଲକ୍ଷେଟଙ୍କାର ନୋଟ୍ । ଲଥ୍ କରି ବସି ପଡ଼ିଲେ ବେଞ୍ଚଟା ଉପରେ । ଚେତନା ବିଲୁକ୍ତ ହୋଇ ଆସୁଥିଲା ତାଙ୍କର ଧୀରେ ଧୀରେ ।

 

ମାଡ଼୍ରାସ୍ ମେଲ୍ ଅବିଶ୍ରାନ୍ତ ଗତିରେ ମାଡ଼ି ଚାଲିଥିଲା ଆଗକୁ ।

 

ବଡ଼ ବିବ୍ରତ ହୋଇ ପଡ଼ିଥିଲେ ସୁକାନ୍ତବାବୁ । ନିଜ ବାସ ଭବନର ବାରନ୍ଦାରେ ଗୋଟିଏ ଇଜି ଚେୟାର ଉପରେ ଆପଣାକୁ ଲୋଟାଇ ଦେଇ ଭାବୁଥିଲେ ସେ, ‘‘ଏଇଟା ବୋଧହୁଏ ଛୋଟରାୟ ବଂଶର ଇତିହାସରେ ଗୋଟାଏ ନୂଆ ପୃଷ୍ଠା । ଲକ୍ଷେ ଟଙ୍କା ! କିଛି କମ୍ ନୁହେଁ ?’’

 

...ଛୋଟରାୟର ବଂଶର ଅବନତି ସୁକାନ୍ତ ବାବୁଙ୍କ ଅମଳରୁ । ସୁକାନ୍ତବାବୁ ସରଳ, ଅମାୟିକ ଲୋକ । ବିଶାଳ ଜମିଦାରୀ । ଅପର୍ଯ୍ୟାପ୍ତ ଆୟ । ଜମିଦାରୀ ତତ୍ତ୍ୱାବଧାନ କରିବାପାଇଁ ବି ଗୁମାସ୍ତା, ମୋହରିର ବହୁତ । ତଥାପି ସେ ଥିଲେ ଟିକେ ଆତ୍ମବିଶ୍ୱାସୀ ଲୋକ । ଏତେ ଲୋକ ଥିଲେ ସୁଦ୍ଧା ସେ ଜମିଦାରୀ ଓ ସେ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ନିଜେ ତତ୍ତ୍ୱାବଧାନ କରୁଥିଲେ-। ଏଥିପାଇଁ କେହି କେହି ତାଙ୍କୁ ପଛରେ ଅବଶ୍ୟ ‘ମଖିଚୋଷ୍’ କହି ନିନ୍ଦା କରନ୍ତି, କିନ୍ତୁ ପ୍ରଜାଏ ତାଙ୍କୁ ଖୁବ୍ ଭଲ ପାଆନ୍ତି ।

 

ସୁକାନ୍ତ ବାବୁଙ୍କର ବର୍ତ୍ତମାନ ଜୀବିତା ସ୍ତ୍ରୀ ରତ୍ନମଞ୍ଜରୀ ଥିଲେ କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ବିପରୀତ । ଆଳସ୍ୟ ପରାୟଣତା, ଗର୍ବ, ପରମୁଖାପେଷା–ଏହି ଗୁଣଗୁଡ଼ିକ ଭରପୂର ଥିଲା ତାଙ୍କଠାରେ । ସୁକାନ୍ତବାବୁ ରତ୍ନମଞ୍ଜରୀଙ୍କ ବ୍ୟବହାରରେ ବେଳେ ବେଳେ ଆହତ ହୁଅନ୍ତି ସତ; କିନ୍ତୁ କହିବାକୁ ଆଉ ବାଟ ନାହିଁ । ତାଙ୍କର ମନେ ପଡ଼େ ପ୍ରଥମ ସ୍ତ୍ରୀ କନକପ୍ରଭାଙ୍କ କଥା । କେତେ ମିଷ୍ଟଭାଷିଣୀ ଥିଲେ ସେ । ମନରେ ତାଙ୍କର ବେଳେ ବେଳେ ଗୋଟି ଗୋଟି ହୋଇ ଅତୀତର କେତେ କଥା ନାଚିଯାଏ; ଆଖିରେ ଲୁହ ଜକେଇ ଆସେ ।

 

କନକପ୍ରଭା ମୃତ୍ୟୁ ସମୟକୁ ସୁକାନ୍ତବାବୁଙ୍କୁ ପାଞ୍ଚ ବର୍ଷର ଶିଶୁଟିଏ ଦେଇ ପିତୃତ୍ୱର ଆସନରେ ବସାଇ ଯାଇଥିଲେ । ସୁକାନ୍ତବାବୁ ମଧ୍ୟ ପ୍ରାଣାଧିକା ସ୍ତ୍ରୀର ଶେଷ ଉପହାର ସୁବ୍ରତକୁ ନେଇ ଜୀବନ କଟାଇବାକୁ ସ୍ଥିର ସିଦ୍ଧାନ୍ତ କରିଥିଲେ । କିନ୍ତୁ ବନ୍ଧୁମାନଙ୍କର ବାରମ୍ୱାର ଅନୁରୋଧରେ ଆଉ ସୁବ୍ରତର ଭବିଷ୍ୟତ ଚିନ୍ତାରେ, ସେ ବାଧ୍ୟ ହୋଇ ଦ୍ୱିତୀୟବାର ବିବାହ କରିଥିଲେ । ମାତ୍ର ତାଙ୍କର ସେ ଆଶା ବିବାହ ପରେ ପରେ କୁଆଡ଼େ ଉଭେଇଗଲା । ସ୍ନେହର ପିତୁଳା ସୁବ୍ରତ ଉପରେ ରତ୍ନମଞ୍ଜରୀଙ୍କ ଅତ୍ୟାଚାର ଦିନକୁଦିନ ବଢ଼ିଲା । ସୁକାନ୍ତବାବୁ ବାଧ୍ୟ ହୋଇ ତାକୁ ତା’ର ମାମୁ ଘରକୁ ପଠାଇ ଦେଲେ । ମାମୁ ଶଙ୍କରପ୍ରସାଦ ବି ଦରିଦ୍ର ନୁହନ୍ତି । ଧନ, ମାନ, ପ୍ରତିପତ୍ତିରେ ସେ ବରଂ ଛୋଟରାୟଙ୍କୁ ବଳି । ସେ ମଧ୍ୟ ଅତି ଆନନ୍ଦରେ ଭଣଜାକୁ କୋଳକୁ ଟେକି ନେଇଥିଲେ । ତାଙ୍କର ନିଃସନ୍ତାନା ସ୍ତ୍ରୀ ଭଣଜାକୁ ପାଇ ଶୂନ୍ୟ କୋଳରେ ସ୍ଥାନ ପୂରଣ କରିଥିଲେ । ଏ ହେଲା ଆଜିକୁ ପ୍ରାୟ ପାଞ୍ଚବର୍ଷ ତଳର କଥା ।

 

ସୁବ୍ରତ ଆଜି ପାଞ୍ଚବର୍ଷ ବୟସ୍କ ଶିଶୁ ନୁହେଁ । ସେ ବାରବର୍ଷର କିଶୋର । ଦେହର କାନ୍ତି ଗୌର, ଗଠନ ସୁନ୍ଦର । ବଳିଷ୍ଠ ଦେହ । ଶରୀରର ଦୃଢ଼ ଗଠନ ପରି ମନ ମଧ୍ୟ ଦୃଢ଼ । ପିଲାଟି ଖୁବ୍‍ ଚତୁର । ପାଠପଢ଼ା, ଖେଳ, ଏ ସବୁରେ ଅପ୍ରତିଦ୍ୱନ୍ଦୀ । ଶଙ୍କରପ୍ରସାଦ ଆଉ ତାଙ୍କର ସ୍ତ୍ରୀ ସୁବ୍ରତକୁ ପ୍ରାଣ ଠାରୁ ବଳି ଅଧିକ ସ୍ନେହ କରନ୍ତି । ସେଇ ଭଣଜା, ପୁଅ, ଝିଅ ସବୁ କିଛି ।

 

ଛୋଟରାୟ କେବେ କେବେ ପୁଅକୁ ଦେଖିବାକୁ ଚାଲିଯାଆନ୍ତି । ପୁଅର ପ୍ରଶଂସାରେ ତାଙ୍କର ଛାତି ଫୁଲି ଉଠେ । ତାକୁ ଚାହିଁ କନକପ୍ରଭାଙ୍କ ସ୍ମୃତି ମନରେ ଜାଗି ଉଠେ । ଆଖି ଛଳ ଛଳ ହୋଇ ଉଠେ । ଦୀର୍ଘ ନିଶ୍ୱାସ ପକାନ୍ତି । ହାୟ ଭଗବାନ ! ପିଲାଟି ତାଙ୍କ ପାଖରେ ଲାଳିତ ହେବାରୁ ବଞ୍ଚିତ, ହେଉ, ମାମୁ ଘରେତ ଅଛି । ଦୀର୍ଘାୟୁ ହେଇ ବଞ୍ଚିରହୁ । କେତେଥର ମନେ କରିଛନ୍ତି, ସୁବ୍ରତକୁ ନେଇ ଆସିବେ, ସେ କଥା କହୁ କହୁ କଥା ତୁଣ୍ଡରେ ଅଟକି ଯାଇଛି । ଶଙ୍କରପ୍ରସାଦ ସେ କଥା ଅବଶ୍ୟ କେତେବାର ଲକ୍ଷ୍ୟ କରିଛନ୍ତି । କିନ୍ତୁ ଜାଣି ଜାଣି ସେ କିଛି କହନ୍ତି ନାହିଁ । ସୁକାନ୍ତବାବୁ ବି ସେଥିରେ ବିଶେଷ ମନ ବଳାନ୍ତି ନାହିଁ । ରତ୍ନମଞ୍ଜରୀ ତାକୁ କେବେ ରଖାଇ ଦେବ ନାହିଁ, ଏ କଥା ସେ ଭଲ କରି ଜାଣନ୍ତି । ପ୍ରତିଥର ସେ ମନର ବେଦନା ମନରେ ଧରି ଫେରିଛନ୍ତି ।

 

ଦ୍ୱିତୀୟ ବିବାହ ପରଠାରୁ ଆଉ ଗୋଟିଏ ବିଶେଷ ପରିବର୍ତ୍ତନ ହୋଇଛି ସୁକାନ୍ତ ବାବୁଙ୍କର । ତାହା ହେଉଛି ଜମିଦାରୀ ପ୍ରତି ଉଦାସୀନତା । ଏଣିକି ସମସ୍ତ ଦାୟିତ୍ୱ ଗୁମାସ୍ତାମାନଙ୍କ ଉପରେ ଦେଇ ସେ ନିଶ୍ଚିନ୍ତ । କେତେବେଳ ଇଚ୍ଛାହେଲେ ଘରେ ବାହାରେ ବୁଲି ଆସନ୍ତି, ନ ହେଲେ ନାହିଁ । ରତ୍ନମଞ୍ଜରୀ ମଧ୍ୟ ଏହି ସୁବିଧା ଦେଖି ନିଜର ଭାଇ ରାଧାଶ୍ୟାମକୁ ଜମିଦାରୀର ତତ୍ୱାବଧାନ କରିବାପାଇଁ ଆଣି ରଖିଛନ୍ତି । ସୁକାନ୍ତ ବାବୁଙ୍କର ଏଥିରେ ସମ୍ମତି ନ ଥିଲେ ସୁଦ୍ଧା ଘରେ ଅଶାନ୍ତି ସୃଷ୍ଟି ହେବା ଆଶଙ୍କାରେ ସେ ବାଧା ଦେଇ ନାହାନ୍ତି ।

 

ରତ୍ନମଞ୍ଜରୀ ସାମାନ୍ୟ ଗୋଟିଏ ପରିବାରର ଝିଅ । ବିବାହ ପୂର୍ବରୁ ଅବଶ୍ୟ ତାଙ୍କର ସ୍ୱଭାବ ଭଲ ଥିଲା । ମାତ୍ର ସୁକାନ୍ତ ବାବୁଙ୍କ ଘରଠାକୁ ଆସିବା ଦିନଠାରୁ ସେ ସମ୍ପୂର୍ଣ୍ଣ ବଦଳି ପଡ଼ିଛନ୍ତି । ଏତେ ଦାସ, ଦାସୀ, ସମ୍ପତ୍ତି, ସମ୍ମାନ ଥାଉ ଥାଉ ସେ ସମସ୍ତଙ୍କ ନିକଟରେ ବିନୀତ ହୋଇ ଚଳନ୍ତେ କାହିଁକି ? ସେ ଏହିସବୁର ସୁବିଧା ଅତିମାତ୍ରାରେ ଗ୍ରହଣ କରିଛନ୍ତି । ଅନୁରୋଧ ବୋଲି ଗୋଟିଏ କିଛି ନିଜିଷ ଅଛି, ତାହା ସେ ଏଣିକି ପୂରା ଭୁଲି ଗଲେଣି । ସବୁବେଳେ ହାକିମି ଆଉ ହୁକୁମ । ଏମିତିକି ସୁକାନ୍ତ ବାବୁଙ୍କ ଉପରେ ବି ।

 

ରତ୍ନମଞ୍ଚରୀଙ୍କ ଭାଇ ରାଧାଶ୍ୟାମ ମଧ୍ୟ ତଦ୍ରୂପ । ବିଶାଳ ଜମିଦାରୀର ତତ୍ୱାବଧାରକ ହେବା ଦିନଠାରୁ ତାଙ୍କର ବ୍ୟଭିଚାର ମାତ୍ରା ଟିକେ ବଢ଼ି ଉଠିଛି । ସେ କେତେବେଳେ ହେଲେ ନିଜର ଆୟତ୍ତରେ ନ ଥାନ୍ତି କହିଲେ ଚଳେ । ଆପଣାର କେତେଜଣ ସଙ୍ଗୀଙ୍କୁ ନେଇ ନିଜ କାମରେ ବ୍ୟସ୍ତ ଥାଆନ୍ତି । ଦୈବାତ୍ କାହା ଉପରେ ସାମାନ୍ୟ ବିରକ୍ତ ହେଲେ ପ୍ରାଣପଣେ ତାର ସର୍ବନାଶର ଉପାୟ ଖୋଜି ବସନ୍ତି । ରତ୍ନମଞ୍ଜରୀ ମଧ୍ୟ ଭାଇକୁ ପରୋକ୍ଷରେ ସାହାଯ୍ୟ କରନ୍ତି ।

 

ସୁକାନ୍ତ ବାବୁ ସବୁ ବୁଝନ୍ତି, କିନ୍ତୁ ନିରୁପାୟ; ଆପଣା କୃତ କର୍ମ୍ମର ପରିଣାମ ତ ଭୋଗ କରିବାକୁ ହେବ !

 

ଭୂତକୋଠି !

 

ସମୁଦ୍ର କୂଳରେ ଏହି ବିରାଟ ପ୍ରାସାଦଟି । କେବେ, କିଏ, କାହିଁକି ଏହା ତିଆରି କରିଥିଲେ, କେଉଁ କାରଣରୁ ତାହା ପରିତ୍ୟକ୍ତ, ତା’ର କିଛି କାରଣ କେହି ଖୋଜି ପାଇ ନାହାନ୍ତି । ଆଖପାଖର ଲୋକେ ଜାଣନ୍ତି, ଏଇଠି ଗୋଟାଏ କୋଠା ଥିଲା, କିନ୍ତୁ ଅନେକେ ବି ସେ କଥା ଭୁଲି ଗଲେଣି । କେହି ଦିନେ ଭୁଲରେ ସୁଦ୍ଧା ସେ ପ୍ରାସାଦର ସୀମା ମାଡ଼ନ୍ତି ନାହିଁ । କୋଠାଟିର ଚାରିପଟେ ଏପରି ଘନ ଜଙ୍ଗଲ ଯେ, ଦିନେ ହେଲେ କେହି ଦିନରେ ସୁଦ୍ଧା ସେଠାକୁ ଯିବାକୁ ସାହସ କରନ୍ତି ନାହିଁ । ଲୋକ ମୁଖରୁ ଭୂତକୋଠି ସମ୍ୱନ୍ଧରେ ନାନା ପ୍ରକାର ଗୁଜବ ଶୁଣାଯାଏ ।

 

ଭୂତକୋଠି, ପଥରରେ ତିଆରି ବିରାଟ ପ୍ରାସାଦ । କେତେ ଶହ ବର୍ଷ ହେବ କେଜାଣି; ଝଡ଼, ଝଞ୍ଜା ବିରୁଦ୍ଧପର ମୁଣ୍ଡ ଟେକି ଛିଡ଼ା ହୋଇଛି, ଦେହରେ ଠାଏ ବି ଚୂନ ଝଡ଼ି ନାହିଁ–ଖାଲି ଅରମା, ଜଙ୍ଗଲ ବେଢ଼ି ଯାଇଛି ଯାହା ।

 

ଲୋକେ କହନ୍ତି ଭୂତକୋଠିଟା ଭୂତ ପ୍ରେତଙ୍କ ଆଡ଼୍‍ଡା । ରାତି ହେଲେ ସେଠି ଭୂତ ନାଚେ । ପ୍ରେତିନୀ ଗୀତ ଗାଏ । ବେଳେବେଳେ ତୋଫା ଆଲୁଅ ଦିଶେ । ଏମିତି ହେବାର କେତେ ଶହ ବର୍ଷ ହେଲାଣି । କେହି ଦିନେ ହେଲେ ତା’ର ଅନୁସନ୍ଧାନ କରି ନାହିଁ କି ସେ ବିଷୟ ଅଧିକ ଭାବିବାକୁ ଚେଷ୍ଟା କରିନାହିଁ । ସତେ ଯେମିତି ସେଟା ସେ ସ୍ତାନର ଅପରିଚିତ, ଅଗମ୍ୟ । ଖୁବ୍ କ୍ୱଚିତ୍ ଲୋକ ସେ ପଟେ ଯା’ ଆସ କରନ୍ତି । ତା’ବି ନିତାନ୍ତ ଜରୁରୀ ଦରକାର ହେଲେ, ନ ହେଲେ ନାହିଁ ।

 

–ଦୁଇ–

 

ରାତି ଗୋଟାଏ ହେବ;

 

ଜମିଦାର ସୁକାନ୍ତ ଛୋଟରାୟଙ୍କ ଉଆସ ନିସ୍ତବ୍ଦ । କେବଳ ବାହାରେ ନିଶାର ସାଇଁ ସାଇଁ ଶବ୍ଦ । ଉଆସର ଗୋଟାଏ ଆଡ଼ମ୍ୱରଶୂନ୍ୟ କୋଠରୀ ଭିତରେ ପଲଙ୍କ ଉପରେ ପଡ଼ିଛନ୍ତି ସୁକାନ୍ତବାବୁ । ସେ ନିଦ୍ରିତ ନୁହନ୍ତି, ଜାଗ୍ରତ । ଆଜିକାଲି ଚିନ୍ତାଧିକ୍ୟରେ ତାଙ୍କୁ ନିଦ ସେମିତି ହୁଏ ନାହିଁ କହିଲେ ଚଳେ । ତା’ପରେ ଅନେକ ଦିନରୁ ସେ ରତ୍ନମଞ୍ଜରୀଙ୍କ ସାହଚର୍ଯ୍ୟ ତ୍ୟାଗ କରିଛନ୍ତି । ତେଣୁ ସେ ଗୋଟିଏ ସ୍ୱତନ୍ତ୍ର କୋଠରୀରେ ଶୁଅନ୍ତି । ଆଜି ନାନାପ୍ରକାର ଚିନ୍ତାରେ ଘାରି ହୋଇ ସେ ଏ ପର୍ଯ୍ୟନ୍ତ ନିଦ୍ରାଦେବୀଙ୍କ ଆଶ୍ରୟଲାଭ କରିନାହାନ୍ତି ।

 

‘କେଏଁ, କଟ୍ କଟ୍...... ।’ ଶବ୍ଦଟା ଖୁବ୍ ହାଲୁକା ଭାବରେ ମିଳାଇ ଗଲା ଯେପରି । ଶବ୍ଦଟା ଅବଶ୍ୟ ଖୁବ୍ ସାମାନ୍ୟ । କିନ୍ତୁ ସେଟା ଖୁବ୍ ଆଲୋଚନା ସୃଷ୍ଟି କଲା ସୁକାନ୍ତ ବାବୁଙ୍କ ମନରେ । ଏତ କବାଟ ଖୋଲିବାର ଶବ୍ଦ ? କିଏସେ ଏବେ କବାଟ ଖୋଲିଲା ! ରତ୍ନମଞ୍ଜରୀ ତ କେବେ ନୁହନ୍ତି; କାହିଁକି ନା, ସେ ଏବେ ଏକୁଟିଆ ବାହାରକୁ ଆସନ୍ତି ନାହିଁ । ଯଦି ଆସିଥାନ୍ତେ ତେବେ ଚାକର ଚାକରାଣୀ କାହାକୁ ହେଲେ ଉଠାଇ ଥାନ୍ତେ । ତେବେ ଏତେ ରାତିରେ ଏ ଶବ୍ଦର କାରଣ କ’ଣ ?

 

ମନରେ ନାନା ପ୍ରକାର ସନ୍ଦେହ ଉଙ୍କିମାରିଲା । ସେ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ । ଧୀରେ ଧୀରେ ଉଠି ବିଛଣାରେ ବସିଲେ । ଆଉ କିଛି ଶବ୍ଦ କେଉଁଠୁ ଆସୁଛି କି ନାହିଁ, କାନ ଡେରିଲେ । ‘କାହିଁ; କିଛି ସୋର ଶବ୍ଦ ନାହିଁ ।’ ଖୁବ୍ ଧୀରେ ଧୀରେ କବାଟ ଖୋଲି ବାହାର ବାରଣ୍ଡାରେ ଠିଆ ହେଲେ ସେ । ବାରଣ୍ଡାରେ ଜମାଟ ଅନ୍ଧାର । ସେଇପଟରେ ମଝି କୋଠରୀଟା ଛାଡ଼ିଦେଲେ ରତ୍ନମଞ୍ଜରୀଙ୍କ ଶୋଇବା ଘର । ପାଦ ଚିପି ଚିପି ସେଇ ଆଡ଼କୁ ଆଗେଇଗଲେ ସୁକାନ୍ତବାବୁ ।

 

ଏ କ’ଣ ? ରତ୍ନମଞ୍ଜରୀଙ୍କ ଶୋଇବା ଘର ଦୁଆର ମେଲା ! ତେବେ କ’ଣ ସେ........

 

ତାଙ୍କ ଭାବନାରେ ବାଧା ଦେଇ ଭିତରୁ ଫୁସ୍ ଫାସ୍ କଥାବାର୍ତ୍ତାର ଶବ୍ଦ ଶୁଣାଗଲା–ଶୁଣିବାକୁ କାନ ପାତିଲେ ସୁକାନ୍ତବାବୁ ।

 

......ମୁଁ ବେଳରୁ ଜାଣେ ପରା ! ତୋଦ୍ୱାରା ସେ କାମ ହେବ ନାହିଁ । ତୁ ଖାଲି ଡରିଲୁ । ନୋହିଲେ ମୁଁ କେଉଁ ଦିନରୁ କାମ ହାସଲ କରି ସାରନ୍ତିଣି ?

 

......ତୁ କ’ଣ କମ୍ ବୁଦ୍ଧିଆ କି ? ତୁ ଯାହା କହୁଛୁ, କରିଥିଲେ କେତେ ହଲ୍ଲା ହୁଅନ୍ତା ? ପଛକୁ ଧରାପଡ଼ି.........

 

.......ରଖ୍ ରଖ୍ ! ସହଜ ପଡ଼ିଛି ଧରାହେବା ! ତୁ ଖାଲି ହେମତ୍ ଦେ, ଦେଖିବୁ କଅଣ କରିଦେବି । ଦେଖିଲୁ ତ ? କେତେ ବଡ଼ କାଣ୍ଡଟାଏ, ଫୁଟ୍‍କିରେ ବନ୍ଦ କରିଦେଲି ।

 

......ସେ କଥା ସବୁ ଯାଉ । ବର୍ତ୍ତମାନ କଅଣ କରିବା କୁହ । ମୁଁ ତ ଯେତେ ଚେଷ୍ଟା କଲିଣି, କିଛି ହେଉନାହିଁ । ସେ ତ ଧରାଛୁଆଁ ଦେଉନାହାନ୍ତି । ଆଉ କ’ଣ କରିବି ?

 

......ଯେମିତି ହେଉ, କଦର କରି ତୁ ସେ ନକ୍ସାଖଣ୍ଡକ ହାତକୁ ଆଣ । ତା’ପରେ ମୁଁ, ସବୁ ଠିକ୍ କରି ଦେବି । ନ ହେଲେ କାଲି ତତେ ସୁବ୍ରତ ଧକ୍କା ମାରି କାଢ଼ି ଦେବ; କ’ଣ କରିବୁ ତାର-?

 

......ବଜ୍ର ପଡ଼ିଲା ଯେମିତି ସୁକାନ୍ତ ବାବୁଙ୍କ ମୁଣ୍ଡରେ; ନକ୍ସା ? କି ନକ୍ସା ! ଛୋଟରାୟ ବଂଶର ଗୁପ୍ତ ଗନ୍ତାଘରର ନୁହେଁତ ! ରତ୍ନାମଞ୍ଜରୀ କ’ଣ ତାଙ୍କ ସଙ୍ଗେ ଏତେ ଦିନ ଛଳନା କରି ଆସିଥିଲା; ତାଙ୍କ ସାଙ୍ଗରେ ଆର ଲୋକଟି ବା କିଏ ? ସେ ନକ୍ସା କଥା ଜାଣିଲା କିପରି ? ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନ ଥିଲା ତାଙ୍କର । ଟଳମଳ ହୋଇ ଫେରି ଆସିଲେ ସେ ଆପଣା କୋଠରୀ ନିକଟକୁ । ସେଇଠି ଅନ୍ଧାରରେ ଠିଆ ହୋଇ ରହିଲେ । ଆର ଲୋକଟି କିଏ ?

 

ଅଳ୍ପ ସମୟ ପରେ ଧୀରେ ଧୀରେ ମୂର୍ତ୍ତିଟିଏ ବାହାରି ଆସିଲା ବାହାରକୁ । ସୁକାନ୍ତବାବୁ ନିଶ୍ଚିନ୍ତ ଭାବରେ ଜାଣିଲେ, ସେ ରାଧାଶ୍ୟାମ । ‘‘ଭାଇ ଭଉଣୀ ଦୁହେଁ ତେବେ ରୀତିମତ ଖେଳ ଖେଳିବାକୁ ଆରମ୍ଭ କଲେଣି । ଆଚ୍ଛା, ଦେଖାଯାଉ !’’

 

ସେ କାଳରାତିଟା ଶେଷ ହେବାକୁ ବେଶୀ ଡେରି ନଥିଲା ଆଉ । ସକାଳ ହେବା କ୍ଷଣି ସୁକାନ୍ତବାବୁ ଆପଣାର ନିତ୍ୟକର୍ମ ଶେଷକରି ବୈଠକଖାନାକୁ ବାହରି ଆସିଲେ । ସେ ଆଜିକାଲି ପ୍ରାୟ ବୈଠକଖାନାକୁ ସେମିତି ଆସନ୍ତି ନାହିଁ । ରାଧାଶ୍ୟାମବାବୁ ସେଟା ପୂରା ଦଖଲ କରିଛନ୍ତି ।

 

ସୁକାନ୍ତବାବୁ ଗଲାରାତିରେ କଥାଗୁଡ଼ାକ ମନକୁ ଆଣି ଭାବୁଛନ୍ତି, ଏତେବେଳେ ରତ୍ନମଞ୍ଜରୀ ସେଇଠି ଆସି ପହଞ୍ଚିଲେ । ସୁକାନ୍ତବାବୁ ରତ୍ନମଞ୍ଜରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ-। ତାଙ୍କର ବେଶଭୂଷା ଆଜି ଅପୂର୍ବ । ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଲା ତାଙ୍କର ଅତି ସୁଆଗିଆ ମିଠାକଥା ଶୁଣି । ଏ ସବୁ ବୁଝିବାକୁ ଅବଶ୍ୟ କିଛି ବାକୀ ନଥିଲା ତାଙ୍କ ପାଖରେ ।

 

ରତ୍ନମଞ୍ଜରୀ କେତେବେଳଯାଏ ଏଣୁ ତେଣୁ ଗୁଡ଼ାଏ ଗପି ଗପି ଅସଲ କଥାର ଅବତାରଣା କଲେ–‘‘ହଇହେ ! ମୋତେ ତ ସେଦିନ ଗୁପ୍ତ ଗନ୍ତାଘର ଖା କହୁଥିଲ ? କାହିଁ ଦେଖାଇଲତ ନାହିଁ ।’’

 

ହସ ମାଡ଼ୁଥିଲା ସୁକାନ୍ତ ବାବୁଙ୍କୁ ଏ କଥା ଶୁଣି । ସେହି ମୁହୂର୍ତ୍ତରେ ସେ ରତ୍ନମଞ୍ଜରୀଙ୍କୁ ଖୁଣ୍ କରିବାକୁ ଇଚ୍ଛା କରୁଥିଲେ । ପର ମୁହୂର୍ତ୍ତରେ ମନର ଭାବ ମନରେ ଗୋପନ ରଖି କହିଲେ–‘‘ଅରେ, ସତେତ ! ମୁଁ ଭୁଲି ଯାଇଥିଲି । ଆଚ୍ଛା ଆଚ୍ଛା, ଦିନେ ଦେଖାଇବି ।’’

 

‘‘ନା, ଆଜି ତୁମେ ପୁଣି ଭୁଲିଯିବ ତ ଗଲା; ଯେମିତି ମନୁଆ ଲୋକ ! ଜାଣୁ ଜାଣୁ ଲକ୍ଷେ ଟଙ୍କାର ଡକାୟତକୁ ଦେଇ ବସିଲ ! ଆଉ ଏବେ କୋଉ କଥାକୁ ଭରସା ଅଛି ?’’

 

‘‘ସେ କଥା ଠିକ୍ କହୁଛ ରତ୍ନ ! ଅବଶ୍ୟ ଭୁଲିଯିବା ବିଚିତ୍ର ନୁହେଁ । ତେବେ ସେଟା ତୁମକୁ ନିଶ୍ଚୟ ଦେଖାଇବି । ଆଉ ଲକ୍ଷେ ଟଙ୍କା ଯାହା ଗଲା, ସେଇଟା ମୋ ଭାଗ୍ୟ ଦୋଷରୁ । ଆହୁରି କହ ମୁଁ ପୋଲିସ୍‍ରେ ଦେଇ ନାହିଁ । ନୋହିଲେ ଟଙ୍କା ତ ଯାହା ଫେରି ପାଇଥାଆନ୍ତି ତାହା ନାରାୟଣ ଜାଣନ୍ତି । ଏହିକ୍ଷଣି ଥାନାକୁ ଦୌଡ଼ି ଦୌଡ଼ି ପ୍ରାଣ ଯାଉଥାନ୍ତା ପରା ! ରାଧାଶ୍ୟାମ ମୋତେ ଏ ବୁଦ୍ଧି ଦେଲା ବୋଲି ବଞ୍ଚିଗଲା ଜାଣ । ବାସ୍ତବିକ ତା’ ପରି ବନ୍ଧୁ ନ ଥିଲେ ମୋର ଏ ଜମିଦାରୀ କଅଣ ଯେ ହୁଅନ୍ତା ?

 

‘‘......ଭାଇଙ୍କୁ କଅଣ ତର ଅଛି ? ଜମିଦାରୀ, ଜମିଦାରୀ ବୋଲି ପରା ଦାନାପାଣି ଛାଡ଼ିଲେଣି । ତାଙ୍କର ସେ ଆଗ ରୂପ ଆଉ କଅଣ ଅଛି ? ଏକବାର କଳାକାଠ ପଡ଼ିଗଲେଣି ।’’ ରତ୍ନମଞ୍ଜରୀ ବଡ଼ ଖୁସିରେ କହି ଯାଉଥିଲେ ।

 

ସୁକାନ୍ତବାବୁ କିନ୍ତୁ ଭାବୁଥିଲେ ଭିନ୍ନ କଥା । କେଡ଼େ ସାଙ୍ଘାତିକ ଏ ସ୍ତ୍ରୀ ଲୋକଟା ! ସତେ କଅଣ ସେ ୟା ହାତରୁ ସୁବ୍ରତକୁ ରକ୍ଷା କରି ପାରିବେ ?’’

 

ରତ୍ନମଞ୍ଜରୀ ଛାଡ଼ିବାର ପାତ୍ରୀ ନୁହନ୍ତି । ସୁକାନ୍ତ ବାବୁଙ୍କୁ ଅନ୍ୟମନସ୍କ ଦେଖି ସେ ପୁଣି ପୂର୍ବକଥା ପକାଇଲେ–‘‘କାହିଁ ? ନକ୍ସା ଦେଖାଇବ ପରା !

 

ମନର ଭାବ ମନରେ ରଖି ସୁକାନ୍ତବାବୁ କହିଲେ–‘‘ହଁ, ହଁ, ସେଟା ମୁଁ ତୁମକୁ ନିଶ୍ଚୟ ଦେଖାଇବି । କିନ୍ତୁ ଆଜି ନୁହେଁ । ପଅରିଦିନ ରାତି ବାରଟାବେଳେ । ତୁମେ ଖୁବ୍ ସାବଧାନରେ ସେତିକିବେଳେ ମୋତେ ଦେଖାକରି ପାରିଲେ ନକ୍ସା ଦେଖି ପାରିବ । କିନ୍ତୁ ହୁସିଆର ! ଦ୍ୱିତୀୟ ଲୋକ ଯେପରି ତାର ସନ୍ଧାନ ନ ପାଏ ।’’

 

ରତ୍ନମଞ୍ଜରୀଙ୍କ ଦୃଦୟ ଆନନ୍ଦରେ ନାଚି ଉଠିଲାଣି ସେତେବେଳକୁ । ସେ ଅଧିକ ବାକ୍ୟବ୍ୟୟ ନ କରି ସେଠାରୁ ଚାଲିଗଲେ ।

 

–ତିନି–

 

ଶଙ୍କରପ୍ରସାଦଙ୍କ ପ୍ରାସାଦର ଗୁପ୍ତ କକ୍ଷରେ ବସି କଥାବାର୍ତ୍ତା ହେଉଥିଲେ ଶଙ୍କରପ୍ରସାଦ ଆଉ ସୁକାନ୍ତବାବୁ । ସୁକାନ୍ତବାବୁ ଆଜି ବଡ଼ ଭାବାବିଷ୍ଟ । ସେ ଯେପରି ଅତିମାତ୍ରାରେ ଭାବପ୍ରବଣ ହୋଇ ପଡ଼ିଛନ୍ତି ଆଜି । କିନ୍ତୁ ଶଙ୍କରପ୍ରସାଦ ! ଚିରଦିନ ଧୈର୍ଯ୍ୟବାନ୍ । କିଛି ଗୋଟାଏ ଗଭୀର ଚିନ୍ତା ମୁଣ୍ଡରେ ଖେଳାଇଛନ୍ତି ବୋଧହୁଏ । କପାଳରେ ଝାଳ ବିନ୍ଦୁ ଆଉ କୁଞ୍ଚିତ ରେଖା ତା’ର ସୂଚନା ଦେଉଛି ।

 

.....‘‘ତୁମେ ଯାହା କହ ପଛେ, ମୁଁ ଏମିତି କିଛି ଗୋଟାଏ ଆଶଙ୍କା କରିଥିଲି । କାଳେ ତୁମେ କିଛି ଭାବିବ, ସେଥିପାଇଁ ଅବଶ୍ୟ ମୁଁ ତୁମକୁ କହିନାହିଁ’’–କହିଲେ ଶଙ୍କରପ୍ରସାଦ ।

 

ସୁକାନ୍ତବାବୁ ଶୁଖିଲା ହସ ହସି କହିଲେ–‘‘ଏ ପାପୀଷ୍ଠା ଯେ ଏତେଦୂର ଷଡ଼ଯନ୍ତ୍ର କରିପାରେ, ଏଟା ମୋର କଳ୍ପନାର ବାହାରେ ଥିଲା । ରାଧାଶ୍ୟାମକୁ ସନ୍ଦେହ ବରଂ ମୁଁ କରିଥିଲି, କିନ୍ତୁ ଅନ୍ୟ ଦିଗରେ ସେ ଯେ ମୋର ମୂଳ ଉପାଡ଼ିବାକୁ ବସିଛନ୍ତି ସେଟା ମୁଁ ଭାବି ନ ଥିଲି ।’’

 

‘‘ବର୍ତ୍ତମାନ ତେବେ କଅଣ କରିବାକୁ ହେବ କୁହ ।’’ ଗମ୍ଭୀର ହୋଇ କହିଲେ ଶଙ୍କରପ୍ରସାଦ ।

 

‘‘କରିବାକୁ ହେବତ ବହୁତ କାମ । ମୋର କଳ୍ପନା ଯାହା ଅପୂର୍ଣ୍ଣ ରହିଯିବ ତାହା ତୁମକୁହିଁ କରିବାକୁ ହେବ । ସେ ଗୁରୁଭାର ବହନ କରିବାକୁ ଏକା ତୁମେ ହିଁ ସମର୍ଥ, ସେ ଭରସା ମୋର ଅଛି । ଦେଖ; ଏ ହେଲା ଛୋଟରାୟ ବଂଶର ଗୁପ୍ତ ଗନ୍ତାଘରର ନକ୍ସା ।’’ କହୁ କହୁ ପଟେକରୁ ଗୋଟିଏ ଛୋଟ ପିତଳ କଣ୍ଡେଇ ବାହାର କରି ଟେବୁଲ ଉପରେ ରଖିଲେ ସୁକାନ୍ତବାବୁ-

 

‘‘......ଏଇଟାକୁ ଗୋଟାଏ ସାମାନ୍ୟ ଖେଳନା ମନେ କରିବ ନାହିଁ । ଅସରନ୍ତି ଭଣ୍ଡାରର ସନ୍ଧାନ ରହିଛି ୟାରି ପେଟ ଭିତରେ । ଏ କଣ୍ଢେଇର ଦୁଇ ବାହୁକୁ ଧରି ଚାପି ଦେଲେ ତାହା ଖୋଲିଯିବ । ତାରି ଭିତରେ ଅଛି ଗୁପ୍ତ ଗନ୍ତାଘରର ନକ୍ସା । ଠାକୁରାଣୀ ପାହାଡ଼ର ପୂର୍ବ ଦିଗରୁ ନକ୍ସାର ରାସ୍ତା ଧରିବାକୁ ହେବ, ତାହେଲେ ଠିକଣା ସ୍ଥାନର ସନ୍ଧାନ ମିଳିବ । ଏ ଅସରନ୍ତି ଭଣ୍ଡାର ମୋ ସୁବ୍ରତପାଇଁ । ମୁଁ ତାକୁ ତୁମ ହାତରେ ଦେଲି । ତୁମେ ତାର ସଦ୍‍ବ୍ୟବହାର କରିବ ।’’ କହୁ କହୁ ଆଖି ଛଳ ଛଳ ହୋଇ ଉଠିଲା ସୁକାନ୍ତ ବାବୁଙ୍କର ।

 

ଶଙ୍କରପ୍ରସାଦ ନୀରବ । ମୁହଁରେ ତାଙ୍କର ଭାଷା ନ ଥିଲା ।

 

‘‘ମୋର ବେଳ ସରି ଆସୁଛି ବୋଧହୁଏ । ତା ପୂର୍ବରୁ ମୁଁ କହି ରଖୁଛି । ସେଥିପାଇଁ ଦାୟୀ କେବଳ ରତ୍ନମଞ୍ଜରୀ ଆଉ ରାଧାଶ୍ୟାମ । ମୋର ଲକ୍ଷେ ଟଙ୍କା ଡକାୟତି ମୂଳରେ ରାଧାଶ୍ୟାମର ହାତ ଅଛି । ପୋଲିସରେ ଖବର ନ ଦେବାକୁ ସେ ମୋତେ ବାଧ୍ୟ କରିଥିଲା । ମୁଁ ଭଲ ଭାବରେ ଜାଣେ, ପ୍ରତିହିଂସା ନେବାକୁ ମୋର କେହି ଶତ୍ରୁ ନାହାନ୍ତି ।’’

 

‘‘କଅଣ ଗୁଡ଼ାଏ ଏଣୁ ତେଣୁ ବକୁଛ ତୁମେ । ତୁମ ପରି ଲୋକ ଯଦି ସାମାନ୍ୟ ବିପଦରେ... ।’’ ଆଉ କହିବାକୁ ଯାଉଥିଲେ ଶଙ୍କରପ୍ରସାଦ ।

 

‘‘ଆଉ ସାନ୍ତ୍ୱନାର ପ୍ରୟୋଜନ ନାହିଁ ଶଙ୍କରଭାଇ ! ମୋର ଭବିଷ୍ୟତ୍ ମୋତେ ପରିଷ୍କାର ଦିଶି ଯାଉଛି । କାଲି ରତ୍ନମଞ୍ଜରୀକୁ ନକ୍ସା ଦେଖାଇବାକୁ ହେବ । ମୋ ଦ୍ୱାରା ସେ ପ୍ରତାରିତ ହେବ ନିଶ୍ଚୟ । କିନ୍ତୁ ସେ କଥା ସେ ଯେତେବେଳେ ଜାଣିପାରିବ, ମୋର ଅବସ୍ଥା କଅଣ ହେବ ଜାଣ ? ଯାହା ମୁଁ ଆଜି ଆଶଙ୍କା କରୁଛି, ତା ପୂର୍ବରୁ ମୁଁ ତୁମକୁ ସବୁ କହି ଯାଉଛି । ଏମାନଙ୍କୁ ଚିହ୍ନ ରଖିବ । ମୋ ସୁବ୍ରତକୁ ମଣିଷ କରିବ । ଆଉ କିଛି ଆଶା ଜୀବନରେ ନାହିଁ । ମୁଁ ଯାଏଁ, ଆଜିର ଏ ଦେଖା ବୋଧହୁଏ ଜୀବନର ଶେଷଦେଖା ।’’ କହୁ କହୁ ଶଙ୍କରପ୍ରସାଦର ହାତ ଦୁଇଟି ଚାପି ଧରିଲେ ସୁକାନ୍ତବାବୁ ! ଝର ଝର ହୋଇ ତାଙ୍କ ଆଖିରୁ ଲୁହ ଦୁଇଧାର ଗଡ଼ି ପଡ଼ିଲା ।

 

......ଶଙ୍କରପ୍ରସାଦଙ୍କର ବି ।

 

ରାତି ବାରଟା;

 

ରତ୍ନମଞ୍ଜରୀଙ୍କ ଆଖିକୁ ନିଦ ନାହିଁ । ଠନ୍‍ ଠନ୍‍ କରି ଘଣ୍ଟାରେ ୧୨ଟା ବାଜିବାକ୍ଷଣି ସେ ଉଠି ପଡ଼ିଲେ । କଳା ଶାଲଟା ଦେହରେ ଘୋଡ଼େଇହୋଇ ବାରଣ୍ଡାଏ ବାରଣ୍ଡାଏ ଯାଇ ସୁକାନ୍ତବାବୁଙ୍କଦରଜା ପାଖରେ ପହଞ୍ଜିଲେ । ଦରଜା ବନ୍ଦ ଥିଲା, କିନ୍ତୁ ଘର ଭିତରେ ଆଲୁଅ ଜଳୁଥିଲା । ସୁକାନ୍ତବାବୁ ଶୋଇ ନଥିଲେ ସେତବେଳଯାଲ ବୋଧହୁଏ ।

 

ରତ୍ନମଞ୍ଜରୀ ଦୁଆରେ ଟିକିଏ ଠିଆ ହୋଇ କାନ ପାରିଲେ । କିଛି ଶବ୍ଦ ନାହିଁ । ଦୁଆର କଡ଼ା ହଲାଇ ଠକ୍ ଠକ୍ କଲେ । ସଙ୍ଗେ ସଙ୍ଗେ ଭିତରୁ ଜବାବ ଆସିଲା, ‘‘ରତ୍ନ ! ଆସ, ଆସ, ମୁଁ ତ ତୁମକୁ ଚାହିଁ ବସିଛି’’–କହୁ କହୁ କବାଟ ଖୋଲି ବାହାରକୁ ଆସିଲେ ସୁକାନ୍ତବାବୁ । ହାତରେ ତାଙ୍କର ଲଣ୍ଠନ ।

 

ସୁକାନ୍ତବାବୁ ରତ୍ନମଞ୍ଜରୀଙ୍କୁ ସାଥିରେ ନେଇ ଆଗକୁ ଯାଇଥିଲେ । ଗୋଟିଏ କୋଠରୀ ପାଖରେ ତାଙ୍କର ଗତି ବନ୍ଦ ହୋଇଗଲା । କୋଠରୀର ଦ୍ୱାର ଖୁବ୍ ଶକ୍ତ ଭାବରେ ତିଆରି । ଦୁଆରେ ମସ୍ତବଡ଼ ଆଲିଗଡ଼ ତାଲାଟାଏ ପଡ଼ିଛି । ଏଇଟା ଗୋଟାଏ ଗୁପ୍ତ କୋଠରୀ । ଏଇଠି ଦରକାରୀ କାଗଜପତ୍ର ଆଉ ଟ୍ରେଜେରୀ ଥାଏ । କେବଳ ସୁକାନ୍ତ ବାବୁଙ୍କ ଛଡ଼ା ଏଠାକୁ କେହି ଆସନ୍ତି ନାହିଁ ।

 

ଘରର ତାଲା ଖୋଲି ଦ୍ୱାର ମେଲାକରିଦେଲେ ସୁକାନ୍ତବାବୁ । ଘର ଭିତରେ କେତେଟା ଆଇରନ୍ ଚେଷ୍ଟ, କାଠ ଆଲମାରୀ ରହିଛି । ଦୁହେଁ ଭିତରକୁ ପଶିଲେ । ସୁକାନ୍ତବାବୁ ଗୋଟି, ଚେଷ୍ଟ ଖୋଲିଲେ । ତା ଭିତରେ ଖାଲି ତାଡ଼ା ତାଡ଼ା ନୋଟା ଭର୍ତ୍ତି ହୋଇଛି । ଗୋଟିଏ କଡ଼କୁ ଖଣ୍ଡିଏ ତମ୍ୱାର ପଟା । ସେ ଖଣ୍ଡି ଖୁବ୍ ସାବଧାନରେ ଉଠାଇ ଆଣିଲେ ସେ । ପଟାଖଣ୍ଡିକ ଲୁଗା କାନିରେ ଟିକିଏ ପୋଛି ଦେଇ କହିଲେ–‘‘ଏଇ ଦେଖ, ଏ ହେଉଛି ଗୁପ୍ତ ଗନ୍ତାଘରର ନକ୍ସା । ଏଇ ଯେଉଁ ଛବି ଚିହ୍ନ ଦେଖୁଛ, ସେଟା ଆମ ଉଆସ ।’’

 

ରତ୍ନମଞ୍ଜରୀ ପଟା ଉପରେ ଥିବା ଅଙ୍କା ବଙ୍କା ଗାର କେତୋଟିକୁ ଲକ୍ଷ କରୁଥିଲେ ଏ ସମସ୍ତଙ୍କ ଅଜ୍ଞାତରେ ଆଉ ଦୁଇଟି ତୀକ୍ଷ୍ଣ ଆଖି ଦୁଆର ପାଖରୁ ଦପ୍ ଦପ୍ କରି ଚାହିଁଥିଲା ସେ ଆଡ଼କୁ । ରତ୍ନମଞ୍ଜରୀ ଉତ୍ସୁକ ହୋଇ ପଚାରିଲେ–‘‘ଆଚ୍ଛା, ତେବେ ଅସଲ ଗନ୍ତାଘର କେଉଁଠି ?’’

 

‘‘ମୁଁ ଏ ଅବଧି ସେ କଥା ଜାଣିବାକୁ ଚେଷ୍ଟା କରିନାହିଁ । ମୋତେ କେବେ ଅଭାବ ପଡ଼ିନାହିଁ କି ମୁଁ ଗନ୍ତାଘରୁ ଟଙ୍କା ଆଣିବାର ପ୍ରୟୋଜନ ଆବଶ୍ୟକ କରି ନାହିଁ । ତେବେ ଏତିକି ଜାଣେ, ଏ ନକ୍ସା ଥିଲେ ସେଠାକୁ ଯାଇ ପାରିବା କଷ୍ଟ ନୁହେଁ । ସେ ଗନ୍ତାଘର ‘ଗନ୍ତାଘର’ ନୁହେଁ, ଗୋଟାଏ ଅନର୍ଥର ପିଣ୍ଡ । କେତେ ଲୋଲୁପ ଆଖି ତା ଉପରେ ପଡ଼ିଛି, କିନ୍ତୁ କେହି ତାକୁ ଭୋଗ କରିପାରି ନାହିଁ; ଶେଷକୁ ସେ ଜଳିପୋଡ଼ି ଯାଇଛି ପଛେ । ଛୋଟରାୟ ବଂଶର ଶ୍ରେଷ୍ଠସମ୍ପଦତକ ଏପର୍ଯ୍ୟନ୍ତ କାହାରି ପାଦ ତଳେ ଲୁଣ୍ଠିତ ହୋଇନାହିଁ । ସେ ଧନ ସତ୍ ଧନ । ଉପଯୁକ୍ତ ଉତ୍ତରାଧିକାରୀହିଁ ତାର ପ୍ରଭୁ ।’’

 

କଥାଗୁଡ଼ାକ ରତ୍ନମଞ୍ଜରୀଙ୍କ କାନରେ ବାଟୁଳିପରି ବିନ୍ଧି ହେଉଥିଲା । ସେ ଧୀରେ ଧୀରେ ବାହାରକୁ ଆସିଲେ । ସୁକାନ୍ତବାବୁ ବି ଚେଷ୍ଟ ବନ୍ଦକରି ପଛେ ପଛେ ଆସିଲେ । ରତ୍ନମଞ୍ଜରୀଙ୍କ କାନରେ ଗୋଟିଏ କଥା କେବଳ ଘଡ଼ଘଡ଼ି ପରି ଶୁଭି ଯାଉଥିଲା–‘‘ସେ ଧନ, ସତ୍ ଧନ । ଉପଯୁକ୍ତ ଉତ୍ତରାଧିକାରୀହିଁ ତାର ପ୍ରଭୁ ।’’ ସେ କଅଣ ପ୍ରକୃତ ଉପଯୁକ୍ତ ଉତ୍ତରାଧିକାରୀ ନୁହନ୍ତି ?

 

ସୁକାନ୍ତ ବାବୁଙ୍କ ଅନ୍ତର ଦଗ୍ଧ, ତଥାପି ସେ ଖୁସି । କାରଣ ରତ୍ନମଞ୍ଜରୀଙ୍କୁ ପ୍ରତାରିତ କରି ପାରିଛନ୍ତି । ରତ୍ନମଞ୍ଜରୀ ଖୁସି, ସେ ଉଦ୍ଦେଶ୍ୟ ସିଦ୍ଧି କରି ପାରିଛନ୍ତି । ଆଉ ଜଣେ ଅଜ୍ଞାତ ଲୋକ ବି ଖୁସି, ସେ ତାର ଭବିଷ୍ୟତ୍ ଆଲୋମୟ ଦେଖି ପାରିଛି ।

 

–ଚାରି–

 

ସେ ଦିନଟା କି ଦୁର୍ଯୋଗରେ ପାହିଥିଲା କେଜାଣି । ସକାଳୁ ଝଡ଼ବର୍ଷା ଅବିଶ୍ରାନ୍ତ ଗତିରେ ଲାଗି ରହିଥିଲା । ଅଦିନ ମେଘ, ତା ସାଙ୍ଗକୁ ପ୍ରବଳ ତୋଫାନ । ଏପରି ହେବ ବୋଲି କିଏ ବା ଆଶଙ୍କା କରିଥିଲା । ଦିନ ବଢ଼ିବା ସଙ୍ଗେ ସଙ୍ଗେ ଝଡ଼ବର୍ଷାର ବେଗ ବଢ଼ୁଥିଲା ପଛେ, କମିବାର କିଛି ସୂଚନା ମିଳୁ ନ ଥିଲା ।

କ୍ରମେ ରାତି ହେଲା । ମୂଷଳ ଧାରାରେ ବର୍ଷା ଚାଲିଛି । ଏଣେ ଝଡ଼ର ତାଣ୍ଡବ । ମେଘଅନ୍ଧାର ସାରା ପୃଥିବୀଟାକୁ ବହଳ ଅନ୍ଧାର ପର୍ଦ୍ଦାରେ ଢାଙ୍କି ଦେଇଛି ଯେପରି । ଆଖି ଆଗରେ ହାତ ହଲାଇଲେ ବି ଅନ୍ଧାର ଭେଦି ତାହା ଦିଶୁନାହିଁ । ଏ ଦୁର୍ଯୋଗ ରାତିରେ ସଞ୍ଜ ହେଲାବେଳୁ ଯେ ଯୁଆଡ଼େ ଶୋଇ ଗଲେଣି । ସାରା ଜଗତ ନିସ୍ତବ୍ଧ ।

ରାତି ବାରଟା ହେବ । ଝଡ଼ବର୍ଷାର ବେଗଟା ବଢ଼ିଯାଇଛି ବରଂ । ଏତିକିବେଳେ ସୁକାନ୍ତବାବୁଙ୍କ ଘରର ସଦର ଦରଜା ପାଖରେ ମୂର୍ତ୍ତିଟିଏ ଆସି ଠିଆ ହେଲା । ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ରବର ଜୋତା ବର୍ଷାତିରେ ଆବୃତ । ମୂର୍ତ୍ତିଟା କିଛି ସମୟ ଠିଆ ହୋଇ ଦରଜାରେ ଠକ୍ ଠକ୍ କରି କ’ଣ ସଙ୍କେତ କଲା । ତାର ଠିକ୍ ପରମୁହୂର୍ତ୍ତରେ ଖୁବ୍ ଧୀରେ ଧୀରେ କବାଟ ଖୋଲିଗଲା । ଭିତରଟା ସମ୍ପୂର୍ଣ୍ଣ ଅନ୍ଧାର । ମୂର୍ତ୍ତିଟା ଭିତରକୁ ପଶିବାମାତ୍ରେ ପୁଣି କବାଟ ବନ୍ଦ ହୋଇଗଲା ।

ଖଞ୍ଜା ଭିତରେ ଆଗପଛ ହୋଇ ଚାଲିଛନ୍ତି ଦୁଇ ଜଣ । ଶବ୍ଦ ନାହିଁ । ଏଇଟା ସୁକାନ୍ତ ବାବୁଙ୍କ ଟ୍ରେଜେରୀ ଘର । କଳା ଓଭରକୋଟ ପିନ୍ଧା ଲୋକଟି ମୁହୂର୍ତ୍ତେ ନଇଁପଡ଼ି ଚାବିଟାକୁ ଦେଖି ନେଲା । ପରକ୍ଷଣରେ ଖଟ୍ କରି ଚାବିଟା ଖୋଲିଗଲା । ମୂର୍ତ୍ତିଟା ଭିତରକୁ ଗଲା । ଆର ଜଣକ ଜଗି ରହିଲା ବାହାରେ । ‘ଖଟ୍, ଖଟ୍’–ଟ୍ରେଜେରୀ ଖୋଲିବାର ଶବ୍ଦ ଶୁଣାଗଲା । କଳା ମୂର୍ତ୍ତିଟା ନଇଁପଡ଼ି ଟ୍ରେଜେରୀରୁ କ’ଣ ଖୋଜୁଛି । ହାତରେ ନୀଳ ରଙ୍ଗର ଟର୍ଚ୍ଚଟା ସାମାନ୍ୟ ଆଲୋକ ବିଞ୍ଚି ଦେଉଛି ଯାହା ।

ପ୍ରାୟ ପାଞ୍ଚ ମିନିଟ୍ ମଧ୍ୟରେ ଗୁପ୍ତ ଗନ୍ତାଘରର ନକ୍ସା-ତମ୍ୱା ପଟା ସହିତ ଅଜସ୍ର ଟଙ୍କା ଅଦୃଶ୍ୟ ହୋଇଗଲା ଚେଷ୍ଟ ଭିତରୁ । ପୂର୍ବପରି ଚେଷ୍ଟ ଆଉ ଦରଜା ବି ବନ୍ଦ ରହିଲା । ଝଡ଼ ବର୍ଷାର ପ୍ରଳୟ ଗର୍ଜନ ଏ ପୈଶାଚିକ କାଣ୍ଡକୁ ଢାଙ୍କି ପକାଇବା ପାଇଁ ଦ୍ୱିଗୁଣ ବେଗରେ ମାଡ଼ି ଆସୁଥିଲା ଯେପରି ।

ଠିକ୍ ସେତିକିବେଳେ ଭୂତ କୋଠିର ଗୋଟିଏ ପ୍ରକାଣ୍ଡ କୋଠରୀରେ ଆଉ ଗୋଟିଏ ଦୃଶ୍ୟର ଅଭିନୟ ଚାଲିଥିଲା । କୋଠରୀଟି ଖୁବ୍ ବଡ଼ ନ ହେଲେ ବି ନିତାନ୍ତ ଛୋଟ ନୁହେଁ । ଗୋଟିଏ ପାଖ କାନ୍ଥ ଦେହରେ କଙ୍କାଳ ମୂର୍ତ୍ତିଟାଏ । ହାତ ଦୁଇଟା ଆଗକୁ ବଢ଼ାଇ ଠିଆ ହୋଇଛି । ସରୁ ଅଙ୍ଗୁଳିଗୁଡ଼ା ତା’ର ସତେ ଯେପରି କାହାରି ଉଦ୍ଦେଶ୍ୟରେ ପ୍ରସାରିତ ହୋଇ ରହିଛି । ସେହି କଙ୍କାଳର ହାତ ତଳକୁ ଖଣ୍ଡିଏ ଆସନ ଉପରେ ବସିଛି ସମ୍ପୂର୍ଣ୍ଣ କଳା ପୋଷାକରେ ଆବୃତ ଲୋକଟିଏ । ଭିତରର ମିଞ୍ଜି ମିଞ୍ଜ ଆଲୁଅରେ ତାହା ଯେଉଁ ଭୟାବହ ଦୃଶ୍ୟର ସୃଷ୍ଟିଟି କରିଛି ତାହା ଯେ କୌଣସି ସାହସୀ ଲୋକ ପକ୍ଷରେ ମଧ୍ୟ ଧୈର୍ଯ୍ୟ ରଖିବା କଷ୍ଟକର ।

ହଠାତ୍ କଙ୍କାଳଟା ବିକଟ ଚିତ୍କାର କରି ଉଠିଲା । ତା ସଙ୍ଗେ ସଙ୍ଗେ ତାର ହାତ ଗୋଡ଼ ଗୁଡ଼ାକ ବି ସକ୍ରିୟ ହୋଇ ନାଚିବାକୁ ଲାଗିଲା । ଓଃ ! କି ବିକଟ ସେ ଦୃଶ୍ୟ । ତାହା ଦେଖି କଳା ପୋଷାକଧାରୀ ଲୋକଟି ମୁହଁରେ ହସ ଫୁଟି ଉଠିଲା । ସେ କଡ଼ା ଗଳାରେ ଡାକିଲା–‘ରମଜାନ୍ !’

‘ଜି ସର୍ଦ୍ଦାର !’ କହି ପ୍ରବେଶ କଲା ଗାଢ଼ କଳା ରଙ୍ଗର ଗୋଟାଏ ଲୋକ । ଏଇଟା ଗୋଟାଏ ମଣିଷ କି ରାକ୍ଷସ, ବାରି ହୁଏନା ! ତ୍ରିପଣ୍ଡ କଳା ରଙ୍ଗ, ଭୀଷଣ ମୋଟା କଦାକାର ଲୋକଟା, ମୁଣ୍ଡଟା କେଡ଼େ ଛୋଟ ! ସେଥିକୁ ଆଖି ଦୁଇଟା କେଉଁ କୋଟର ଭିତରେ ଚକ୍ ଚକ୍ କରି ଉଠୁଛି ।

‘‘ଦରଜାରେ ହାତ ମାରୁଛି କିଏ ଦେଖ୍ ।’’ ହୁକୁମ ମାତ୍ରେ ରମଜାନ୍ ମୁଣ୍ଡ ନୁଆଁଇ ସେଠାରୁ ଚାଲିଗଲା । ପର ମୁହୂର୍ତ୍ତରେ ଠକ୍ ଠକ୍ ଜୋତା ଆବାଜ କରି ଭିତରକୁ ପଶି ଆସିଲା କଳା ରବର ଓଭରକୋଟଧାରୀ ଲୋକଟା । ତାକୁ ଦେଖି ସର୍ଦ୍ଦାର ଆସନରୁ ଉଠି ଆସି କହିଲା–‘‘କଅଣ କାମ ଫତେ ?’’

‘‘ହଁ, ସର୍ଦ୍ଦାର ।’’

‘‘ବେଶ୍ ! ସବାସ୍ ! ଏବେ ମଉଜ କର । କାହିଁ ମାଲ ଦେଖେ’’–କହି ହାତ ବଢ଼ାଇ ଦେଲା ସର୍ଦ୍ଦାର ।

ଆଗନ୍ତୁକ ଦସ୍ୟୁଟି ଓଭରକୋଟ ପକେଟରୁ କେତେଗୁଡ଼ିଏ ନୋଟ ବିଡ଼ା ଆଉ ତମ୍ୱା ପଟା ଖଣ୍ଡିକ ତାହାକୁ ବଢ଼ାଇ ଦେଲା । ସେତକ ହାତକୁ ନେଇ ସର୍ଦ୍ଦାର ‘ହା, ହା’ ହୋଇ ହସି ଉଠିଲା । ପର ମୁହୂର୍ତ୍ତରେ ବିକୃତ ମୁହଁ କରି ପଚାରିଲା–‘‘ଆଉ ରାଧାଶ୍ୟାମ !’’

‘‘ସେ ଦରଜା ଖୋଲି ଦେଲା ସର୍ଦ୍ଦାର । ତାର ମତଲବ ଏ ଟଙ୍କା ପଇସା ଉପରେ ନୁହେଁ, ଜମିଦାରୀ ଉପରେ । ସେ ଚାହେଁ ସୁକାନ୍ତବାବୁ ତା’ ରାସ୍ତାରୁ ଆଡ଼େଇ ଯାଉ ।’’

 

‘‘ହୋ; ହୋ, ହୋ; ହୋ;’’ ପୁଣି ଥରେ ସେହି ପୈଶାଚିକ ହସ । ‘‘ଜାଣିଲୁ ଦୋସ୍ତ ! ରାଧାଶ୍ୟାମ ପକ୍କା ଖେଳୋୟାଡ଼୍ । ଆଜି ସୁକାନ୍ତବାବୁ ରାସ୍ତାରୁ ଆଡ଼େଇ ଯାଉ, କାଲି ରତ୍ନମଞ୍ଜରୀ; ତା ଆରଦିନ ସର୍ଦ୍ଦାର ! ବୁଝିଲୁ ! ତାକୁ ଶେଷରେ –’’ ହାତର ବିଶି ଅଙ୍ଗୁଳିଟାକୁ ପିସ୍ତଲ ନଳୀପରି କରି ଦେଖାଇ ଦେଲା ସର୍ଦ୍ଦାର । ପୁଣି ଥରେ ହସି ଉଠିଲା ହୋ ହୋ ହୋଇ ।

 

‘‘ଜାଣିଲୁ ଦୋସ୍ତ ! ଏଇ ଯେ କଙ୍କାଳ ଠିଆ ହୋଇଛି, ସେ କିଏ ଜାଣୁ ? ସେ ମୋର ଗୁରୁଜୀ । ଆମର ସୌଭାଗ୍ୟ ତାରି ପ୍ରସାଦରୁ । ତୁ ଚିନ୍ତା କରନା । କାଲି ସକାଳେ ବିଜୁଳିକୁ ଖବର ଦେ । ସେ ଆସିଲେ ଗନ୍ତାଘର ଖୋଜିଦେବ, ସେ କାମରେ ସେ ପକ୍କା । ତା ପରେ ତୁ ହେବୁ ଗୋଟେ ଛୋଟ କାଟର ରାଜା । ଯା; ଆଜି ଆରାମ କର ।’’

 

ଆଗନ୍ତୁକ ଦସ୍ୟୁ ବିଦାୟ ହୋଇଗଲା ପରେ ନୋଟ ବିଡ଼ାଗୁଡ଼ାକ ଘରର ଗୋଟିଏ କୋଣକୁ ଫୋପାଡ଼ି ଦେଇ ପୁଣି ଥରେ ହସି ଉଠିଲା ଦସ୍ୟୁ ସର୍ଦ୍ଦାର । ତା’ ପରେ ତମ୍ୱା ପଟାଟିକୁ ଏପଟ ସେପଟ କରି ଦେଖୁ ଦେଖୁ ମନେ ମନେ କେତେ ସୁଖର କଳ୍ପନା କରି ଯାଉଥିଲା ସେ ।

 

–ପାଞ୍ଚ–

 

ଭୂତକୋଠିର ମନ୍ତ୍ରଣାକକ୍ଷରେ ଚାଲିଥିଲା ବେଶ୍ ସରଗରମ ଆଲୋଚନା । ଆଲୋଚନାର ବିଷୟବସ୍ତୁ ଥିଲା–’’ଦସ୍ୟୁର ସମସ୍ତ ଚେଷ୍ଟା ବ୍ୟର୍ଥ ହୋଇଛି । ସେମାନେ ପ୍ରତାରିତ ହୋଇଛନ୍ତି । ତମ୍ୱା ପଟାର ନକ୍ସା ଅନୁଯାୟୀ ବହୁ ଅନୁସନ୍ଧାନ ପରେ ବି ଗୁପ୍ତ ଗନ୍ତାଘରର କୌଣସି ସନ୍ଧାନ ମିଳିନାହିଁ ।’’ ଆଜି ରାଧାଶ୍ୟାମ ବାବୁ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଛନ୍ତି ।

 

ସମସ୍ତେ ଚିନ୍ତିତ । ଆଗରେ କେତେ ବୋତଲ ମଦ ଥୁଆ ହୋଇଛି । ମଝିରେ ମଝିରେ ତା’ର ସଦ୍‍ବ୍ୟବହାର କରୁଛନ୍ତି । ସିଗାରେଟ୍ ଧୂଆଁରେ ସାରା ଘରଟି ଗାଢ଼ ଭାବରେ ଛାଇ ହୋଇ ଯାଇଛି ।

 

ଖୁବ୍ ଦମ୍‍ରେ ସିଗାରେଟ୍‍ଟା ଥରେ ଟାଣି ନେଇ ସର୍ଦ୍ଦାର କହିଲା–‘‘ଜାଣିଲ ଦୋସ୍ତ ! ସୁକାନ୍ତ ଆଗରୁ ବୋଧେ ସୁରାକ ପାଇଥିଲା । ନ ହେଲେ ଫିକର କାଢ଼ିବାକୁ ବାଟ ପାଆନ୍ତା ନାହିଁ ।’’

 

ରାଧାଶ୍ୟାମ ବାବୁ କହିଲେ–‘‘ତା ହୋଇପାରେ । କିନ୍ତୁ ମୋର ସେଥିରେ କମ୍ ବିଶ୍ୱାସ ହେଉଛି । ମୁଁ ଭାବୁଛି, ଆମର ଖୋଜିବାରେ କେଉଁଠି ଭୁଲ ରହୁନାହିଁ ତ ?’’

 

ହେଁ ହେଁ ହୋଇ ହସି ଉଠି ଦସ୍ୟୁ ସର୍ଦ୍ଦାର କହିଲା–ଭୁଲ ! ପୁଣି ଆମ ଖୋଜିବାରେ ! ନିଜେ ବିଜୁଳି ଯେଉଁଠି ହାତ ଲଗାଇଛି, ସେଠି ଆଉ ଭୁଲର ପ୍ରଶ୍ନ ଥାଇ ନ ପାରେ । ଏ ସଂସାରରେ କେଉଁଠି କ’ଣ ଅଛି, ବିଜୁଳିକୁ ଅମାଲୁମ ନାହିଁ ।’’ ପୁଣି ଥରେ ହିଁ ହିଁ ହୋଇ ହସି ପକାଇଲା ସେ ନିଶା ଭୋଳରେ ।

 

ରାଧାଶ୍ୟାମ ବାବୁ ବଡ଼ ହତାଶ ହୋଇ ପଡ଼ିଥିଲେ, ପ୍ରତାରିତ ହେବା କଥା ଶୁଣି । ବିଶାଳ ଜମିଦାରୀର ଅଧିକାରୀ ହେବା ଆଶା ତାଙ୍କ ମନରୁ ଧୀରେ ଧୀରେ ଉଭେଇ ଯାଉଥିଲା । ତାକୁ ବେଶ୍ ଲକ୍ଷ୍ୟ କରୁଥିଲା ଦସ୍ୟୁ ସର୍ଦ୍ଦାର !

 

‘ତେବେ ଉପାୟ କ’ଣ ?’ ମୁହଁ ଶୁଖାଇ ପଚାରିଲେ ରାଧାଶ୍ୟାମ ବାବୁ ।

 

‘ଉପାୟ ଅତି ସହଜ’- କହି ଦସ୍ୟୁ ସର୍ଦ୍ଦାର ରାଧାଶ୍ୟାମ ବାବୁଙ୍କ କାନ ପାଖରେ ଫୁସ୍ ଫୁସ୍ କରି କେତେ କଥା କହିଲା । ତାହା ଶୁଣି ତାଙ୍କ ମୁହଁଟି ଉଜ୍ଜ୍ୱଳ ହୋଇ ଉଠିଲା । ସେ ଏକାବେଳକେ ନାଚି ଉଠି କହିଲା–’’ଠିକ୍; ସେଇଟାହିଁ ଠିକ୍ ବାଟ । ତେବେ କେଉଁଦିନ ?’’

 

’’ଆଗାମୀ ପରଦିନକୁ ପ୍ରସ୍ତୁତ । ଠିକ୍ ରାତି ଗୋଟାଏ । ବୁଝି, ସାବଧାନ ! ଏ କଥାର ସୁରାକ ଯେପରି କେହି ନପାନ୍ତି ।’’

 

‘‘ସେ ବିଷୟରେ ମୁଁ ଠିକ୍ ଅଛି ।’’ ନିଶା ଭୋଳରେ ବିକୃତ ସ୍ୱରକରି କହି ପକାଇଲେ ରାଧାଶ୍ୟାମବାବୁ ।

 

ରାତି କେତେହେବ କେଜାଣି ଅଷ୍ଟମୀର ଚାନ୍ଦ ବୁଡ଼ିଗଲାଣି କେତେବେଳୁ । ସାରା ଜଗତ ନିସ୍ତବ୍ଧ । କେବଳ ପବନର ଶିରୀ ଶିରୀ ଶବ୍ଦ ଆଉ ତା’ ସାଙ୍ଗକୁ କାହିଁ କେତେ ଦୂରେ ଭେରଣ୍ଡାର ରଡ଼ି ଶୁଣାଯାଉଛି ଯାହା ।

 

ଏତିକିବେଳେ ସୁକାନ୍ତବାବୁଙ୍କ ଉଆସର ସଦର ଦରଜାରେ ଖୁବ୍ ଜୋରରେ ଠକ୍ ଠକ୍ ଆବାଜ ଶୁଣାଗଲା । କିଏ ଯେପରି ଖୁବ୍ ବ୍ୟସ୍ତହୋଇ କବାଟ ଖୋଲି ଦେବାକୁ ସଙ୍କେତ କରୁଛି । ରାଧାଶ୍ୟମାବାବୁ ପାଖ ଘରେ ଶୁଅନ୍ତି । ସେ ଚଟାପଟ୍ ଉଠିଯାଇ କବାଟ ଖୋଲି ଦେଲେ । ଦେଖିଲେ ଦରଜା ଆରପଟେ ଜଣେ ଲୋକ । ବେଶ୍ ହୃଷ୍ଟପୁଷ୍ଟ । ମୁଣ୍ଡରେ ଗୋଟାଏ ଗାମୁଛା ପାଗ ଭିଡ଼ି ହୋଇଛି । ହାତରେ ଚିତାଏ ଉଚ୍ଚର ବାଉଁଶଠେଙ୍ଗା । ଆର ହାତରେ ଲଣ୍ଠନ । ଦୁହେଁ ଦୁହିଁଙ୍କୁ ଚାହିଁ ଟିକେ ହସାହସି ହେଲେ । ତା’ପରେ ରାଧାଶ୍ୟାମବାବୁ ପଚାରିଲେ, ‘କଅଣ କହୁଛ ?’

 

ଲୋକଟି କହିଲା–‘‘ବାବୁ ! ଜମିଦାର ବାବୁଙ୍କର ଜରୁରୀ ଚିଠି ଅଛି । ଶଙ୍କରପ୍ରସାଦ ଦେଇଛନ୍ତି । ଆପଣ ତାଙ୍କୁ ଟିକିଏ ଡାକି ଦିଅନ୍ତୁ ।’’

 

ରାଧାଶ୍ୟାମବାବୁ ବାକ୍ୟବ୍ୟୟ ନ କରି ଭିତରକୁ ଚାଲିଗଲେ ।

 

ଅଳ୍ପସମୟ ପରେ ଜମିଦାର ସୁକାନ୍ତ ଛୋଟରାୟ ବାହାରକୁ ଆସିଲେ । ସଦର ଦରଜାରେ ପହଞ୍ଚିବା ମାତ୍ରେ ଲୋକଟି ବେଶ୍ ସମ୍ଭ୍ରମରେ ଜୁହାରଟାଏ ହୋଇ କହିଲା–‘‘ଆଜ୍ଞା, ମଣିମା ଚିଠି ଦେଇଛନ୍ତି । ହଜୁରଙ୍କ ଛଡ଼ା ଅନ୍ୟ ଲୋକଙ୍କୁ ଦେବାକୁ ହୁକୁମ ନ ଥିଲା ।’’ କହୁ କହୁ ଅଣ୍ଟିରୁ ଖଣ୍ଡିଏ ଚିଠି କାଢ଼ି ବଢ଼ାଇ ଦେଲା ସୁକାନ୍ତବାବୁଙ୍କ ହାତକୁ ।

 

ସୁକାନ୍ତବାବୁ ଚିଠିଖଣ୍ଡି ଖୋଲି ପଢ଼ିଲେ । ପଢ଼ିସାରିବା ସଙ୍ଗେ ସଙ୍ଗେ ଚିତ୍କାର କରି ଡାକ ପକାଇଲେ–’‘ରାଧାଶ୍ୟାମ ! ମୁଁ କ’ଣ କରିବି ? ସୁବ୍ରତ ମୋର ଭାରି ବେମାର, ମୁଁ କ’ଣ କରିବି ।’’

 

ତାଙ୍କର ବ୍ୟସ୍ତ ଦେଖି ରାଧାଶ୍ୟାମବାବୁ ଚଟାପଟ୍ ଗ୍ୟାରେଜରୁ ଗାଡ଼ିଖଣ୍ଡି ବାହାର କରିଆଣି ସଦର ଦରଜା ଆଗରେ ଥୋଇ ଦେଲେ ।

 

ଭଲ ମନ୍ଦ ବିଚାରଶକ୍ତି ଲୋପ ପାଇଥିଲା ସୁକାନ୍ତବାବୁଙ୍କର । ଧଡ଼୍‍କରି ଗାଡ଼ିର ଦରଜାଟା ଖୋଲି ଭିତରେ ବସି ଷ୍ଟାର୍ଟ ଦେଇ ଦେଲେ । ଆଗକୁ ଛୁଟି ଚାଲିଲା କାର୍‍ଟା । ରାଧାଶ୍ୟାମବାବୁଙ୍କ ମୁହଁରେ ହସ ଫୁଟି ଉଠିଲା ।

 

ସାତ ଆଠ ମାଇଲ ବାଟ ଯିବାକୁ ହେବ । ରାସ୍ତା ନିର୍ଜନ । ପୁଣି ଅଣଓସାରିଆ । ତଥାପି ସୁକାନ୍ତବାବୁ ଗାଡ଼ିର ବେଗ ପୂରା ରଖିଥାନ୍ତି । ଭାବନା ତାଙ୍କର ବିକ୍ଷିପ୍ତ । ସୁବ୍ରତ ବେମାର । କ’ଣ ହୋଇଛି ତାର ! ଆଗରୁ ତ ଶଙ୍କରପ୍ରସାଦ କିଛି ଖବର ଦେଇ ନଥିଲେ । ହଠାତ୍ ଏମିତି କ’ଣ ହେଲା ? ଆଉ କିଛି......ଖୁବ୍ ଜୋର୍‍ରେ ବ୍ରେକ୍ ଦେଲେ ଗାଡ଼ିରେ, ଆଗରେ ବଳଦଗାଡ଼ିଟାଏ ରାସ୍ତା ଉପରେ ଥୁଆ ହୋଇଛି । ଆଉ ଟିକେକେ ଧକ୍କା ଲାଗିଥାନ୍ତା । ଶଗଡ଼ିଆ ନାହିଁ କି ବଳଦ ନାହିଁ । ଖାଲି ଗାଡ଼ିଟା । ରଖାଯାଇଛି ପୁଣି ଆଡ଼ ବାଗରେ । ଗାଡ଼ିର ଷ୍ଟାର୍ଟ ବନ୍ଦକରି ସୁକାନ୍ତବାବୁ ହର୍ଣ୍ଣ ଦେଲେ । କାହିଁ ? କାହାରି ତ ସାଢ଼ା ଶବ୍ଦ ନାହିଁ । ଆଚ୍ଛା ମୁସ୍କିଲରେ ପଡ଼ିଲା ମଣିଷ । ବଡ଼ ବିରକ୍ତ ହୋଇ ଉଠିଲେ ସୁକାନ୍ତବାବୁ ।

 

‘ନମସ୍ତେ ଜମିଦାର ସାହେବ !’

 

ହଠାତ୍ କାହାର ଡାକରେ ଚମକି ପଡ଼ିଲେ ସୁକାନ୍ତବାବୁ । ସ୍ୱରଟା ଥିଲା ବଡ଼ ପରିହାସସୂଚକ । ବିରକ୍ତିରେ ମୁହଁ ପଛକୁ ବୁଲାଇ ଚାହିଁଲେ ସେ । ଯାହା ଦେଖିଲେ, ସେଥିରେ ଯେ କେହି ଲୋକର ହୃତ୍‍କମ୍ପ ହେବାର କଥା । ସର୍ବାଙ୍ଗ କଳା ପୋଷାକ ଆବୃତ ମୁହଁରେ କଳା ଧଳା ଚିତ୍ର ମୁଖାଟା ପିନ୍ଧିଛି । ସୁକାନ୍ତବାବୁଙ୍କ ମନକୁ ପାପ ଛୁଇଁଲା–‘ଏଁ; ଏ କ’ଣ ଭୂତ ନା କ’ଣ ?

 

ପର ମୁହୂର୍ତ୍ତରେ ‘ହା, ହା’ କରି ହସି ଉଠିଲା ଲୋକଟା । ଗଭୀର ରାତ୍ରିର ନିର୍ଜନସ୍ଥାନଟା ଥରି ଉଠିଲା ଯେମିତି । ହଠାତ୍ ସୁକାନ୍ତବାବୁଙ୍କର ମନେ ହେଲା–ପକେଟରେ ପିସ୍ତଲ ଅଛି । ସେ ପକେଟ ଆଡ଼କୁ ହାତ ନେଉଥିଲେ । କିନ୍ତୁ ସେ ଚେଷ୍ଟା ବୃଥା । ଲୋକଟା ପିସ୍ତଲ ଦେଖାଇ ଚାଲି ଆସୁଛି । ଆଉ ଉପାୟ ନାହିଁ । ଶେଷକୁ ତାଙ୍କର ଆଶଙ୍କାହିଁ ସତ୍ୟରେ ପରିଣତ ହେଲା ।

 

ପୂର୍ବ ଲୋକଟିର ଇଙ୍ଗିତ ମାତ୍ରେ ଚାରିଟା ବଳବାନ ଲୋକ ସୁକାନ୍ତବାବୁଙ୍କୁ ଟେକି ଟେକି ନେଇଗଲେ । ତାଙ୍କ ପକେଟରୁ ପିସ୍ତଲଟା ବାହାର କରି ନିଆଗଲା । ସୁକାନ୍ତବାବୁ ଜାଣିଥିଲେ–ଚିତ୍କାର କରିବା କିମ୍ୱା ଖସିବାକୁ ଚେଷ୍ଟା କରିବା ବୃଥା; ଚିନ୍ତାରେ ତାଙ୍କ କପଳା ଝାଳ ଜରଜର ହୋଇଉଠିଲା ।

 

ସେହି ଅବସ୍ଥାରେ ଖଣ୍ଡେ ଦୂର ନେଲା ପରେ ଗୋଟାଏ କନାର ପଟି ତାଙ୍କ ଆଖିରେ ବାନ୍ଧି ଦିଆଗଲା । ପାଖରେ କାରଟା ଥୁଆ ହୋଇଥିଲା । ତାଙ୍କୁ ଏକପ୍ରକାର ଜବର ଦସ୍ତି ସେଥିରେ ବସାଇ ଚାରିଟା ଲୋକ ଜଗି ବସିଲେ । ଗାଡ଼ି ଛୁଟି ଚାଲିଲା କେଉଁ ଅଜଣା ସ୍ଥାନ ଉଦ୍ଦେଶ୍ୟରେ ।

 

ବହୁ ଦୂରରେ ଅଣ୍ଡିରା ବିଲୁଆଟାଏ ଚିତ୍କାର କରି ଉଠୁଥିଲା ଥରକୁ ଥର ।

 

–ଛଅ–

 

‘‘ତୁମେ ଆଜିକାଲି ବଡ଼ ଚଞ୍ଚଳିଆ ହୋଇ ପଡ଼ିଲାଣି ଶରତ୍ ! ଏ ଯାଏ ବି ପୋଷାକ ପିନ୍ଧା ସରିଲାନି ?’’ ହାତ ବାଡ଼ିଟା ହାତରେ ଘୂରାଉ ଘୂରାଉ କହିଲେ ଡିଟେକ୍ଟିଭ୍ ମି ଚୌଧୁରୀ ।

‘‘ଏଇ, ସରିଲା ସାର୍ ! ଆଉ ମିନିଟଏ ।’’

ଚଟାପଟ୍ ପୋଷାକ ପିନ୍ଧି ବାହାରକୁ ବାହାରି ପଡ଼ିଲେ ଦୁହେଁ । ଗେଟ୍ ଆଗରେ ସୁଦୃଶ୍ୟ କାର୍ ଖଣ୍ଡିଏ ଥୁଆ ହୋଇଥିଲା । ଚାଳକ ଆସନରେ ବସିପଡ଼ି ଷ୍ଟାର୍ଟ ଦେଲେ ମି: ଚୌଧୁରୀ । ସଦର ଜନଗହଳି ରାସ୍ତା ଦେଇ କାର୍ ଖଣ୍ଡି ଛୁଟି ଚାଲିଲା ଏସ୍:ପି:ମି: ରାୟଙ୍କ ବାସ ଭବନ ଅଭିମୁଖରେ ।

ଏସ: ପି: ମି: ରାୟ ଆପଣାର ବାରଣ୍ଡା ଆଗରେ ଟହଲ ମାରୁଥିଲେ । ମି: ଚୌଧୁରୀ କାର୍ ଖଣ୍ଡି ଫାଟକ ପାଖରେ ଅଟକିବା ଦେଖି ଡାକ ପକାଇଲେ–‘ଆସନ୍ତୁ; ଆସନ୍ତୁ ମି: ଚୌଧୁରୀ ! ମୁଁ ତ ଗୋଟିଏ କେସ୍‍ ନେଇ ଆପଣଙ୍କୁ ଡାକିବାକୁ ଭାବୁଥିଲି ।’ ମି: ଚୌଧୁରୀ କାରରୁ ଓହ୍ଲାଇ ଆସୁ ଆସୁ କହିଲେ–‘‘ସେଇକଥା ଜାଣି ପରା ମୁଁ ସେ କେଶଟା ମାଗି ନେବାକୁ ଆସିଲି ।’’

ରହସ୍ୟରେ ହସିପକାଇଲେ ତିନିଜଣଯାକ । ତା’ପରେ ବାରଣ୍ଡାରେ ଚୌକୀ ଉପରେ ତିନିଜଣ ଯାକ ବସିଲେ ।

‘‘ଆଚ୍ଛା, ମି: ଚୌଧୁରୀ ! ଆପଣ କ’ଣ କେଶ୍ କଥା କିଛି ଶୁଣିଛନ୍ତି ? ପାଚାରିଲେ ଏସ. ପି-।’’

‘‘ହଁ, ଅଳ୍ପ କିଛି; ତେବେ ଘଟଣା ସ୍ଥଳକୁ ଯାଇନାହିଁ । ଭାବୁଛି ବର୍ତ୍ତମାନ ଯିବି ।’’ କହିଲେ ମି: ଚୌଧୁରୀ ।

ବେଶ୍, ତେବେ ଆପଣ ସେଆଡ଼ୁ ଥରେ ବୁଲି ଆସନ୍ତୁ ତା’ ପରେ ଯାହା କରିବାକୁ ହେବ ସ୍ଥିର କରିବା ।’’

ମି : ରାୟଙ୍କଠାରୁ ବିଦାୟ ନେଇ କାର୍‍ରେ ଷ୍ଟାର୍ଟ ଦେଲେ ମି : ଚୌଧୁରୀ ଆଉ ଶରତ୍‍-

ପରିସ୍ଥିତି ଯେ ବଡ଼ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଆଖ ପାଖ ଅଞ୍ଚଳରେ, ସନ୍ଦେହ ନାହିଁ । କାରଣ ସୁକାନ୍ତବାବୁଙ୍କୁ ଭଲ ନ ପାଏ । ଏମିତି ଲୋକ ସେ ଖଣ୍ଡରେ ପ୍ରାୟ ନ ଥିଲେ । ତେଣୁ ତାଙ୍କର ହଠାତ୍ ଅନ୍ତର୍ଦ୍ଧାନଟା ଲୋକଙ୍କ ମନରେ ବିସ୍ମିୟ ଓ ଦୁଃଖ ସୃଷ୍ଟି କରିଥିଲା । ଯେଉଁଠାରେ କାର୍ ଖଣ୍ଡିକ ଥିଲା, ସେଠି ବହୁତ ଲୋକ ରୁଣ୍ଡହୋଇ ନାନା ମତ ପ୍ରକାଶ କରୁଥିଲେ ।

ରାଧାଶ୍ୟାମବାବୁ ସବୁଠାରୁ ଦେଶୀ ଦୁଃଖିତ । ସେ ଥରକୁ ଥର ରୁମାଲରେ ଆଖି ପୋଛୁଛନ୍ତି । ଏଣେ ରତ୍ନମଞ୍ଜରୀଙ୍କ ଅବସ୍ଥା କହିଲେ ନ ସରେ । ସୁକାନ୍ତବାବୁଙ୍କ ଅନ୍ତର୍ଦ୍ଧାନ କଥା ଶୁଣିଲା ବେଳୁ ସେ ଗୋଟିଏ ଘର ବନ୍ଦକରି ଭିତରେ ପଶିରହିଛନ୍ତି; ଆଉ ବାହାରି ନାହାନ୍ତି । ଖବର ପାଇ ଶଙ୍କରପ୍ରସାଦ ବି ଧାଇଁ ଆସିଛନ୍ତି । ସେ ବି ବିଚଳିତ; ଏଣେ ତେଣେ ଲୋକ ପଠାଇ ସୁକାନ୍ତବାବୁଙ୍କ ଖୋଜ ନେବାରେ ବ୍ୟସ୍ତ ।

ସେତିକିବେଳେ ଗୋଟାଏ କାର ଖୁବ୍ ବେଗରେ ଆସି ବ୍ରେକ୍‍ କଲା ସେଇଠି । ତା ଭିତରୁ ଓହ୍ଲାଇ ପଡ଼ିଲେ ଡିଟେକ୍ଟିଭ୍ ମି: ଚୌଧୁରୀ ଆଉ ତାଙ୍କର ସହକାରୀ ଶରତ୍ । ତାଙ୍କ ଓହ୍ଲାଇବା ସଙ୍ଗେ ସଙ୍ଗେ ଶଙ୍କରପ୍ରସାଦ ଆଉ ରାଧାଶ୍ୟାମବାବୁ ସେଠିକୁ ଧାଇଁ ଆସିଲେ । ରାଧାଶ୍ୟାମବାବୁ ବହୁତ ଟେକାଟେକି କଥା କହି ମି: ଚୌଧୁରୀଙ୍କ ମନକୁ କିଣି ନେବାକୁ ଚେଷ୍ଟା କରୁଥାନ୍ତି । ବେଳେ ବେଳେ ସୁକାନ୍ତବାବୁଙ୍କ କଥା କହି ଆଖିଦୁଇଟା ରୁମାଲରେ ପୋଛି ପକାଉଥାନ୍ତି ।

ମି: ଚୌଧୁରୀ ଘଟଣା ସ୍ଥଳରେ ସବୁ ତନ୍ନତନ୍ନ କରି ଅସୁସନ୍ଧାନ କଲେ ସୁଦ୍ଧା କିଛି ଚିହ୍ନ ବର୍ଣ୍ଣ ପାଇଲେ ନାହିଁ । ଆତତାୟୀ ଯେ ମହାକୌଶଳୀ ଏ କଥା ବୁଝିବାକୁ ତାଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିଲା ନାହିଁ । ଯାହା ହେଉ, ରାଧାଶ୍ୟାମବାବୁଙ୍କୁ ଘେନି ସେ ସୁକାନ୍ତବାବୁଙ୍କ ଘରକୁ ଚାଲି ଆସିଲେ । ରତ୍ନମଞ୍ଜରୀଙ୍କୁ କଥାଏ ଦୁଇକଥା ପଚାରି ବୁଝିବା ଦରକାର କିନା !

 

ରତ୍ନମଞ୍ଜରୀ ଦୁଃଖରେ ଏତେ ଦୂର ଭାଙ୍ଗି ପଡ଼ିଥିଲେ ଯେ, ତାଙ୍କର ଘରର କବାଟ ବି ସେପର୍ଯ୍ୟନ୍ତ ଖୋଲି ନ ଥିଲେ । ବହୁତ ଡକାଡ଼କି ପରେ ସେ କବାଟ ଖୋଲିଲେ । ରାଧାଶ୍ୟାମବାବୁ ତାଙ୍କୁ ସାଥିରେ ଧରି ବୈଠକଖାନା ପର୍ଯ୍ୟନ୍ତ ନେଇ ଆସିଲେ । ପ୍ରକୃତରେ ତାଙ୍କ ମୁହଁରେ ଦୁଃଖର ଚିହ୍ନ ଥିଲା କି ନାହିଁ, ଚତୁର ଲୋକ ପକ୍ଷରେ ବୁଝିବା କଷ୍ଟକର ନୁହେଁ । ମି: ଚୌଧୁରୀଙ୍କୁ ସେ ସୂଚନା ଜାଣିନେବାକୁ ବେଶୀ ବେଳ ଲାଗି ନ ଥିଲା ।

 

‘‘ସୁକାନ୍ତବାବୁଙ୍କର ଏପରି ଆକସ୍ମିତ ଅନ୍ତର୍ଦ୍ଧାନରେ ଆମେ ବଡ଼ ଦୁଃଖିତ, କଥାପି ମୁଁ ଏହାର କିଛି କିନାରା କରିବାକୁ ଅବଶ୍ୟ ଚେଷ୍ଟା କରିବି ।’’ ରତ୍ନମଞ୍ଜରୀଙ୍କ ଆଡ଼କୁ ଚାହିଁ ଭଦ୍ରତା ଖାତିରିରେ ଏତକ କହିଲେ ମି: ଚୌଧୁରୀ ।

 

‘‘ସେ ଆପଣଙ୍କ ଇଚ୍ଛା ।’’ ରତ୍ନମଞ୍ଜରୀ ଆଉ କଅଣ କହିଥାନ୍ତେ, କିନ୍ତୁ କୋହ ଉଠାଇବାରୁ ମୁହଁ ଢାଙ୍କି ପକାଇଲେ ।

 

‘‘ଆଚ୍ଛା, ରାଧାଶ୍ୟାମବାବୁ ! ସୁକାନ୍ତବାବୁ ସେଦିନ ରାତିରେ ବାହାରକୁ ଯାଇଥିଲେ କାହିଁକି ଆପଣ କହି ପାରିବେ ?’’ ପଚାରିଲେ ମି: ଚୌଧୁରୀ ।

 

ହଠାତ୍ ପ୍ରଶ୍ନରେ ରାଧାଶ୍ୟାମବାବୁ ଟିକେ ହରବରେଇ ଗଲେ । ତା’ପରେ ନିଜକୁ ସମ୍ଭାଳି ନେଇ କହିଲେ–‘‘ଗଲା କାଲି ରାତି ଗୋଟାଏ ହେବ; ଜଣେ ଲୋକ ଆସି ଆମ ସଦର ଦରଜାରେ ଠକ୍ ଠକ୍ କଲା । ମୁଁ ଚାହିଁଥିଲି । ଦରଜା ଖୋଲି ଦେଲି; ଦେଖିଲି ଚିଠି ଖଣ୍ଡିଏ ଘେନି ଜଣେ ଲୋକ । ସେ ମୋତେ କହିଲା–ଶଙ୍କରପ୍ରସାଦ ଚିଠି ଦେଇ ପଠାଇଛନ୍ତି, ବିଶେଷ ଜରୁରୀ । ମୁଁ ସୁକାନ୍ତବାବୁଙ୍କୁ ଉଠାଇ ସବୁ କଥା କହିଲି । ସେ ବାହାରକୁ ଆସି ଚିଠି ନେଲେ । ଆଉ ସଙ୍ଗେ ସଙ୍ଗେ ଗାଡ଼ି ଧରି ବାହାରକୁ ଚାଲିଗଲେ ।

 

‘‘ଚିଠିରେ କ’ଣ ଲେଖାଥିଲା, ଆପଣ ଜାଣନ୍ତି ?’’ ଗମ୍ଭୀର ହୋଇ ପଚାରିଲେ ମି: ଚୌଧୁରୀ ।

 

‘‘ନାଁ, ତା ମୁଁ କହିପାରିବି ନାହିଁ ।’’ କହିଲେ ରାଧାଶ୍ୟାମବାବୁ ।

 

‘‘ଯେଉଁ ଲୋକ ଚିଠି ନେଇ ଆସିଥିଲା, ସେ କୁଆଡ଼େ ଗଲା ?’’ ପୁଣି ଓଲଟାଇ ପଚାରିଲେ ମି: ଚୌଧୁରୀ ।

 

‘‘ସେ ଆମ ସଦର ବାରଣ୍ଡାରେ ଶୋଇଥିଲା, କୁଆଡ଼େ ଗଲା ମୁଁ ଜାଣେ ନାହିଁ ।’’ ଉତ୍ତର ଦେଲେ ରାଧାଶ୍ୟାମବାବୁ ।

 

‘‘ଆପଣ ତାକୁ ଚିହ୍ନନ୍ତି କି ?’’ ପୁଣି ପଚାରିଲେ ମି: ଚୌଧୁରୀ ।

 

‘‘ନାଁ, ମୁଁ ସେ ଲୋକକୁ ଆଗରୁ କେବେ ଦେଖିନାହିଁ ।’’ କହିଲେ ରାଧାଶ୍ୟାମବାବୁ ।

 

‘‘ଆଚ୍ଛା, ରାଧାଶ୍ୟାମବାବୁ ! ସୁକାନ୍ତବାବୁଙ୍କର କେହି ଶତ୍ରୁଥିବା କଥା ଆପଣ ଜାଣନ୍ତି କି-?’’ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ପଚାରିଲେ ମି: ଚୌଧୁରୀ ।

 

ଏ ପ୍ରଶ୍ନର ଉତ୍ତର କଅଣ ଦେବେ, କିଛି ଠିକ୍ କରି ପାରିଲେ ନାହିଁ ହଠାତ୍ ରାଧାଶ୍ୟାମବାବୁ । କେତେବେଳ ପରେ ଗୁଁ ପୁଁ ହୋଇ କହିଲେ–‘‘ନାଁ, ତାଙ୍କର କେହି ଶତ୍ରୁ ନ ଥିଲେ, ଅବଶ୍ୟ ମୁଁ ଯେତେଦୂର ଜାଣେ । ତେବେ ମୋ ଜାଣିବାରେ ଶଙ୍କରପ୍ରସାଦଙ୍କ ସହିତ ତାଙ୍କର ଆଗରୁ ଭଲ ପଡ଼ୁ ନଥିଲା ।’’

 

‘ଶଙ୍କରପ୍ରସାଦ ?’ ପ୍ରଶ୍ନ ପଚାରିବା ଦୃଷ୍ଟିରେ ଚାହିଁଲେ ରାଧାଶ୍ୟାବାବୁଙ୍କୁ ।

 

‘‘ସେ ତାଙ୍କର ଆଗ ସ୍ତ୍ରୀର ଭାଇ । ଆମେ ତାଙ୍କୁ ଘଟଣା ସ୍ଥଳରେ ଦେଖିଲେନି ? ମୋଟାସୋଟା ଲୋକ । ଦେହର ରଙ୍ଗ ଗୋରା । ଚକାମୁହଁ, ବାଘୁଆ ନିଶ..... ।’’

 

‘‘ଠିକ୍ ଠିକ୍, ଜାଣିନେଲି । ସେ ତେବେ ଶଙ୍କରପ୍ରସାଦ ?’’ ମୁଣ୍ଡ ହଲାଉ ହଲାଉ କହିଲେ ମି: ଚୌଧୁରୀ । ‘‘ତେବେ ଅପଡ଼ ହେବାର କାରଣ କ’ଣ ?’’

 

‘‘ତା ଅବଶ୍ୟ ମୁଁ କହିପାରିବି ନାହିଁ, ତେବେ ସେଟା ଅନେକ ଦିନରୁ । ରତ୍ନମଞ୍ଜରୀ ଅବା କହିପାରନ୍ତି ।’’ କହିଲେ ରାଧାଶ୍ୟାମବାବୁ ।

 

ମି: ଚୌଧୁରୀ ଚାହିଁଲେ ରତ୍ନମଞ୍ଜରୀଙ୍କ ଆଡ଼କୁ । ରତ୍ନମଞ୍ଜରୀ ବଡ଼ ଇତସ୍ତତ ହୋଇ ପଡ଼ିଲେ ଏଥିରେ । ସହସା କଅଣ ଉତ୍ତର ଦେବେ କିଛି ଭାବି ପାରିଲେ ନାହିଁ । ଖାଲି କହି ପକାଇଲେ ମୁଁ ସେ କଥା ବେଶୀ କିଛି ଜାଣେନା । ତେବେ ତାଙ୍କର ଆଗ ସ୍ତ୍ରୀ ମଲାବେଳୁ ମନାନ୍ତର ଅଛି । ଶଙ୍କରପ୍ରସାଦ ବି ପୁଅକୁ ନେଇ ଏକରକମ ଜବରଦସ୍ତ ରଖିଛନ୍ତି । ଯେତେ ହେଲେ ବି ପଠାଉ ନାହାନ୍ତି । ମୁଁ ଏତିକି ଜାଣେ ।’’

 

‘‘ଆଚ୍ଛା ଆଚ୍ଛା, ଆମେ ତେବେ ଆସୁଛୁ । ପୁଣି ଦରକାର ହେଲେ ଆପଣମାନଙ୍କୁ ବ୍ୟସ୍ତ କରିବାକୁ ଆସିପାରୁ ।’’

 

ରାଧାଶ୍ୟାମ ଖଣ୍ଡେ ବାଟଯାଏ ବଳାଇଦେଇ ଗଲେ ।

 

–ସାତ–

 

‘‘ଆପଣ ତେବେ ନିରାଶ ହୋଇ ଫେରିଲେ ନାଁ ?’’ ଗମ୍ଭୀର ହୋଇ ପଚାରିଲେ ଏସ୍. ପି. ମି: ରାୟ ।

 

‘‘ହଁ, ଆଉ କିଛି ଉପାୟ ନଥିଲା ଦେଖିଲି । କାହାରିଠାରୁ କିଛି ସାହାଯ୍ୟ ପାଇଲା ଭଳି ଉତ୍ତରମିଳିବା ଆଶା ବୃଥା । ତେଣୁ ସମୟ ନଷ୍ଟ ନ କରି ଫେରିଲି । ତଥାପି ଆଶା ଅଛି; ଶଙ୍କରପ୍ରସାଦଙ୍କଠାରୁ କିଛି ଖବର ମିଳିପାରେ ।’’ କହିଲେ ମି: ଚୌଧୁରୀ ।

 

‘‘ତେବେ ଶଙ୍କରପ୍ରସାଦଙ୍କୁ ଡକାନ୍ତୁ ।’’

 

‘‘ଡକାଇବା ଠିକ୍ ହେବନାହିଁ । ଭାବୁଛି ନିଜେ ଯିବି । କିନ୍ତୁ ଦିନେ ଦୁଇ ଦିନ ପରେ ।’’ କହିଲେ ମି: ଚୌଧୁରୀ ।

 

‘କାରଣ ?’ ଭ୍ରୂଲତା ଟେକି କହିଲେ ଏସ୍. ପି. ମି: ରାୟ ।

 

‘‘ଦସ୍ୟୁ ସୁକାନ୍ତବାବୁଙ୍କୁ ହରଣଚାଳ କଲାପରେ ଆଉ କ’ଣ କରିବ, ସେଇଟାର କିଛି ଆଭାସ ପାଇଲେ ଆମର ଅନୁସନ୍ଧାନରେ ଅନେକ ସାହାଯ୍ୟ ମିଳିବ । ସେହି ସମୟରେ ଶଙ୍କରପ୍ରସାଦଙ୍କ ପାଖକୁ ଗଲେ ହୁଏତ ଆଉ କିଛି ଅଧିକ ଖବର ମିଳିପାରେ ।’’ କହିଲେ ମି: ଚୌଧୁରୀ ।

 

‘‘ବେଶ୍ ! ତେବେ ଆପଣ ଲାଗି ପଡ଼ନ୍ତୁ । ଆପଣ ଯେ ବିଜୟଲାଭ କରିବେ, ଏଥିରେ ମୁଁ ନିଶ୍ଚିତ ।’’ କହିଲେ ମି: ରାୟ ।

 

‘‘ମୁଁ ତ ପ୍ରାଣପଣେ ଚେଷ୍ଟା କରୁଛି, ଦେଖାଯାଉ ।’’ ହସୁ ହସୁ କହିଲେ ମି: ଚୌଧୁରୀ ।

 

ଭୂତକୋଠିର ଗୋଟିଏ ଛୋଟ ଅପରିଷ୍କାର କୋଠରୀ ଭିତରେ, ଦୁଇ ଆଣ୍ଠୁ ମଝିରେ ମୁଣ୍ଡ ରଖି ବସି ଭାବୁଥିଲେ ସୁକାନ୍ତ ଛୋଟରାୟ ଆପଣା ଭାଗ୍ୟ କଥା । ‘କେଡ଼େ ସାଙ୍ଘାତିକ ଲୋକ ଏ ରାଧାଶ୍ୟାମ ଆଉ ରତ୍ନମଞ୍ଜରୀ ବି । ସାମାନ୍ୟ ଧନ; ଏଥିପାଇଁ ତାଙ୍କୁ କି ବିପର୍ଯ୍ୟୟରେ ନ ପକାଇଲେ ସେମାନେ । ଓଃ ! ଥରେ ଯଦି ସାମନାରେ ପଡ଼ନ୍ତେ ।’ ତାଙ୍କର ଦୁଇହାତ ମୁଠା ହୋଇ ଆସୁଥିଲା । ମାତ୍ର ପର ମୁହୂର୍ତ୍ତରେ ସେ ଉତ୍ତେଜନା ଶିଥିଳ ହୋଇ ଆସିଲା–ସେ ବନ୍ଦୀ ! ତାଙ୍କ ଆଗରେ ବର୍ତ୍ତମାନ ଦୁଇଟି ରାସ୍ତା । ଗୋଟିଏ–ଗୁପ୍ତ ଗନ୍ତାଘରକୁ ବାଟ ବତାଇଦେବା ବା, ଆଉ ଗୋଟିଏ–ନିଶ୍ଚିତ ମୃତ୍ୟୁ । ନା ନା, ଯାହାହେଉ ପଛେ, ପ୍ରାଣର ସୁବ୍ରତକୁ ସେ ସଂସାରରେ ନିଃସ୍ୱ କରିଯିବେ ନାହିଁ । ଗୁପ୍ତ ଗନ୍ତାଘରର ଅକଳନ ଧନ ତା’ରି । ସେ ରହୁ, ବରଂ ମୃତ୍ୟୁ ଆସୁ । ଯେତେ ଭୟାବହ ହେଉ ପଛେ ସେ, ତାକୁ ସ୍ୱଗତ ଜଣାଇବାକୁ ସୁକାନ୍ତ ଛୋଟରାୟ ପ୍ରସ୍ତୁତ । ଦୃଢ଼ତାରେ ଆଖି ଦୁଇଟି ପ୍ରସାରିତ ହୋଇ ପଡ଼ିଥିଲା ତାଙ୍କର ଏ ସବୁ କଥା ଭାବୁ ଭାବୁ ।

 

ସେତେବେଳଟା ଦିନ କି ରାତି ଜାଣିବାର ଉପାୟ ନ ଥିଲା ସୁକାନ୍ତବାବୁଙ୍କର । ଜମାଟ ଅନ୍ଧାର ଭରି ରହିଥିଲା କୋଠରୀଟା ସାରା । ସନ୍ତସନ୍ତିଆ, ଦୁର୍ଗନ୍ଧ ଚଟାଣଟା ନିତାନ୍ତ କଦର୍ଯ୍ୟ ହୋଇ ପଡ଼ିଥିଲେ ବି ସୁକାନ୍ତବାବୁଙ୍କୁ ବାଧ୍ୟ ହୋଇ ବସିବାକୁ ପଡ଼ିଥିଲା ସେଇଠି । ସେଇ ଘମାଘୋଟ ଅନ୍ଧକାର ଭିତରେ ନିଜ ଭାବନାରୁ ଅଡ଼ୁଆ ଖିଅକୁ ଯୋଡ଼ିବାରେ ଲାଗିଥିଲେ ସେ ।

 

ହଠାତ୍ ଧଡ଼କରି ମେଲା ହୋଇଗଲା ସେ କୋଠରୀର କଟାଟଟାଏ ଖୋଲା ଦରଜା ଦେଇ ସାମାନ୍ୟ ଟିକିଏ ଆଲୋକ ସେ ଘରେ ବିଛିଡ଼ି ପଡ଼ିଲା ଯାହା । ସଙ୍ଗେ ସଙ୍ଗେ ଯୋତା ମଚ୍ ମଚ୍ କରି ଭିତରକୁ ଧୀରେ ଧୀରେ ପଶି ଆସିଲା ଦସ୍ୟୁ ସର୍ଦ୍ଦାର । ସର୍ଦ୍ଦାର ଗାଢ଼ କଳା ପୋଷାକରେ ଆବୃତ । ତା’ ପଛକୁ ଆଉ ଜଣେ ବଳିଷ୍ଠ ଲୋକ । ସର୍ଦ୍ଦାରର ଦେହରକ୍ଷୀ; କୁତ୍ସିତ, କଦାକାର ଲୋକଟା । ଦେଖିଲେ ଯେ କେହି ଭୟ ଓ ଘୃଣାରେ ମୁହଁ ବୁଲାଇବ ନିଶ୍ଚୟ । ଏମାନଙ୍କୁ ଦେଖି ସୁକାନ୍ତବାବୁ କ୍ରୋଧ ଆଉ ଘୃଣାରେ ମୁହଁ ବୁଲାଇ ନେଲେ ।

 

‘‘ସୁକାନ୍ତ ଛୋଟରାୟ ! ଚତୁରତାରେ ବଳିଯାଇ ମରଣ ମୁହଁରେ ଠିଆ ହୋଇଛୁ ଆଜି ତୁ-। ଗୁପ୍ତ ଗନ୍ତାଘରର ନକଲି ନକ୍ସା ଦେଖାଇ ରତ୍ନମଞ୍ଜରୀକୁ ଫାଙ୍କି ଦେଇ ପାରୁ, କିନ୍ତୁ ଦସ୍ୟୁ ଗୁଲାବ ସିଂହକୁ ନୁହେଁ । ଏକ୍ଷଣି କହ, ସେ ଅସଲ ନକ୍ସା କେଉଁଠି ?’’ ଗମ୍ଭୀର କଣ୍ଠରେ କହୁଥିଲା ଦସ୍ୟୁ ସର୍ଦ୍ଦାର ଗୁଲାବ ସିଂ ।

 

‘‘କି ନକ୍ସା । କି ଗନ୍ତାଘର ? ମୁଁ ସେ ସବୁ କିଛି ଜାଣେନାହିଁ ।’’ ଘୃଣାରେ ମୁଖ ବିକୃତ କରି କହୁଥିଲେ ସୁକାନ୍ତ ଛୋଟରାୟ । ‘‘କାଳର ମୁଠାଭିତରେ ପଡ଼ି ତାକୁ ଆଉ ଫାଙ୍କିଦେବାକୁ ଚେଷ୍ଟା କରନାହିଁ ଛୋଟରାୟ ! ଯେତେ ଦିନ ଫାଙ୍କିଥିଲୁ, ତୋ ପକ୍ଷେ ସେତକ ଖୁବ୍ ବେଶୀ ହୋଇଛି । ତୋତେ ଶୀଘ୍ର କିଛି ଗୋଟାଏ ଫଏସଲା କରି ଦେବାକୁ ହେବ । ହୁଏତ ଗନ୍ତାଘର ସନ୍ଧାନ; ନଚେତ୍ ମୃତ୍ୟୁ । ସେ ପୁଣି ଆରାମ ଦାୟକ ନୁହେଁ, ଅତି ଭୟାବହ । ମନୁଷ୍ୟ ମାଂସ ଭୋଜୀ ଇଗଲ ମୁଖରେ ।’’ କହି ସାରିବା ସଙ୍ଗେ ସଙ୍ଗେ ବିକଟ ଶବ୍ଦରେ ହସି ଉଠିଲେ ଗୁଲାବ ସିଂ-। ‘‘ଇଗଲ ମୁଖରେ–ଇସ୍‍ !’’ ଚମକି ପଡ଼ିଲେ ସୁକାନ୍ତବାବୁ । ମନେ ମନେ ସେ ଏକ ଭୀଷଣ ମୃତ୍ୟୁର କଳ୍ପନା କରି ଯାଉଥିଲେ । ‘‘କି ସୟତାନ ଏ ଦସ୍ୟୁଟା ! ଓଃ ! ରତ୍ନମଞ୍ଜରୀ ! କି ସର୍ବନାଶ କଲୁ ତୁ ମୋର !’’ ଚିତ୍କାର କରି କହି ଉଠିଲେ ସୁକାନ୍ତବାବୁ । ପୁଣିଥରେ ‘ହାଃ ହାଃ’ ହୋଇ ହସି ଉଠିଲା ଗୁଲାବ ସିଂ ! ‘‘ଏକା ତୋରି ସର୍ବନାଶ କରିନାହିଁ ରତ୍ନମଞ୍ଜରୀ, ତା ସହିତ ତା ନିଜର ବି । ତାକୁ ବି ତୋରି ପନ୍ଥା ନେବାକୁ ପଡ଼ିବ ଦିନେ । ଗୁଲାବ ସିଂ ହାତରୁ କାହାରି ନିସ୍ତାରନାହିଁ । ଏବେ ବି ସମୟ ଅଛି; ଭାବି ଦେଖ, ବଞ୍ଚିବା ଆଉ ମରିବା, କେଉଁଟି ଚାହୁଁ ?’’

 

କ୍ରୋଧରେ ଅଜ୍ଞାନ ହୋଇ ଗଲେଣି ସେତେବେଳକୁ ସୁକାନ୍ତବାବୁ । ରାଗରେ ଦାନ୍ତ କଡ଼୍ ମଡ଼୍ କରି ସେ କହିଲେ–‘‘କୁକୁର ! ତୋ ପରି ନୀଚ ହାତରେ ଗୁପ୍ତଗନ୍ତାଘରର ଚାବି ନପଡ଼ିବାହିଁ ଉଚିତ । ବରଂ ମୁଁ ମୃତ୍ୟୁ ଚାହେଁ... ଖୁବ୍ ଶୀଘ୍ର ।’’ ଗୋଟାଏ ପୈଶାଚିକ ହସରେ ଘର କମ୍ପାଇ ଦେଇ ଗୁଲାବ ସିଂ ଇଙ୍ଗିତ କଲା ପାଖରେ ଥିବା ଲୋକଟାକୁ ।

 

କୁତ୍ସିତ, ଭୀମକାୟ ଲୋକଟା ଧୀରେ ଧୀରେ ସୁକାନ୍ତବାବୁଙ୍କ ଆଡ଼କୁ ଆଗେଇ ଯାଉଥିଲା; ହାତରେ ତା’ର ଗୋଟାଏ କୋରଡ଼ା । ତା’ପରେ ସପା, ସପ୍ ଶବ୍ଦ, ମଝିରେ ମଝିରେ ବିକଟ ହସର ଶବ୍ଦ, ତାରି ଭିତରେ ସୁକାନ୍ତବାବୁଙ୍କର ଆର୍ତ୍ତ-କରୁଣ ଚିତ୍କାର ବୁଡ଼ିଯାଉଥାଏ । କେତେବେଳ ପରେ ସବୁ ଚୁପ୍ ହୋଇଗଲା । ସୁକାନ୍ତବାବୁଙ୍କର ଠିଆହେବାର ଶକ୍ତି ନ ଥାଏ । ସେ ତଳେ ପଡ଼ି ଖାଲି ଧକେଇ ହେଉ ଥାଆନ୍ତି । ଦେହର କେତେକ ଯାଗା ଫାଟି ଝର ଝର ହୋଇ ରକ୍ତ ବହିଯାଉଥାଏ । କଥା କହି ପାରିବାର ଶକ୍ତି ଲୋକ ପାଇଥାଏ ତାଙ୍କର ।

 

‘‘ଇୟେ ସୂଚନା ମାତ୍ର ଛୋଟରାୟ ! ସହସା ମୃତ୍ୟୁ ଦେବା ଗୁଲାବ ସିଂର ଧର୍ମ ନୁହେଁ । ତିଳ ତିଳ କରି ମାରିବାକୁ ମୋତେ ଭାରି ଭଲ ଲାଗେ । ଏବେ କ’ଣ କରିବୁ ବସି ଭାବୁଥା, ଆଉ ଆରାମ କର; ଫେର ଦେଖା ହେବ ।’’ କଠୋର କଣ୍ଠରେ ଏତକ କହି ଯୋତା ମଚ୍ ମଚ୍ କରି ଚାଲିଗଲା ଗୁଲାବ ସିଂ ।

 

ତା’ ପଛେ ପଛେ ଭୀମକାୟ ଲୋକଟି ମଧ୍ୟ ଯାଉଥିଲା ସୁକାନ୍ତବାବୁଙ୍କ ଉପରେ ତୀବ୍ର ଦୃଷ୍ଟିଟାଏ ପକାଇ । ସୁକାନ୍ତବାବୁ ବଡ଼ କାତର ଭାବରେ ଚିତ୍କାର କରି ଉଠିଲେ ‘ପାଣି ! ପାଣି !’

 

ଦ୍ୱାର ପାଖରୁ ପୈଶାଚିକ ହସଟା ପୁଣି ଥରେ ଭାସି ଆସିଲା । ତା’ ସଙ୍ଗେ ସଙ୍ଗେ କବାଟଟା ଧଡ଼୍ କରି ବନ୍ଦ ହେବାର ଶବ୍ଦ; ଚେତନା ଲୋପ ହୋଇ ଆସୁଥିଲା ସୁକାନ୍ତ ବାବୁଙ୍କର, ଧୀରେ ଧୀରେ ।

 

–ଆଠ–

 

ମି: ଚୌଧୁରୀଙ୍କ ଚିଠି ପାଇବା ମାତ୍ରେ ସାକ୍ଷାତ କରିବାପାଇଁ ବାହାରି ପଡ଼ିଲେ ଶଙ୍କରପ୍ରସାଦ । ମି: ଚୌଧୁରୀଙ୍କ ସହିତ ତାଙ୍କର ପରିଚୟ ବହୁ ପୂର୍ବରୁ । ଦୁହେଁ ଏକ ସମୟରେ କଲେଜରେ ପଢ଼ୁଥିଲେ । ଉଭୟଙ୍କର ଘନିଷ୍ଠତା ଥିଲା ମଧ୍ୟ । କଲେକ ଜୀବନ ଶେଷ ହେବା ପରେ କିଏ କେଉଁ ଆଡ଼େ କର୍ତ୍ତବ୍ୟ ଅନୁରୋଧରେ ଗଲେ, ତାର ଠିକଣା ନାହିଁ । ମି: ଚୌଧୁରୀ ଏବେ କେତେ ମାସ ହେଲା କୌଣସି ଅନୁସନ୍ଧାନ କାମ ନେଇ ଏ ଅଞ୍ଚଳକୁ ଆସିଛନ୍ତି । ଶଙ୍କର ପ୍ରସାଦ ସେ ବିଷୟ ଅବଶ୍ୟ ଜାଣନ୍ତି । ତଥାପି ସେ ତାଙ୍କୁ ସାକ୍ଷାତ କରି ପାରି ନାହାନ୍ତି । ଆଜି ଆକସ୍ମିକ ନିମନ୍ତ୍ରଣରେ ବ୍ୟତିବ୍ୟସ୍ତ ହୋଇ ନିଜ କାର୍ ଖଣ୍ଡିକ ଧରି ବାହାରି ପଡ଼ିଲେ ସେ ।

 

ମି: ଚୌଧୁରୀ ନିଜ ବାସ ଭବନରେ ଅପେକ୍ଷା କରିଥିଲେ ତାଙ୍କୁ । ବାହାରେ କାର୍‍ର ହର୍ଣ୍ଣ ଶୁଣିବାକ୍ଷଣି ଧାଇଁ ଯାଇଁ ଶଙ୍କରପ୍ରସାଦଙ୍କୁ ପାଛୋଟି ଆଣିଲେ । ସୁସଜ୍ଜିତ ବୈଠକଖାନାରେ ବସି ଏଣୁ ତେଣୁ କଥାବାର୍ତ୍ତା ହେଉ ହେଉ ମି: ଚୌଧୁରୀ ପଚାରିଲେ–‘‘ଆଚ୍ଛା, ଶଙ୍କରପ୍ରସାଦ ! ମୁଁ ତୁମକୁ ଯେଉଁ କଥାପାଇଁ ଡାକିଥିଲି, ସେ କଥା କିଛି କହିନାହିଁ । ହଁ, ଏଇ ଯେ ସୁକାନ୍ତ ଛୋଟରାୟଙ୍କ ଅନ୍ତର୍ଦ୍ଧାନ, ସେ ବିଷୟରେ ତୁମର ମତ କ’ଣ ?’’

 

‘‘ମୋର ପୁଣି ଗୋଟାଏ ମତ କ’ଣ ? ସେ ତାଙ୍କ ନିଜ ଦୋଷରୁ.....’’ କହିଲେ ଶଙ୍କରପ୍ରସାଦ ।

 

‘‘ସେଟା ପୁଣି କିମିତିକା ?’’ ଉତ୍ସୁକ ହୋଇ ପଚାରିଲେ ମି: ଚୌଧୁରୀ ।

 

ଆପଣାକୁ ଥରେ ସଜାଡ଼ି ନେଉ ନେଉ କହିଲେ ଶଙ୍କରପ୍ରସାଦ- ‘‘ସେ ବହୁତ କଥା । ତେବେ ତୁମକୁ ଠିକେ ଠିକେ କହୁଛି । ପ୍ରାୟ ମାସକ ତଳେ ସୁକାନ୍ତବାବୁ ତାଙ୍କ ଜମିଦାରୀରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇ ମେଲ୍ ଟ୍ରେନ୍‍ ଫେରୁଥିଲେ । ବାଟରେ ସେ ଟଙ୍କା ତାଙ୍କର ଡକାୟତି ହୋଇ ଯାଇଥିଲା । ସେଇ ଘଟଣାଟି ତାଙ୍କର ଶଳା ରାଧାଶ୍ୟାମବାବୁଙ୍କ ଯୋଗାଡ଼ରେ ହୋଇଥିଲା ବୋଲି ତାଙ୍କର ବିଶ୍ୱାସ । ଏ କଥା ମଧ୍ୟ ସେ ଥରେ ମୋତେ କହୁଥିଲେ ।’’

 

‘‘ଆଚ୍ଛା, ସେ ବିଷୟ କ’ଣ ପୋଲିସରେ ଖବର ଦିଆଯାଇ ନ ଥିଲା ?’’ ପଚାରିଲେ ମି: ଚୌଧୁରୀ ।

 

‘‘ନାଁ; ଅବଶ୍ୟ ସୁକାନ୍ତବାବୁଙ୍କର ଇଚ୍ଛା ଥିଲା ପୋଲିସକୁ ଜଣାଇବାକୁ । କିନ୍ତୁ ଏଥିରେ ବାଧା ଦେଇଥିଲେ ରାଧାଶ୍ୟାମ । ପରେ ସୁକାନ୍ତବାବୁ ରାଧାଶ୍ୟାମ ଲିପ୍ତ ଥିବା କତା ଜାଣି, ସେ କାହିଁକି ବାଧା ଦେଉଥିଲେ ବୁଝିପାରିଲେ ।’’

 

‘‘ସୁକାନ୍ତବାବୁଙ୍କ ସ୍ତ୍ରୀ...... ?’’

 

‘‘ଓ, ରତ୍ନମଞ୍ଜରୀ ? ସେ ତ ପୂରାପୂରି ପୋର୍ଟ କରିବା ଲୋକ ରାଧାଶ୍ୟାମର । ସେଇଆଡ଼ୁ ସାହସ ପାଇ ଆଜି ରାଧାଶ୍ୟାମ ଏଡ଼େ କଥାଟାଏ କରି ପାରିଛି ବୋଲି ମୋର ଧାରଣା-।’’ କଥାଟା ଛଡ଼ାଇ ନେଇ କହିଲେ ଶଙ୍କରପ୍ରସାଦ ।

 

‘‘ଆଚ୍ଛା, ତାଙ୍କ ପୁଅଟି ତୁମ ପାଖରେ କାହିଁକି ?’’ ପଚାରିଲେ ମି: ଚୌଧୁରୀ ।

 

‘‘ସେ ବି ଗୋଟାଏ ଇତିହାସ । ଏ ପୁଅଟି ମୋର ଭଉଣୀ କନକପ୍ରଭା, ଅର୍ଥାତ୍ ସୁକାନ୍ତବାବୁଙ୍କର ଆଗ ସ୍ତ୍ରୀର ପୁଅ । କନକପ୍ରଭାର ମୃତ୍ୟୁ ପରେ ସୁକାନ୍ତବାବୁଙ୍କର ପ୍ରଧାନ ଚିନ୍ତାର ବିଷୟ ହେଲା ସୁବ୍ରତକୁ ବଞ୍ଚାଇ ରଖିବା । କେବଳ ତା’ରି ପାଇଁ ସେ ଦ୍ୱିତୀୟବାର ବିବାହ କଲେ । କିନ୍ତୁ ଉଦ୍ଦେଶ୍ୟ ସଫଳ ହେଲାନାହିଁ । ରତ୍ନମଞ୍ଜରୀ ସୁବ୍ରତର ଯତ୍ନ ନେବା ପରିବର୍ତ୍ତେ ବରଂ ଦିନକୁଦିନ ଅତ୍ୟାଚାରର ମାତ୍ରା ବଢ଼ାଇ ଦେଲେ । ସୁକାନ୍ତବାବୁ ଶେଷକୁ ଉପାୟ ନ ଦେଖି ତାକୁ ମୋ ପାଖରେ ଆଣି ଛାଡ଼ି ଦେଇଛନ୍ତି । ଏଥିରେ ରତ୍ନମଞ୍ଜରୀ ବରଂ ଖୁସି । ସେ ଦିନେ ହେଲେ ସୁବ୍ରତକୁ ଡକାଇ ନାହାନ୍ତି କି ଦେଖିବାବୁ ଇଚ୍ଛା କରି ନାହାନ୍ତି । ସୁକାନ୍ତବାବୁ କେବଳ ମାସରେ ଦୁଇ ଚାରିଥର ଆସି ପୁଅକୁ ଦେଖିଯାନ୍ତି ।’’ ଏତକ ଏକା ନିଶ୍ୱସକେ କହି ପକାଇଲେ ଶଙ୍କରପ୍ରସାଦ ।

 

‘‘ବେଶ୍ ! ସୁବ୍ରତ ପାଖରୁ ହଟିଯିବା ଦ୍ୱାରା ରତ୍ନମଞ୍ଜରୀ ଖୁସି । ରାଧାଶ୍ୟାମ ଲକ୍ଷେ ଟଙ୍କା ପାଇ ଖୁସି ହୋଇଥିବ ନିଶ୍ଚୟ । ତେବେ ସୁକାନ୍ତବାବୁଙ୍କୁ ପୁଣି ହରଣଚାଲ କରି ନେବାର କାରଣ କ’ଣ ? ଆଉ କିଛି ରହସ୍ୟ ଅଛି ତେବେ । ତୁମେ ଜାଣ କି ?’’ କଥାଟାକୁ ଭାବି ଚିନ୍ତି ଧୀର ଭାବରେ ପଚାରିଲେ ମି: ଚୌଧୁରୀ ।

 

ହଠାତ୍ ଏମିତି ଗୋଟାଏ ପରିସ୍ଥିତିରେ କଥାଟା ହାବୁଡ଼ିଯିବ ବୋଲି ଶଙ୍କରପ୍ରସାଦ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଏଥିରେ କି ଉତ୍ତର ଦେବେ ସେ ସହସା କିଛି ସ୍ଥିରକରି ପାରିଲେ ନାହିଁ ।

 

ସୁଚତୁର ଗୋଏନ୍ଦା ମି: ଚୌଧୁରୀଙ୍କୁ ଶଙ୍କରପ୍ରସାଦଙ୍କ ମନୋଭାବ ଠଉରାଇ ନେବାକୁ କଷ୍ଟ ଲାଗିଲା ନାହିଁ । ସେ ଚଟ୍ କରି କହି ପକାଇଲେ–‘‘କୌଣସି ପ୍ରକାର ଭୟ ବା କ୍ଷତିର ଆଶଙ୍କା କରି ନାହିଁ ବନ୍ଧୁ ! ଏଥିରେ ବରଂ ତୁମର ମଙ୍ଗଳ । କିଛି ଗୋଟାଏ କିନାରା ନ ପାଇଲେ ଆମେ ଆଗେଇବୁ କିମିତି ? ଆଜି ସୁକାନ୍ତବାବୁଙ୍କ ଅନ୍ତର୍ଦ୍ଧାନ, କାଲି ହୁଏତ ତୁମ ପାଳି ପଡ଼ିବା ବିଚିତ୍ର ନୁହେଁ-। ରହସ୍ୟଟା କଅଣ ଥରେ ଶୁଣାଅ ?’’

 

ଶଙ୍କରପ୍ରସାଦ ବଡ଼ ଅପଦସ୍ତ ଆଉ ଲଜ୍ଜିତ ହୋଇ ପଡ଼ିଲେ ଏଥିରେ । ଆଉ କିଛି ଲୁଚାଇ ରଖିବାକୁ ଉପାୟ ନ ଥିଲା ତାଙ୍କର । ସେ ଥରେ ଚାରିଆଡ଼କୁ ଭଲ ଭାବରେ ଚାହିଁ ନେଇ ଚୁପ୍ ଚୁପ୍ କହିବାକୁ ଆରମ୍ଭ କଲେ–‘‘ଅସଲ ରହସ୍ୟ ହେଉଛି, ଛୋଟରାୟ ବଂଶର ଗୁପ୍ତ ଗନ୍ତାଘର-। ସେଇଟା କେଉଁଠି ତାହା କେହି ଜାଣନ୍ତି ନାହିଁ । କେବଳ ଗୋଟିଏ ନକ୍ସାରେ ତାହାର ସୂଚନା ରହିଛି । ସେତକ ହାସଲ କରିବାପାଇଁ ଏମାନଙ୍କର ଏ ଚେଷ୍ଟା ବୋଲି ମୋର ଅନୁମାନ । ଏ ସମ୍ପର୍କରେ ଥରେ ରାଧାଶ୍ୟାମ ଆଉ ରତ୍ନମଞ୍ଜରୀ ଗୋପନରେ କ’ଣ ପରାମର୍ଶ କରୁଥିଲେ । ସେ କଥା ଜାଣିପାରି ସୁକାନ୍ତବାବୁ ଅସଲ ନକ୍ସାଟିକୁ ମୋ ଜିମାରେ ଦେଇ ନକଲଟି ଘରେ ରଖିଥିଲେ । ପରେ ଦିନେ ରତ୍ନମଞ୍ଜରୀ ଗୁପ୍ତ ଗନ୍ତାଘରର ନକ୍ସା ଦେଖିବାକୁ ଜିଦ୍ ଧରିବାରୁ ସୁକାନ୍ତବାବୁ ତାଙ୍କୁ ସେଇଟି ଦେଖାଇଥିଲେ । ଏହି ଘଟଣାର କେତେଦିନ ପରେ ସେଖଣ୍ଡି ଟ୍ରେଜେରୀ ଭିତରୁ ଚୋରି ହୋଇଥିଲା । ତା’ ପରେ ପରେ ସୁକାନ୍ତବାବୁଙ୍କ ଅନ୍ତର୍ଦ୍ଧାନ ।’’

 

‘‘ନକ୍ସା ଖଣ୍ଡି ଜାଲ ବୋଲି ଦସ୍ୟୁ ଜାରିପାରିଛି ବୋଧେ । ନ ହେଲେ ସୁକାନ୍ତବାବୁଙ୍କ ହରଣଚାଲ କରନ୍ତା କାହିଁକି ?’’ ଗମ୍ଭୀର ସ୍ୱରରେ କହିଲେ ମି: ଚୌଧୁରୀ ।

 

‘‘ତେବେ ତାଙ୍କ ଉପରେ ଭଲ ବ୍ୟବହାର ତ କେବେ କରାହେଉ ନଥିବ ?’’ ବଡ଼ ଶଙ୍କିତ ହୋଇ ପଚାରିଲେ ଶଙ୍କରପ୍ରସାଦ ।

 

‘‘ତୁମର ଅନୁମାନ ଠିକ୍ । ତେବେ ପ୍ରାଣ ହାନିର ଆଶଙ୍କା ନାହିଁ, ତୁମେ ମଧ୍ୟ ସାବଧାନ ରହ । ତୁମ ସହିତ ସୁବ୍ରତ ବି । ମୁଁ ଯାହା ଦେଖୁଛି, ଷଡ଼ଯନ୍ତ୍ର ସାମାନ୍ୟ ନୁହେଁ । ଅତି ସାଂଘାତିକ ।’’ କହିଲେ ମି: ଚୌଧୁରୀ ।

 

ଶଙ୍କର ପ୍ରସାଦ ବଡ଼ ଚିନ୍ତିତ ହୋଇ ପଡ଼ିଥିଲେ; ନିଜର ଆସନ୍ନ ବିପଦପାଇଁ ନୁହେଁ, ସୁବ୍ରତପାଇଁ, ଯାହାପାଇଁ ଗୁପ୍ତ ଗନ୍ତାଘରର ଦାୟିତ୍ୱ ତାଙ୍କ ହାତରେ । ସୁକାନ୍ତବାବୁ ଆଜି କେଉଁଠି କି ନିର୍ଯ୍ୟାତନା ଭୋଗୁଛନ୍ତି; ସେ କ’ଣ ତାଙ୍କୁ ଛାଡ଼ିଦେଇ ପାରିବେ ପ୍ରାଣର ମୋହରେ; ନାଃ; ଏହା କେବେ ହେବ ନାହିଁ । ବରଂ ଯାଉ ଧନସମ୍ପତ୍ତି, ଏପରି କି ଜୀବନ ପର୍ଯ୍ୟନ୍ତ, ଛୋଟରାୟ ବଂଶର ଦୀପଟିକୁ ହାତ ଘୋଡ଼ାଇ ଝଡ଼ ଝଂଜାରୁ ରକ୍ଷା କରିବାକୁ ହେବ । ଚିନ୍ତା ସଙ୍ଗେ ସଙ୍ଗେ ମୁଖମଣ୍ଡଳରେ ଦୃଢ଼ତା ଫୁଟି ଉଠୁଥିଲା ତାଙ୍କର ।

 

ସେ ଭାବ ସ୍ପଷ୍ଟ ଲକ୍ଷ୍ୟ କରି ପାରୁଥିଲେ ମି: ଚୌଧୁରୀ । ଶଙ୍କର ପ୍ରସାଦଙ୍କ ଚରିତ୍ର ସେ ଖୁବ୍ ଭଲ ଭାବରେ ଜାଣନ୍ତି । ଯେପରି ଏକ ଜିଦିଆ ଲୋକ, ସବୁ ଯିବ ପଛେ ଜିଦ୍‍ଟା ବଜାୟ ରଖିବେ । ତାଙ୍କୁ ପୁଣି ସ୍ୱଭାବିକ ଅବସ୍ଥାକୁ ଆଣିବାପାଇଁ ସେ ଆରମ୍ଭ କଲେ, ‘‘ଆଚ୍ଛା ଶଙ୍କର ପ୍ରସାଦ-! ଆପାତତଃ ଟିକିଏ ଚା ?’’

 

ବନ୍ଧୁଙ୍କର ଅନୁରୋଧ ଏଡ଼ି ଦେବାର କ୍ଷମତା ନଥିଲା ଶଙ୍କରପ୍ରସାଦଙ୍କର । ଚା ଜଳଖିଆର ସଦ୍‍ବ୍ୟବହାର ପରେ ଦୁଇବନ୍ଧୁ ପରସ୍ପର କରମର୍ଦ୍ଦନ କରୁକରୁ ହସ ହସ ମୁଖରେ ବିଦାୟ ନେଲେ ।

 

–ନଅ–

 

ଗାଢ଼ ଅନ୍ଧାର ରାତି । କଳାଅନ୍ଧାରର ପଣତ ତଳେ ଗଛଲତା ଲୁଚିଯାଇଛନ୍ତି । ଖାଲି ବେଳେ ବେଳେ ପବନରେ ପତ୍ର ଖଡ଼ ଖଡ଼ ହୋଇ ସେଗୁଡ଼ିକର ଅସ୍ତିତ୍ୱର ସୂଚନା ଦେଉଛି ଯାହା । ଶଙ୍କରପ୍ରସାଦଙ୍କ ବାସଭବନ ସ୍ତବ୍ଧ, କେବଳ ସଦର ଦରଜାରେ ଉଜ୍ଜ୍ୱଳ ଆଲୋକଟିଏ ଜଳୁଛି । ଠିକ୍ ଦୂଆର ସାମନାରେ ଜଣେ ବନ୍ଧୁକଧାରୀ ପାଇକ ଠିଆ । ବେଳେ ବେଳେ ଏଣିକି ତେଣିକି ଥରେ ସେ ଚାହିଁ ଦେଉଛି, ପୁଣି କେତେବେଳେ ଟିକେ ଟହଲ ମାରି ଦେଉଛି । ଜଣାଯାଏ, ସେ ଖୁବ୍ ବିଶ୍ୱାସୀ ଆଉ ସତର୍କ; ନିଷ୍ଠୁର ଭାବରେ ଆପଣା କର୍ତ୍ତବ୍ୟ ସମ୍ପାଦନରେ ବ୍ୟସ୍ତ ଅଛି ।

 

ସଦର ଦରଜାଠାରୁ ଖଣ୍ଡେ ଛଡ଼ାରେ ଘରର ଗୋଟାଏ ଜାଗାରେ ସମ୍ପୂର୍ଣ୍ଣ କଳା ପୋଷାକଧାରୀ ଦୁଇଟା ମୂର୍ତ୍ତି ଛିଡ଼ା ହୋଇଛନ୍ତି । ସେମାନଙ୍କର ଦୃଷ୍ଟି ବନ୍ଧୁକଧାରୀ ପାଇକ ଉପରେ-। ବେଳେ ବେଳେ ଦୁହେଁ ହାତ ଇସାରରେ କ’ଣ କଥାବାର୍ତ୍ତା ହେଉଛନ୍ତି । ଅନ୍ଧକାର ଯେପରି ସେମାନଙ୍କୁ ଆପଣା କୋଳରେ ଘୋଡ଼ାଇ ରଖିଛି । କାହାରି ଦେଖିବାର ଉପାୟ ନାହିଁ । ମୂର୍ତ୍ତି ଦୁଇଟାର ଭାବ ଭଙ୍ଗିରୁ ଜଣାଯାଏ, ଯେପରି ସେ ଦୁହେଁ ଶଙ୍କରପ୍ରସାଦଙ୍କ ବାସଭବନ ଭିତରେ ପଶିବାକୁ କିଛି ଉପାୟ ଖୋଜୁଥାଆନ୍ତି ।

 

କେତେବେଳ ଗଲା । ସଦର ଦରଜାରେ ପ୍ରହରୀଜଣକ ସତର୍କ ପହରା ଦେଉଛି । ତା’ର କ୍ଲାନ୍ତି ନାହିଁ । କଳା ପୋଷାକଧାରୀ ଦୁଇଜଣ ଘରର ବାହାର ପଟ କଡ଼େ କଡ଼େ ପଛ ଆଡ଼କୁ ଚାଲିଗଲେ । ପ୍ରକାଣ୍ଡ ଘରଟା । କାନ୍ଥଗୁଡ଼ା ପୁଣି ମାଙ୍କଡ଼ା ପଥରରେ ତିଆରି । ଦୁଇଜଣଯାକ ଗୋଟାଏ ଅଳ୍ପ ଉଚ୍ଚ ପାଚେରୀ ପାଖରେ ଛିଡ଼ା ହେଲେ । ଚାରିଆଡ଼କୁ ଥରେ ସତର୍କ ଦୃଷ୍ଟି ପକାଇ ଜଣେ ପକେଟରୁ ରସି ଖଣ୍ଡିଏ ବାହାର କରି ଉପରକୁ ଫିଙ୍ଗି ଦେଲା । ରସିଟି ପାଚେରୀ କାନ୍ଥରେ ଶକ୍ତ ଭାବରେ ଅଟକି ଗଲା । ପ୍ରଥମେ ଜଣେ ଖୁବ୍ ସାବଧାନରେ ସେଇଆକୁ ଧରି ପାଚେରୀ ଉପରକୁ ଉଠିଗଲା । ତା ପଛେ ପଛେ ଆରଜଣକ । ଦୁହିଁଙ୍କ ହାତରେ ରିଭଲଭର । ପୁଣି ଖୁବ୍ ସାବଧାନରେ ଦୁହେଁ ଘରର ଭିତର ପଟକୁ ଓହ୍ଲାଇ ପଡ଼ିଲେ ।

 

ଘର ଭିତରଟା ଭୀଷଣ ଅନ୍ଧାର । ଖୁବ୍ ପାଖରେଥିବା ଜିନିଷଟା ବି ଦିଶୁନାହିଁ । ପ୍ରେତପରି କଳା ପୋଷାକଧାରୀ ଦୁଇଟା ବୁଲୁଛନ୍ତି ଘରସାରା । ଏ କୋଠରୀ, ସେ କୋଠରୀ ବୁଲୁ ବୁଲୁ ଦୁଇଟାଯାକ ଗୋଟାଏ ବଡ଼ଘର ସାମନାରେ ପହଞ୍ଚିଲେ । ସେଇଟା ଶଙ୍କରପ୍ରସାଦଙ୍କ ଶୋଇଲା ଘର । ଶଙ୍କରପ୍ରସାଦ ନିଘୋଡ଼ ନିଦରେ ଅଚେତ, ତାରି ପାଖକୁ ଆଉ ଗୋଟାଏ କୋଠରୀ । କଳା ପୋଷାକଧାରୀ ଦୁଇଟା ସେଇ କୋଠରୀ ଭିତରକୁ ଯାଇ ଆନନ୍ଦରେ କୁରୁଳି ଉଠିଲେ । କାମ ହାସଲ କରି ପାରିଲେ ମୋଟା ବକ୍ସିସ୍ । ଏକା ଥରକେ ଦୁଇହଜାର, କ’ଣ କମ୍ !

 

ଜଣକ ହାତର ନୀଳରଙ୍ଗର ଟର୍ଚ୍ଚଟି ଜଳି ଉଠିଲା । ସୁନ୍ଦର ପଲଙ୍କଟି ଉପରେ ଶୋଇଛି ସୁବ୍ରତ । ଆହା ବିଚାରା ! କି ଘୋର ବିପଦ ଆସି ତାକୁ ଗ୍ରାସ କରିବାକୁ ବସିଛି, ଯଦି ଜାଣିପାରନ୍ତା ସେ ! ଆଉଜଣେ ଗୋଟାଏ ଶିଶିରୁ କ’ଣ ମେଞ୍ଚାଏ ଗୋଟାଏ ତୁଳାମେଞ୍ଚା ଉପରେ ଢାଳି ତାର ନାକ ପାଖରେ ହଲାଇଲା । ତା’ ପରେ ଦୁହେଁ ତାକୁ ଟେକି ନେଇ ଚାଲିଗଲେ । ଜଣେ ତାକୁ ପିଠି ଉପରେ ପକାଇ ନେଲା । ଆଉଜଣେ ପଛେ ପଛେ ଚାରି ଆଡ଼କୁ ସତର୍କ ଦୃଷ୍ଟି ରଖି ହାତରେ ପିସ୍ତଲ ବାଗେଇ ଧରି ଚାଲିଲା । ଖୁବ୍ ଧୀରେ ଧୀରେ ବାଡ଼ିପଟ କବାଟ ଖୋଲି ଦୁହେଁ ବାହାରକୁ ଚାଲିଗଲେ । ଏଡ଼େ ବଡ଼ ଘଟଣାଟାଏ ଘଟିଗଲା; କିନ୍ତୁ କେହି ଜାଣିପାରିଲେ ନାହିଁ ।

 

ହଠାତ୍ ଖସ୍ ଖସ୍ ଶବ୍ଦରେ ଚମକି ପଡ଼ିଲା ପ୍ରହରୀଟି । କି ଶବ୍ଦଏ ! ଚାରି ଆଡ଼କୁ ଖୁବ୍ ତୀକ୍ଷ୍ଣ ଦୃଷ୍ଟି ପକାଇ ଲକ୍ଷ କଲା । ଖଣ୍ଡେ ଦୂରରେ କଳା ଛାଇ ପରି କ’ଣ ଦୁଇଟା ଚାଲିଯାଉଛନ୍ତି, ଖୁବ୍ ଶୀଘ୍ର । ହାତର ବନ୍ଧୁକ ତା’ର ଉପରକୁ ଉଠିଲା । ସଙ୍ଗେ ସଙ୍ଗେ ଗୁଡ଼ୁମ୍ କରି ଶବ୍ଦ, ତା ସଙ୍ଗେ ସଙ୍ଗେ ଦୂରରୁ ଭାସି ଆସିଲା ଗୋଟାଏ ଉତ୍କଟ ଆର୍ତ୍ତନାଦ । ତା ପରେ ପରେ ଦୌଡ଼ି ପଳାଇବାର ଶବ୍ଦ, ଲକ୍ଷ୍ୟଟା ବ୍ୟର୍ଥ ହୋଇନି ତେବେ ?

 

ଗୁଳିଫୁଟିବା ଶବ୍ଦ ଶୁଣି ସଦର ଦରଜା ଖୋଲି ବାହାରକୁ ଆସିଲେ ଶଙ୍କରପ୍ରସାଦ । ପହରୀଜଣକ ଗୁଳି ଯାଇଥିବା ଆଡ଼କୁ ଚାହିଁ ଛିଡ଼ା ହୋଇଛି । ଶଙ୍କରପ୍ରସାଦ ବ୍ୟଗ୍ର ହୋଇ ପଚାରିଲେ–‘‘ଘଟଣା କ’ଣ ବଳିଆର ସିଂ ?’’

 

ଶଙ୍କରପ୍ରସାଦଙ୍କୁ ଦେଖି ପ୍ରହରୀ ସମ୍ଭ୍ରମରେ ଟିକେ ଘୁଞ୍ଚିଯାଇ କହିଲା–‘‘ଏଇ ହଜୁର ! ଖଡ଼ ଖଡ଼ ଶୁଭିଲା, ଚାହିଁ ଦେଖିଲି କିଏ ଦୁଇଟା ଚାଲି ଯାଉଛନ୍ତି । ଗୁଳିଲାଛି ଦେଲି । ବାଜିଛି ଠିକ୍ । ଚୋର କି ଡକେଇତ ନିଶ୍ଚେଁ ।’’

 

‘ସାବାସ୍ !’ କହି ଭିତରକୁ ଚାଲିଗଲେ ଶଙ୍କରପ୍ରସାଦ, ନାନାପ୍ରକାର ଆଶଙ୍କାରେ ମନଟା ବ୍ୟସ୍ତ ହୋଇ ଉଠୁଥାଏ ତାଙ୍କର । କୋଠରୀ ପରେ କୋଠରୀ ପାର ହୋଇ ବାରଣ୍ଡାଏ ବାରଣ୍ଡାଏ ଯାଇ ପହଞ୍ଚିଲେ ସୁବ୍ରତର ଶୋଇବା ଘର ଦୁଆରେ । ଦୁଆରଟା ମେଲା । ପଲଙ୍କଟା ଉପରକୁ ଟର୍ଚ୍ଚ ପକାଇ ଦେଲେ । ଏ କ’ଣ ? ପଲଙ୍କ ଶୂନ୍ୟ ! ସୁବ୍ରତ... ? ଚିତ୍କାରଟାଏ କରି ସେଇଠି ଲଥ୍ କରି ବସିପଡ଼ିଲେ ! ତାଙ୍କର ଆଉ ଜ୍ଞାନ ନାହିଁ ।

 

ଶଙ୍କରପ୍ରସାଦଙ୍କ ଘରେ ହୈ-ଚୈ ଶୁଣି ଆଖ ପାଖରୁ ବହୁତ ଲୋକ ବି ରୁଣ୍ଡ ହୋଇଗଲେ ସେଠି ଅଳ୍ପ ସମୟ ମଧ୍ୟରେ । କଥାଟା ବାହାରେ ପ୍ରଘଟ ହେବାକୁ ବେଶୀ ବେଳ ଲାଗିଲା ନାହିଁ । ଚାଲିଲା ରାତାରାତି ଖୋଜତଲାସ । ଦେଖାଗଲା; ପ୍ରହରୀଜଣକ ଯେଉଁଠାକୁ ଗୁଳି କରିଥିଲା ସେଇଠି କେଇବୁନ୍ଦା ରକ୍ତ । ତା’ ଛଡ଼ା ଆଉ କିଛି ନାହିଁ । ଶଙ୍କରପ୍ରସାଦ କେତେବେଳ ପରେ ଚେତାପାଇ ଫୋନ୍ ଧରିଲେ ମି: ଚୌଧୁରୀଙ୍କ ନିକଟକୁ ।

 

ରାତି ତିନିଟା ହେବ ସେତେବେଳକୁ ।

 

ମି: ଚୌଧୁରୀ ସାରାଦିନର କର୍ମକ୍ଲାନ୍ତି ମେଣ୍ଟାଉଛନ୍ତି ନିଦ୍ରାଦେବୀଙ୍କ କୋଳରେ ଥାଇ । ପାଖ କୋଠରୀରେ ଶରତ୍ ଗାଢ଼ ନିଦ୍ରାରେ ଅଭିଭୂତ । ଘୁଙ୍ଗୁଡ଼ି ଶବ୍ଦରେ ଘରଟା ଫାଟି ପଡ଼ୁଛି । ହଠାତ୍ ଟେଲିଫୋନର କ୍ରିଂ କ୍ରି ଶବ୍ଦରେ ନିଦଟା ଭାଜିଗଲା ମି: ଚୌଧୁରୀଙ୍କର ।

 

ବିଛଣାରେ ଅଧାଶୁଆ ହୋଇ ପାଖ ଟେବୁଲ ଉପରୁ ରିସିଭରଟା ଉଠାଇ ଧରିଲେ...... ହ୍ୟାଲୋ... ?

 

.....‘‘ମୁଁ ଶଙ୍କରପ୍ରସାଦ; ଟିକେ ଶୀଘ୍ର ଆସ ?’’

 

......‘‘ଶଙ୍କରପ୍ରସାଦ ? ଆରେ ! ଘଟଣା କ’ଣ ?’’

 

.....‘‘ଘରେ ନାହିଁ ସୁବ୍ରତ ? ଅଭୂତ କଥା, ଏଇ ବାହାରିଲି ।

 

ଚଟ୍ କରି ରିସିଭରଟା ରଖିଦେଇ ଟେବୁଲ ଡ୍ରରୁ ପିସ୍ତଲଟା ବାହାର କରୁ କରୁ ଡାକ ପକାଇଲେ ‘‘ଶରତ୍, ଶରତ୍ ଓ ଶରତ୍ !’’

 

ଉଠିବାର ଇଚ୍ଛା ନଥିଲେ ବି ମି: ଚୌଧୁରୀଙ୍କ ଡକରାରେ ବାଧ୍ୟ ହୋଇ ଉଠିଆସିଲେ ଶରତ୍ । ଆଖି ମଳୁ ମଳୁ ଦୁଆର ପାଖରେ ଠିଆ ହୋଇ ଗଳାଟା ପରିଷ୍କାର କରି ପଚାରିଲେ–‘‘କ’ଣ ସାର୍ ?’’

 

‘‘ଯିବାକୁ ହେବ, ଶୀଘ୍ର ପ୍ରସ୍ତୁତ ହୋଇପଡ଼, ଫୁର୍ତ୍ତି ।’’

 

‘‘କେଉଁଠିକୁ ସାର୍ ?’’ ଆଉ କିଛି ପଚାରିବାକୁ ବସିଥିଲେ ଶରତ୍ ।

 

‘‘ଓଃ, ଖୁବ୍ ଫୁର୍ତ୍ତି ।’’ ବିରକ୍ତ ହୋଇ କହିଲେ ମି: ଚୌଧୁରୀ । ବିନା ବାକ୍ୟ ବ୍ୟୟରେ ଶରତ୍ ପୋଷାକ ବଦଳିବାକୁ ଚାଲିଗଲେ । ଇତି ମଧ୍ୟରେ ମି: ଚୌଧୁରୀ ଗ୍ୟାରେଜରୁ ଗାଡ଼ିଖଣ୍ଡି ବାହାର କରି ସାରିଲେଣି । ଶରତ୍ ମଧ୍ୟ ଚଟାପଟ୍ ପ୍ରସ୍ତୁତ ହୋଇ ବାହାରି ଆସି ଗାଡ଼ିରେ ବସି ପଡ଼ିଲେ । ମି: ଚୌଧୁରୀ ଗାଡ଼ିରେ ଷ୍ଟାର୍ଟ ଦେଉ ଦେଉ କହିଲେ–‘‘ଆରେ ! ଭୁଲିଗଲି, ଟାଇଗର !’’

 

ଶରତ୍ ଚଟ୍ କରି ଓହ୍ଲାଇ ପୁଣି ଭିତରକୁ ଚାଲିଗଲେ । ଅଳ୍ପ ସମୟ ମଧ୍ୟରେ ଫେରି ଆସିଲେ ମଧ୍ୟ । କିନ୍ତୁ ଏକା ନୁହେଁ, ସାଙ୍ଗରେ ଗୋଟାଏ ବିଶାଳକାୟ ଆଲସିସିଆନ୍ କୁକୁର । କୁକୁରଟା ଧପ୍ କରି କୁଦି ପଡ଼ିଲା ଗାଡ଼ି ଭିତରକୁ । ମି: ଚୌଧୁରୀ ସ୍ନେହରେ ତା’ର ମୁଣ୍ଡ ଥରେ ଆଉଁଷି ଦେଇ ଗାଡ଼ି ଛୁଟାଇ ଦେଲେ ।

 

ଶଙ୍କରପ୍ରସାଦ ବ୍ୟାକୁଳହୋଇ ଚାହିଁ ରହିଥିଲେ ମି: ଚୌଧୁରୀଙ୍କ ଆସିବାକୁ । ଗାଡ଼ି ଖଣ୍ଡି ସଦର ଦରଜାରେ ବ୍ରେକ୍ ଦେବା କ୍ଷଣି ସେ ପାଖକୁ ଧାଇଁଯାଇ ଭେଁ ଭେଁ କରି କାନ୍ଦି ପକାଇଲେ । ଗାଡ଼ିରୁ ଓହ୍ଲାଇ ମି: ଚୌଧୁରୀ ତାଙ୍କୁ ସାନ୍ତ୍ୱନା ଦେଉଁ ଦେଉଁ ଘର ଭିତରକୁ ଧରିନେଲେ । ଦୁଇବନ୍ଧୁ କେତେବେଳ କଥାବାର୍ତ୍ତା ପରେ ପୁଣି ଫେରି ଆସିଲେ ବାହାରକୁ ।

 

ମି: ଚୌଧୁରୀ ବାହାରଟା ଥରେ ଭଲ ଭାବରେ ପରୀକ୍ଷା କରି ନେଇ ଯେଉଁଠି ରକ୍ତ ପଡ଼ିଥିଲା ସେଇଠି ପହଞ୍ଚିଲେ; ଦେଖିଲେ କେତୋଟି ଲମ୍ୱା ଲମ୍ୱା ପାଦର ଚିହ୍ନ ପଡ଼ିଛି । କିନ୍ତୁ ସେଗୁଡ଼ିକ ଲୋକଙ୍କ ମଡ଼ା ଦଳାରେ ବିକୃତ ହୋଇଯାଇଛି । ସେଇ ରକ୍ତଭିଜା ଧୂଳି ଟିକିଏ ମି: ଚୌଧୁରୀ ଖଣ୍ଡିଏ କାଗଜରେ ଉଠାଇ ନେଇ ଟାଇଗର ନାକ ପାଖରେ ଦେଖାଇଲେ । ଟାଇଗର ସୁଁ ସୁଁ କରି ଦୁଇ ଚାରିଥର ତାକୁ ଶୁଂଘି ନେଲା । ତା’ପରେ ମାଟି ଶୁଂଘି ଶୁଂଘି ଆଗକୁ ଚାଲିଲା । ବେଶ୍ ଖଣ୍ଡେ ଦୂର ଗଲାପରେ ସେ ଉପରକୁ ଚାହିଁ ଭୋ ଭୋ ହୋଇ ଭୁକି ଉଠିଲା । ମି: ଚୌଧୁରୀ ସେଇଠିଯାଇ ଦେଖିଲେ, ମଟର ଚକର ଚିହ୍ନ । ତା, ଛଡ଼ା ଆଉ କିଛି ନାହିଁ । ଟାଇଗର କିନ୍ତୁ ସ୍ଥିର ହୋଇ ରହିପାରୁ ନଥାଏ । ସେ ଏ ବୁଦା ସେ ବୁଦା ପଛ ହୋଇ ଖାଲି ଅଣ୍ଡାଳି ପକାଉଥାଏ । ମି: ଚୌଧୁରୀ ବି ତାକୁ ସେଥିରେ ବାଧା ଦେଉ ନଥାନ୍ତି । ସେ ଜାଣନ୍ତି, ଟାଇଗରର ଏମିତି କରିବାର ମୂଲ୍ୟ ଅଛି । ଶରତ୍ ଆଉ ସେ ଦୁହେଁ ତନ୍ନ ତନ୍ନ କରି ଏଣେ ଖୋଜି ପକାଉଥାନ୍ତି । କାଳେ କିଛି ମିଳିପାରେ !

 

ଏତିକିବେଳେ ଟାଇଗର ଖଡ଼ ଖଡ଼ କରି ଧାଇଁ ଆସିଲା । ମି: ଚୌଧୁରୀ ଦେଖିଲେ; ତା ମୁହଁରେ ଖଣ୍ଡିଏ ଧଳାକନା । ସେ ଖଣ୍ଡି ନେଇ ଦେଖିଲେ–ସେଟା କନା ନୁହେଁ, ଖଣ୍ଡିଏ ରୁମାଲ, ତାର ଅଧେ ରକ୍ତରେ ଭିଜି ଯାଇଛି । ରୁମାଲର ଗୋଟିଏ କଣକୁ ସୂତାରେ ସିଲେଇ ହୋଇଛି ନାଲି ଫୁଲଟିଏ । ତା’ରି ତଳକୁ ଇଂରାଜୀରେ ଲେଖାଯାଇଛି ‘ଆର୍’ । ମି: ଚୌଧୁରୀ ସେ ଖଣ୍ଡି କାଗଜରେ ଗୁଡ଼ାଇ ବଡ଼ ସାବଧାନରେ ପକେଟରେ ରଖିଲେ ।

 

ଭୋର୍ ହୋଇ ଆସିଲାଣି ସେତେବେଳକୁ । ମି: ଚୌଧୁରୀ ଶଙ୍କରପ୍ରସାଦଙ୍କ ବାସଭବନକୁ ଫେରି ଆସିଲେ । ଶଙ୍କରପ୍ରସାଦ ଆଉ ତାଙ୍କ ସ୍ତ୍ରୀଙ୍କର ଅବସ୍ଥା ସେତେବେଳକୁ କହିଲେ ନସରେ । ମି: ଚୌଧୁରୀ ସେମାନଙ୍କୁ ସାନ୍ତ୍ୱନା ଦେଇ ଫେରିଆସିଲେ ।

 

-ଦଶ-

 

‘‘ଆଜି ତୁମକୁ ଗୋଟାଏ କିଛି ଫଏସଲା କରିବାକୁ ହେବ ଛୋଟରାୟ !’’ ଦୃଢ଼ କଣ୍ଠରେ ଏତକ କହି ଆଗେଇ ଆସୁଥିଲା ଦସ୍ୟୁ ସର୍ଦ୍ଦାର ଗୁଲାବ ସିଂ ।

 

କୋଠରୀର ପଥର କାନ୍ଥକୁ ଆଉଜି ଛିଡ଼ା ହୋଇଥିଲେ ଜମିଦାର ସୁକାନ୍ତ ଛୋଟରାୟ । ଏଇ କେଇଦିନ ମଧ୍ୟରେ ତାଙ୍କର ବୟସ ଯେପରି ଦଶ ବର୍ଷ ବଢ଼ିଯାଇଛି । ଦେହଟା ଶୁଖି କଳା । ମୁଣ୍ଡ ବାଳଗୁଡ଼ା ଝାମ୍ପୁରା ହୋଇ ଆଖି ଆଗକୁ ଝୁଲିପଡ଼ିଛି । ତାରି ତଳ ଦେଇ ଗୋଟାଏ ତୀବ୍ର ଦୃ‌ଷ୍ଟି ନିକ୍ଷେପ କଲେ ଦସ୍ୟୁ ସର୍ଦ୍ଦାର ଉପରେ ।

 

‘‘ଶୁଭୁଛି ?’’ ଚାଏଁ କରି ଗୋଟାଏ ଚାବୁକ ପାହାର ବସିଲା ସୁକାନ୍ତବାବୁଙ୍କ ଉପରେ । ଯନ୍ତ୍ରଣାରେ ଆର୍ତ୍ତନାଦ କରିଉଠିଲେ ସେ ।

 

‘‘ଆଜି କିଛି ଗୋଟାଏ ନିଷ୍ପତ୍ତି ନେ । ନ ହେଲେ ତୋରି ଆଗରେ ଯାହାଲାଗି ଗନ୍ତାଘରର ସନ୍ଧାନ ଲୁଚାଇ ରଖିଛୁ, ତାକୁ ମଣିଷ ମାଉଁସଖିଆ ଇଗଲ ଆଗରେ ଥୋଇ ଦେବି ।’’ କଠୋର କଣ୍ଠରେ ଏତକ କହି ଠିଆ ହେଲା ଗୁଲାବ ସିଂ ।

 

‘‘କାହାକୁ ଥୋଇବ ଇଗଲ ଆଗରେ ? ସୁବ୍ରତକୁ ? ଚମକି ପଡ଼ିଲେ ସୁକାନ୍ତବାବୁ । ଦସ୍ୟୁ କ’ଣ ତେବେ ସୁବ୍ରତକୁ ଘେନିଆସିଛି ? ତେବେ ତ ସରିଗଲା ସବୁ !’’ ଭାବନାଟା ଗୋଳମାଳ ହୋଇଗଲା ସୁକାନ୍ତବାବୁଙ୍କର । ସ୍ଥିର ଭାବରେ ଠିଆହୋଇ ରହିଲେ ସେ ।

 

ତାଙ୍କୁ ନୀରବ ରହିବାର ଦେଖି ଗୁଲାବ ସିଂ ଡାକ ଦେଲା–‘ଦିଲାବର !’ ଏକ ମୁହୂର୍ତ୍ତ ମଧ୍ୟରେ ଜଣେ ରାକ୍ଷସାକାର ଦସ୍ୟୁ ଉପସ୍ଥିତ ହେଲା । ତାକୁ ଚାହିଁ ଗୁଲାବ ସିଂ ଆଦେଶ ଦେଲା–‘ମାମଲା ହଜାର କର ।’

 

ଅଭିବାଦନ ଜଣାଇ ଦସ୍ୟୁଜଣକ ଚାଲିଗଲା । ଅଳ୍ପ ସମୟ ମଧ୍ୟରେ ସୁବ୍ରତର ଗୋଟାଏ ବାହୁ ଝିଙ୍କି ଆଣି ସେ ଘରେ ପକାଇ ଦେଲା । ସୁବ୍ରତକୁ ଦେଖି ସୁକାନ୍ତବାବୁ ଚିତ୍କାର କରି ଉଠିଲେ । ସୁବ୍ରତ ବି ସୁକାନ୍ତବାବୁଙ୍କୁ ଦେଖି ଭେଁ ଭେଁ ହୋଇ କାନ୍ଦି ପକାଇଲା । ଦୁହେଁ ପରସ୍ପରକୁ ଅପଲକ ଦୃଷ୍ଟିରେ ଚାହିଁଥାନ୍ତି । ଆଖିରୁ ଲୁହ ଦୁଇଧାର ବହିଯାଉଛି ଯାହା, ହେଲେ କାହାରି ମୁହଁରେ ଭାଷାନାହିଁ ।

 

ଖୁବ୍ ଗୋଟାଏ ଶବ୍ଦ କରି ହସି ଉଠିଲା ଗୁଲାବ ସିଂ । ସେ ବିକଟ ଚିତ୍କାରରେ ଚମକି ପଡ଼ିଲେ ସୁକାନ୍ତବାବୁ ଆଉ ସୁବ୍ରତ । ସୁକାନ୍ତବାବୁ ସୁବ୍ରତକୁ କୁଣ୍ଢାଇ ଧରିବାକୁ ଧାଇଁ ଆସୁଥିଲେ । କିନ୍ତୁ ଗୁଲାବ ସିଂର ଧକ୍କାରେ ତଳେ ପଡ଼ିଗଲେ । ଓଠ ଫାଟିଯାଇ ଧାର ଧାର ହୋଇ ରକ୍ତ ବହି ପଡ଼ିଲା । ତାହା ଦେଖି ସୁବ୍ରତ ଖୁବ୍ ଜୋରରେ ଚିତ୍କାର କରି ଉଠିଲା । ଗୁଲାବ ସିଂ ଆଉ ଥରେ ପୈଶାଚିକ ହସରେ ଘରଟାକୁ ତା’ର ଥର ଥର କରି ଥରାଇ ଦେଲା ।

 

‘ଏଣେ ତୋର କାଳକୁ ଚାହିଁ ଦେଖ୍ ଛୋଟରାୟ’ ! କର୍କଶ କଣ୍ଠରେ ଗୁଲାବ ସିଂ କହିଲା-। ସେ ଶବ୍ଦରେ ସୁକାନ୍ତବାବୁ ଚମକିପଡ଼ି ତା’ ଆଡ଼କୁ ଚାହିଁଲେ । ଗୁଲାବ ସିଂ ସାମନା କାନ୍ଥରେ ଥିବା ଗୋଟାଏ ଲୁହା କଡ଼ାକୁ ଝିଙ୍କି ଦେଲା । ଚାହୁଁ ଚାହୁଁ ମଟ ମଟ ଶବ୍ଦ କରି ମସ୍ତବଡ଼ ପଥର ଖଣ୍ଡେ ତଳକୁ ଖସିଗଲା । ସେବାଟ ଦେଇ ସୁକାନ୍ତବାବୁ ଦେଖିଲେ, ଲୁହା ବାଡ଼ଦିଆ ମସ୍ତବଡ଼ ଗୋଟାଏ ପିଞ୍ଜରା ଭିତରେ ସାନ ହାତୀ ଆକାରର ଇଗଲଟାଏ; ମୁନିଆଁ ବଙ୍କା ଥଣ୍ଟ ଯୋଡ଼ାକ ଆଗକୁ ଦେଖାଇ ବସିଛି, ଆଖି ଦୁଇଟା ଯେମିତି ଜଳନ୍ତା ଅଙ୍ଗାର ପରି ଦପ୍ ଦପ୍ କରୁଛି, ଦେହଟା କି କୁତ୍ସିତ-। ସେଥିରେ ପୁଣି ନଖ ଗୁଡ଼ାକ ଧାରୁଆ ଛୁରି ପରି ରହିଛି । ମଣିଷ ସୁରାକ ପାଇ ସେ ଆନନ୍ଦରେ ବିକଟ ରାବଟାଏ କଲା । ଓଃ, କି ଭୀଷଣ ସେ ଶବ୍ଦ ! ସୁକାନ୍ତବାବୁଙ୍କ କାନ ଭିତରଟା କୋରି ହୋଇଗଲା ଯେମିତି । ତାକୁ ଦେଖି ସୁବ୍ରତର ଚେତା ନଥିଲା ବୋଧହୁଏ । ଆଉ ସେ ଭୀଷଣ ଦୃଶ୍ୟ ଦେଖିବାର ଧୈର୍ଯ୍ୟ ନଥିଲା ସୁକାନ୍ତବାବୁଙ୍କର ‘ଉଃ, ଭଗବାନ !’ କହି ସେ ଦୁଇ ହାତ ପାପୁଲିରେ ଆଖି ଢାଙ୍କି ପକାଇଲେ ।

 

ସୁକାନ୍ତ ବାବୁଙ୍କ ଅବସ୍ଥା ଦେଖି ଗୁଲାବ ସିଂ ପୁଣିଥରେ ଖୁବ୍ ଜୋରରେ ହସି ଉଠିଲା । ତା ପରେ କଠୋର କଣ୍ଠରେ କହିଲା–‘‘ଦେଖ ସୁକାନ୍ତ ଛୋଟରାୟ ! ବର୍ତ୍ତମାନ ବି ମୁକ୍ତି ପାଇବାର ଉପାୟ ତୋ ହାତରେ ଅଛି । କ’ଣ ଚାହୁଁ କହ । ନହେଲେ ତୋରି ଆଗରେ ଆଗ ସୁବ୍ରତକୁ ଇଗଲ ଆଗରେ ଦେବି । ତା ପରେ ତୋ ପାଳି । କହ କ’ଣ ଚାହୁଁ ?’’ ଏତକ କହିବା ସଙ୍ଗେ ସଙ୍ଗେ ସୁବ୍ରତର ଗୋଟାଏ ବାହା ଧରି ଝିଙ୍କି ପିଞ୍ଜରା ପାଖରେ ନେଇ ଠିଆ କରାଇ ଦେଲା ।

 

ଅତି ପାଖରେ ମଣିଷ ଦେଖି କୁତ୍ସିତ ପକ୍ଷୀଟା ବଡ଼ ବ୍ୟସ୍ତ ହେଲାଣି ପିଞ୍ଜରା ଭିତରେ । ଥରେ ଦୁଇଥର ସେ ଲୁହା ରେଲିଂ ଫାଙ୍କ ଦେଇ ସୁବ୍ରତ ଆଡ଼କୁ ଥଣ୍ଟଟା ତା’ର ବଢ଼ାଇଲାଣି । ସୁକାନ୍ତବାବୁ ଏବେ ନିରୂପାୟ । ଯାହାପାଇଁ ଏତେ ସାଧନା, ସେ ଯଦି ଏ ଅବସ୍ଥାରେ, ତେବେ ସେ ସାଧନାର ମୂଲ୍ୟ କ’ଣ ? ଅତି କଷ୍ଟରେ ରାଗ ଚାପି ରଖି ସେ କହିଲେ–‘‘ବେଶ୍, ମୁଁ ତୋ ପ୍ରସ୍ତାବରେ ରାଜି । ଗୁପ୍ତ ଗନ୍ତାଘରର ନକ୍ସା ଶଙ୍କରପ୍ରସାଦଙ୍କ ପାଖରେ । ତୁ ଆମକୁ ମୁକ୍ତି ଦେ !’’

 

‘ମୁକ୍ତି ! ଏତେ ଶୀଘ୍ର ?’ ଥଟ୍ଟାଳିଆ ସ୍ୱରରେ କହିଲା ଗୁଲାବ ସିଂ । ‘‘ତୋତେ ମୁକ୍ତି ଦେବି, କିନ୍ତୁ ଗୁପ୍ତ ଗନ୍ତାଘର ହାତ କରି ସାରିବା ପରେ । ତା ପୂର୍ବରୁ ନୁହେଁ । ଏବେ ସେ ସମୟ ପର୍ଯ୍ୟନ୍ତ ଏଇଠି ଆରାମ କର । ମନେରଖ ଆଉ ଗୋଟିଏ କଥା । ତୋର ସନ୍ଧାନ ଦେବାରେ ଯଦି ତିଳେମାତ୍ର ବ୍ୟତିକ୍ରମ ହୋଇଥାଏ, ତେବେ ତାର ଶାସ୍ତି ତୋତେ ଅବଶ୍ୟ କହିବାକୁ ହେବ ନାହିଁ ।’’

 

କହି ସାରିବା ସଙ୍ଗେ ସଙ୍ଗେ ସୁବ୍ରତକୁ ସୁକାନ୍ତବାବୁଙ୍କ ଆଡ଼କୁ ଠେଲି ଦେଇ ଗୁଲାବ ସିଂ ଧଡ଼୍ କରି କବାଟଟା ବନ୍ଦକରି ଚାଲିଗଲା । ସୁକାନ୍ତବାବୁ ସୁବ୍ରତକୁ ଛାତିରେ ଜାକି ଧରିଲେ ।

 

ଏସ୍.ପି. ମି: ରାୟଙ୍କ ଖାସ୍ କାମରାରେ ଗୋଟିଏ ଛୋଟକାଟର ଗୁପ୍ତ ବୈଠକ ଚାଲିଥିଲା । ସେଠି ଉପସ୍ଥିତ ଥିଲେ ମି: ରାୟ, ମି: ଚୌଧୁରୀ, ଶରତ୍, ଶଙ୍କରପ୍ରସାଦ, ଆଉ କେତେଜଣ ବିଶ୍ୱାସୀ ପୋଲିସ ଅପିସର । ସମସ୍ତଙ୍କ ମନରେ ବିସ୍ମୟ । କେଡ଼େ କୌଶଳୀ ଏ ଦସ୍ୟୁ-! ତା’ର ଗୁପ୍ତଆଡ଼୍ଡ଼ାଟା କେଉଁଠି ଜଣାଗଲା ନାହିଁ ଏଯାଏ-!!

 

‘‘ମୁଁ କହୁଛି, ଆପଣ ଆଗ ରାଧାଶ୍ୟାମକୁ ଗିରଫ କରିଆଣନ୍ତୁ ।’’ କହିଲେ ମି: ରାୟ । ‘‘ତେବେ ତ ଆମର ସ୍ୱାର୍ଥ ସିଦ୍ଧି ହେବ ନାହିଁ । ତା’ ପର ରାଧାଶ୍ୟାମ ଦୋଷୀ ବୋଲି ଆମ ପାଖରେ କିଛି ପ୍ରମାଣ ନାହିଁ’’–କହିଲେ ମି: ଚୌଧୁରୀ ।

 

‘‘ତେବେ ଉପାୟ ?’’ ଚିନ୍ତିତ ହୋଇ ପଚାରିଲେ ମି: ରାୟ ।

 

ମି: ଚୌଧୁରୀ ଆଗକୁ ଟିକିଏ ଝୁଙ୍କିପଡ଼ି କହିଲେ–‘‘ଉପାୟ ତ ବହୁତ ଅଛି ସାର୍ । ତେବେ ସବୁଠାରୁ ସହଜ ଉପାୟ ହେଉଛି, ପ୍ରସାଦ ତାଙ୍କର ଅସଲ ନକ୍ସାଟି କାଢ଼ି ନକଲଟିଏ ତା ସ୍ଥାନରେ ରଖିଦିଅନ୍ତୁ । କାଲି ନିଶ୍ଚୟ ତାଙ୍କ ପାଳି । ସେ ଏଥିରେ ସେମିତି କିଛି ବାଧାଦେବେନାହିଁ । ଆମେ ଏ ଅବସରରେ ଆଡ଼୍ଡ଼ାର ସନ୍ଧାନ ନେବୁ, ତା’ ପରେ ଯାହା କରାଯିବାର କଥା....’’

 

‘‘ଆପଣ କିମିତି ଜାଣିଲେ କାଲି ଶଙ୍କରପ୍ରସାଦଙ୍କ ପାଳି ?’’ ମଥାଟେକି ପଚାରିଲେ ମି: ରାୟ ।

 

‘‘ବୁଝିଲେନି ସାର୍ ! ସୁବ୍ରତକୁ ହରଣଚାଲ କରିବାରେ ଦସ୍ୟୁର ଉଦ୍ଦେଶ୍ୟ କ’ଣ ଥାଇପାରେ ? ତା’ ଜୀବନ ର ଡର ଦେଖାଇ ସେ ନକ୍ସାର ଖବର ପାଇବ ନିଶ୍ଚୟ ସୁକାନ୍ତବାବୁଙ୍କ ଠାରୁ । ତା’ ପରେ ତାଙ୍କର କାମ ହାସଲ କରିବାପାଇଁ ପ୍ରସାଦଙ୍କୁ ଖୋଜା ପଡ଼ିବ ।’’ ଦକ୍ଷ ଅଭିନେତା ଭଳି ଆବୃତ୍ତି କରୁଥିଲେ ମି: ଚୌଧୁରୀ ।

 

‘‘ତେବେ ଶଙ୍କରପ୍ରସାଦଙ୍କ ବିପଦ ତ ବର୍ତ୍ତମାନ ବେଶୀ ।’’ ଭ୍ରୂଲତା ଟେକି ପଚାରିଲେ ମି: ରାୟ ।

 

ପ୍ରସାଦଙ୍କ ମୁହଁଟି ଶୁଖି ଯାଉଥିଲା ତାଙ୍କର ସେ କଥା ଶୁଣି; ସେ କାଠପରି ବସି ରହିଥିଲେ ଯାହା ।

 

‘ତା ନିଶ୍ଚୟ !’ ଟେବୁଲ ଉପରେ ହାତ ବାଡ଼େଇ କହିଲେ ମି: ଚୌଧୁରୀ । ‘‘ତେବେ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, ତାଙ୍କର କିଛି ହେଲେ କ୍ଷତି ହେବ ନାହିଁ । ସେ ବିଷୟରେ ନିଶ୍ଚିନ୍ତ ରହନ୍ତୁ-।’’

 

ସ୍ୱସ୍ତିର ହସ ଫୁଟି ଉଠୁଥିଲା ଏସ୍.ପି.ଙ୍କ ଓଠରେ । ହସୁ ହସୁ ସେ କହୁଥିଲେ–‘‘ବେଶ୍ ! ଦେଖାଯାଉ କ’ଣ କରୁଛନ୍ତି ଆପଣ ।’’

 

ମି: ଚୌଧୁରୀ କହିଲେ–‘‘ଆଉ ଗୋଟିଏ କଥା ସାର୍ ! ଖୁବ୍ ଗୋପନରେ ଅନ୍ତତଃ ପଚାଶ ଜଣ ପୋଲସ ପ୍ରସ୍ତୁତ ରହିବା ଦରକାର ।’’

 

‘‘ଓ, ସେ ବିଷୟରେ ଆପଣ ନିଶ୍ଚୟ ରହନ୍ତୁ । ମୁଁ ସବୁ ଠିକ୍ କରିଦେବି’’–ଉଠୁ ଉଠୁ କହିଲେ ମି: ରାୟ ।

 

ସମସ୍ତେ ବିଦାୟ ହୋଇଗଲେ । ମି ଚୌଧୁରୀଙ୍କ ଅନୁରୋଧ କ୍ରମେ ଶଙ୍କରପ୍ରସାଦ ତାଙ୍କରି ବାସଭବନରେ ସାମାନ୍ୟ ଚା ଖାଇ ଫେରିଲେ । ମି: ଚୌଧୁରୀ ତାଙ୍କୁ ଘରେ ଛାଡ଼ି ଦେଇ ଆସିବାପାଇଁ ବାହାରିଲେ । ସାଙ୍ଗରେ ଶରତ୍ ଆଉ ଟାଇଗର ମଧ୍ୟ । ଇଚ୍ଛା, ହୁଏତ ସେ ଆଡ଼ୁ ରାଧାଶ୍ୟାମବାବୁଙ୍କ ଖବର ମଧ୍ୟ ଟିକେ ବୁଝି ଆସିବେ ।

 

ବାଟରେ ଏଣୁ ତେଣୁ ନାନା କଥା ଭିତରେ ନକ୍ସା କଥା ପଡ଼ିଲା । ଶଙ୍କରପ୍ରସାଦ କହିଲେ–‘‘ମି: ଚୌଧୁରୀ, ମୁଁ ଭାବୁଛି, ସେ ଖଣ୍ଡ ତୁମ ପାଖରେ ରହିଲେ ବଡ଼ ନିରାପଦରେ ରହନ୍ତା-।’’

 

ମି: ଚୌଧୁରୀ ଷ୍ଟିଅରିଂଟା ମୋଡ଼ୁ ମୋଡ଼ୁ କହିଲେ–‘‘ମୁଁ ମଧ୍ୟ ସେଇଆ ଭାବୁଥିଲି, ଅବଶ୍ୟ ତୁମର ଆପତ୍ତି ନଥିଲେ.....’’

 

‘‘ନା ନା, ମୋର କିଛି ଆପତ୍ତି ନାହିଁ । ଚାଲ, ସେଟା ମୁଁ ତୁମକୁ ଦେଲେ ଆପତତଃ ଗୋଟାଏ ଆଡ଼ୁ ନିଶ୍ଚିନ୍ତ ହେବି ।’’

 

ଏହିପରି କଥାବାର୍ତ୍ତା ହେଉ ହେଉ ସେମାନେ ଶଙ୍କରପ୍ରସାଦଙ୍କ ଘରଠାରେ ପହଞ୍ଚି ଯାଇଥିଲେ । ବୈଠକଖାନାରେ ଏମାନଙ୍କୁ ବସାଇ ଦେଇ ଶଙ୍କରପ୍ରସାଦ ଭିତରକୁ ଚାଲିଗଲେ । ସେପର୍ଯ୍ୟନ୍ତ ଶଙ୍କରପ୍ରସାଦଙ୍କ ସ୍ତ୍ରୀ ବାହୁନି କାନ୍ଦୁଥାନ୍ତି । ଘରେ ରୋଷେଇବାସ ହୋଇ ନଥାଏ ବୋଧେ । ଅଳ୍ପ ସମୟ ମଧ୍ୟରେ ଶଙ୍କରପ୍ରସାଦ ଫେରିଲେ–ହାତରେ ତାଙ୍କର ଗୋଟିଏ ପିତ୍ତଳ କଣ୍ଢେଇ । ମି: ଚୌଧୁରୀ ସେଇଟିକୁ ହାତରେ ନେଇ ଦେଖିଲେ । କିନ୍ତୁ ଏଥିରେ ନକ୍ସା କାହିଁ ?

 

ମି: ଚୌଧୁରୀଙ୍କ ମନକଥା ବୁଝିନେଲେ ଶଙ୍କରପ୍ରସାଦ । ସେ ତାଙ୍କ ହାତରୁ କଣ୍ଢେଇଟି ନେଇ ତା’ର ଦୁଇ ବାହୁ ଚାପିଦେଲେ । କଣ୍ଢେଇଟି ଦୁଇଫାଳ ହୋଇଗଲା । ତା’ରି ଭିତରେ ଲେଖା ହୋଇ ରହିଛି କାଗଜଟି । ସେଇଟାହିଁ ନକ୍ସା । ଶଙ୍କରପ୍ରସାଦ ସେ କାଗଜଖଣ୍ଡି ବାହାର କରି ଆଣିଲେ । ତା’ ସ୍ଥାନରେ ମି: ଚୌଧୁରୀ ଆଉ ଖଣ୍ଡିଏ କାଗଜ ରଖି ଦେଲେ ଏଣୁ ତେଣୁ ଗାରଗୁଡ଼ିଏ ଟାଣି । ଅସଲ ନକ୍ସାଟି ଖୁବ୍ ଯତ୍ନରେ ପକେଟରେ ପୁରାଇ କଣ୍ଢେଇଟିକୁ ପୂର୍ବପରି ବନ୍ଦ କରିଦେଲେ-

 

ଦିନ ଦଶଟା ବାଜି ଯାଇଥିଲା ସେତେବେଳକୁ । ବାହାର ବାରଣ୍ଡାରେ ଗୋଟାଏ ଆରାମ୍ ଚୌକିରେ ବସି ରାଧାଶ୍ୟାମବାବୁ ସିଗାରେଟ୍‍ର ସଦ୍‍ବ୍ୟବହାର କରୁଥିଲେ । ମି: ଚୌଧୁରୀ ଫାଟକ ପାଖରେ ଗାଡ଼ି ବନ୍ଦ କରିବାର ଦେଖି ସେ ‘ନମସ୍କାର, ନମସ୍କାର’ କହୁ କହୁ ଫାଟକ ପର୍ଯ୍ୟନ୍ତ ଚାଲି ଆସିଲେ । ପୋଷାକ ଥିଲା ତାଙ୍କର ସୁଟ୍‍କୋଟ୍‍, ଗରମ ଦିନରେ ବି । ଡାହାଣ ଗୋଡ଼ଟା ଟିକେ ଛୋଟେଇ ଛୋଟେଇ ପକାଉଥିଲେ । ଅବଶ୍ୟ ସେଟା ଖୁବ୍ ସାବଧାନରେ, ଅନ୍ୟକୁ ଜଣାଇ ନ ଦେବାପାଇଁ । କିନ୍ତୁ ମି: ଚୌଧୁରୀଙ୍କ ତୀକ୍ଷ୍ଣଦୃଷ୍ଟି ଏଡ଼ାଇ ପାରି ନ ଥିଲା ସେଟା ।

 

ବାରଣ୍ଡାରେ ତିନିଖଣ୍ଡ ଚୌକୀରେ ବସିଲେ ତିନିଜଣ । ଟାଇଗର ବ୍ୟସ୍ତ ହୋଇ ପଡ଼ୁଥାଏ, ସେ ଶୁଂଘି ଶୁଂଘି ରାଧାଶ୍ୟାମବାବୁଙ୍କ ଆଡ଼କୁ ଟାଣି ହୋଇ ଯାଉଥାଏ । ବେଳେ ବେଳେ ‘ଭାଓ, ଭାଓ’ କରି ଗର୍ଜି ଉଠୁଥାଏ । ଶରତ୍ ଏ ସବୁ ଦେଖି ମି: ଚୌଧୁରୀଙ୍କ ଆଡ଼କୁ ଚାହିଁ ଟିକିଏ ଟିକିଏ ହସୁଥାଏ । ବୋଧହୁଏ ଶରତ୍ ଯଦି ଟାଇଗରକୁ ଭିଡ଼ି ଧରି ନଥାନ୍ତା, ତେବେ ସେ ରାଧାଶ୍ୟାମବାବୁଙ୍କୁ ଝୁଣି ଦିଅନ୍ତା କି କ’ଣ ?

 

ରାଧାଶ୍ୟାମବାବୁଙ୍କୁ କିଛି ପଚାରିବାର ଇଚ୍ଛା ନ ଥିଲେ ବି ଖାଲି ଆସିବାର ଉଦ୍ଦେଶ୍ୟ ଗୋପନ ରଖିବା ପାଇଁ ସେ ତାଙ୍କୁ ଏଣୁ ତେଣୁ କେତେକଥା ପଚାରିଗଲେ । ରାଧାଶ୍ୟାମବାବୁଙ୍କ ଠାରୁ ଉତ୍ତର ଯାହା ନେଲେ ସେଥିରେ ସତ ତ ନଥିଲା ଆଦୌ, ଖାଲି ଶଙ୍କରପ୍ରସାଦଙ୍କୁ ଅଭିଯୁକ୍ତ କରିବା ପାଇଁ ମିଛଗୁଡ଼ିଏ ଥିଲା ଯାହା । ମି: ଚୌଧୁରୀ ଗଳାଟା ପରିଷ୍କାର କରି କହିଲେ–‘‘ଦେଖନ୍ତୁ ରାଧାଶ୍ୟାମବାବୁ, ରତ୍ନମଞ୍ଜରୀଦେବୀଙ୍କୁ କଥାଏ ଦୁଇକଥା ପଚାରିବାର ଅଛି । କିଛି ଅସୁବିଧା ହେବ ?’’

 

‘‘କିଛି ନାହିଁ, କିଛି ନାହିଁ; ତେବେ କଥା କ’ଣ କି ? ଏ ବିଷୟରେ ସେ ମୋଟାମୋଟି ପାଗଳିନୀ କହିଲେ ଚଳେ । କାହାକୁ କେତେବେଳେ କ’ଣ କହୁଛନ୍ତି ଠିକ୍ ନାହିଁ । ବରଂ ଆପଣ ଆଉ ଦିନେ ଆସନ୍ତୁ ।’’ ଚଟାପଟ୍ କହି ପକାଇଲେ ରାଧାଶ୍ୟାମବାବୁ । ‘ହଉ; ଆପଣଙ୍କର ଯେମିତି ଇଚ୍ଛା’ କହି ଉଠୁ ଉଠୁ ମି: ଚୌଧୁରୀ ପୁଣି ଚମକି ପଡ଼ିଲାପରି ହୋଇ କହିଲେ–‘‘ଆରେ ସତେ ତ, ଆଉ ଗୋଟାଏ କଥା ତ ମୁଁ ଭୁଲି ଯାଇଛି । କଥାଟା କ’ଣ କି, ଆମେ ଶୁଣିଛୁ, ଆପଣ ଜଣେ ଭଲ ଶିକାରୀ । କାଲି ଆମେ କେତେଜଣ ଗୋଟାଏ ଜଙ୍ଗଲକୁ ଶିକାର କରି ଯାଉଛୁ, ଶିକାର ହେବ । ଆପଣ ଚାଲନ୍ତୁ ନା ? ବଡ଼ ମଜାଟା ହୁଅନ୍ତା ଏକା !’’

 

ମି: ଚୌଧୁରୀଙ୍କ କଥା ଶୁଣି ମନଟା ପ୍ରଫୁଲ୍ଲ ହୋଇ ଉଠିଲା ରାଧାଶ୍ୟାମବାବୁଙ୍କର । କିନ୍ତୁ ସେ ଭାବ ସେ ଲୁଚାଇ ରଖି ଯଥା ସମ୍ଭବ ମୁହଁ ଶୁଖାଇ କହିଲେ, ‘‘ମୋ ଭାଗ୍ୟରେ ସେ ଆନନ୍ଦ ବିଧାତା ଲେଖିନାହିଁ ମି: ଚୌଧୁରୀ । ରତ୍ନମଞ୍ଜରୀଙ୍କ ଅବସ୍ଥା ଭଲ ନୁହେଁ । ତାଙ୍କୁ ନେଇ କାଲି ମୋତେ କଲିକତା ଯିବାକୁ ହେବ, ଚିକିତ୍ସାପାଇଁ । ଯଦି ଭାଗ୍ୟରେ ଥାଏ, ଆଉ ପୁଣି କେବେ... ।’’

 

‘‘ଆଚ୍ଛା ଆଚ୍ଛା, ଆମେ ଆସୁ ।’’ କହୁ କହୁ ବାହାରକୁ ଓହ୍ଲାଇ ପଡ଼ିଲେ ମି: ଚୌଧୁରୀ; ପଛେ ପଛେ ଶରତ୍, ଆଉ ଟାଇଗର ।

 

–ଏଗାର–

 

ଅମାବାସ୍ୟା ରାତ୍ରି । ଘୋର ଅନ୍ଧାକାର ଭିତରେ ନିଶ୍ଚିହ୍ନ ହୋଇ ଯାଇଛି ଗଛଲତା ସବୁ । ରାତି ପ୍ରାୟ ବାରଟାରୁ ବଳେଇ ଗଲାଣି ସେତେବେଳକୁ । ଯେ ଯେଉଁଆଡ଼େ ଶୋଇ ଗଲେଣି । ବାହାର ଜଗତରେ ଆଉ ସୋର୍ ଶବ୍ଦ ନାହିଁ କହିଲେ ଚଳେ ।

 

ମି: ଚୌଧୁରୀ ହାତ ଘଡ଼ିକୁ ଚାହିଁଲେ । ରେଡ଼ିୟମ୍ ଅଙ୍କଗୁଡ଼ା ଦାଉ ଦାଉ କରି ଉଠୁଛି–ଗୋଟାଏ ବାଜିବାକୁ ପାଞ୍ଚ ମିନିଟ । ଜଙ୍ଗଲିଆ ଜାଗାଟାରେ ବସି ବସି ଦେହ ହାତ ଘୋଳେଇ ଉଠିଲାଣି । ଏଣେ ମଶାଗୁଡ଼ାକଙ୍କ ଅତ୍ୟାଚାର ଭାଷାରେ ପ୍ରକାଶ କରିବାର ନୁହେଁ । ବଡ଼ ଅଧୈର୍ଯ୍ୟ ହୋଇ ଶରତ୍ ଶେଷକୁ କହିଲା–‘‘ଆମେ କ’ଣ ଆଉ ଭୁଲ୍ ଜାଗାରେ ରହିଲେ ସାର୍ ?’’

 

‘‘ନାଁ ତ ! ସେଦିନ ଗାଡ଼ିଟା ତାଙ୍କର ଏଇଠି ଥିଲା ନା ? ତେବେ ଏଇତ ଠିକ୍ ।’’ ମି: ଚୌଧୁରୀ ଏତକ କହି ଦୂରକୁ ଚାହିଁଲେ–ବହୁତ ଦୂରରୁ ଜୁଳୁଜୁଳା ପୋକ ପରି କ’ଣ ଦୁଇଟି ଦିଶିଗଲା । ମି: ଚୌଧୁରୀ ଧୀର ସ୍ୱରରେ କହିଲେ–‘ଏଇ ହେବ ପରା !’

 

ପ୍ରାୟ ଦୁଇ ମିନିଟ ପରେ ଗାଡ଼ିର ଘର୍ ଘର୍ ଶବ୍ଦ ଶୁଣାଗଲା । କିନ୍ତୁ ଆଲୁଅ ନାହିଁ । ଦସ୍ୟୁ ମହା ଚାଲାକ । ଆଲୁଅ ଲିଭାଇ ଦେଇଛି । ଗାଡ଼ିଟି ମି: ଚୌଧୁରୀଙ୍କ ଥିବା ଜାଗାଠାରୁ ପ୍ରାୟ ଦଶହାତ ଦୂରରେ ଛିଡ଼ା ହେଲା । ତା ଭିତରୁ ତିନିଜଣ କଳା ପୋଷାକଧାରୀ ଓହ୍ଲାଇ ପଡ଼ିଲେ ତଳକୁ, ଖୁବ୍ ସତର୍କ ଦୃଷ୍ଟି ଚାରିଆଡ଼କୁ ଦେଇ । ଡ୍ରାଇଭର ଛଡ଼ା ଅନ୍ୟ ତିନିଚଣ ପାଦ ଚିପି ଚିପି ଚାଲିଲେ ଶଙ୍କରପ୍ରସାଦଙ୍କ ବାସଭବନ ଆଡ଼େ ।

 

ଦେହରେ ହାତ ମାରି ଇସାରାରେ ଶରତକୁ କ’ଣ ବୁଝାଇ ଦେଲେ ମି: ଚୌଧୁରୀ । ଡ୍ରାଇଭର ଜଣକ ଖୁବ୍ ସତର୍କ ହୋଇ ବସିଥାଏ, ଆଉ ବେଳେ ବେଳେ ଏମାନଙ୍କ ଆସିବା ବାଟକୁ ବ୍ୟଗ୍ର ହୋଇ ନିରେଖି ଚାହୁଁ ଥାଏ । ଶରତ୍ ପାଦ ଚିପି ଚିପି ଯାଇଁ ଖୁବ୍ ଧୀରେ ଗାଡ଼ି ପଛରେ ଲୁଛି ଛିଡ଼ା ହେଲା । ଦସ୍ୟୁ ଡ୍ରାଇଭର କିଛି ହେଲେ ଜାଣିପାରିଲା ନାହିଁ ।

 

ପ୍ରାୟ ଘଣ୍ଟାଏ ଭିତରେ ଦସ୍ୟୁ ତିନିଜଣ ଫେରିଲେ । ସେମାନଙ୍କ ଭିତରୁ ଦୁଇଜଣ କ’ଣ ଗୋଟିଏ ଓଜନଦାର ଜିନିଷ କାନ୍ଧେଇ ଧରିଥାନ୍ତି । ଗାଡ଼ି ପାଖରେ ପହଞ୍ଚି ସେମାନେ ସେଟାକୁ ଦୁମ୍ କରି ଭିତରେ କଚାଡ଼ି ଦେଲେ । ମି: ଚୌଧୁରୀ ଜାଣିଲେ–‘ଏ ଶଙ୍କର ପ୍ରସାଦ ।’ ଗାଡ଼ିଖଣ୍ଡିକ ସେଇ ଅନ୍ଧାର ଭିତରେ ଚାଲିଲା ଆଗକୁ । ସମସ୍ତଙ୍କ ଅଲକ୍ଷ୍ୟରେ ଶରତ୍ ଗାଡ଼ି ପଛରେ ଲୁଚି ରହି ଚାଲିଗଲା । ବୁଦା ପାଖରେ ଥାଇ ମି: ଚୌଧୁରୀ ହସି ଉଠିଲେ ମନେ ମନେ ।

 

ରାତି ଅଢ଼େଇଟା । ମି: ଚୌଧୁରୀ ତାଙ୍କ ବାସଭବନର ବାରଣ୍ଡାରେ ଟହଲୁଛନ୍ତି । ଘର ଭିତରକୁ ଯାଇ ଶୋଇବାର ଇଚ୍ଛା ନାହିଁ । ଥରକୁ ଥର ସେ ଦୂରକୁ ଲକ୍ଷ୍ୟ କରି ଚାହୁଁଛନ୍ତି । ପୁଣି ପାଦ ଶବ୍ଦକୁ କାନ ଡେରୁଛନ୍ତି । ତାଙ୍କର ଦୃଢ଼ ବିଶ୍ୱାସ, ଶରତ୍ ଅଳ୍ପ ସମୟ ମଧ୍ୟରେ ଫେରିବ ନିଶ୍ଚୟ-। ସାମାନ୍ୟ ବିଳମ୍ୱ ମଧ୍ୟ ତାଙ୍କୁ ଯୁଗପରି ଲାଗୁଛି । ଏପରି ଗୋଟାଏ ବିପଦପୂର୍ଣ୍ଣ ସ୍ଥାନକୁ ତାକୁ ପଠାଇ ହୁଏତ ସେ ବୁଦ୍ଧିମାନର କାମ କରିନାହାନ୍ତି ।

 

ହଠାତ୍ ଟିକିଏ ଦୂରରୁ କାହାର ଧାଇଁ ଧାଇଁ ଆସିବାର ଶବ୍ଦ ଶୁଣାଗଲା । ମି: ଚୌଧୁରୀଙ୍କ ମନରେ ଆଶା ଜାଗି ଉଠିଲା । ଶରତ୍ ଆସୁଛି ନିଶ୍ଚୟ । ତେବେ ଦୌଡ଼ି ଦୌଡ଼ି କାହିଁକି ? ଆଉ କ’ଣ କିଛି ବିପଦ... ଭାବୁ ଭାବୁ ସଦର ଦରଜା ନିକଟରେ ପହଞ୍ଚିଲେ । ମି: ଚୌଧୁରୀ ପାଖକୁ ଚାଲିଆସି ବ୍ୟସ୍ତ ହୋଇ ପଚାରିଲେ–‘‘ଶରତ୍ ! ଖବର କ’ଣ ?’’

 

‘‘ସେସବୁ ପରେ ସାର୍ । ବର୍ତ୍ତମାନ ଖୁବ୍ ଶୀଘ୍ର ଆମକୁ ଯିବାକୁ ହେବ ସମୁଦ୍ର କୂଳର ସେଇ ଲେଭଲ୍ କ୍ରସିଂ ପାଖକୁ । ଖୁବ୍ ଶୀଘ୍ର, ମେଲ୍ ଟ୍ରେନ୍ ଆସିବାପୂର୍ବରୁ ।’’ ଖୁବ୍ ବ୍ୟଗ୍ରହୋଇ କହି ପକାଇଲେ ଶରତ୍ ।

 

ମି: ଚୌଧୁରୀ ଘଟଣା କିଛି କିଛି ଅନୁମାନ କରି ପାରୁଥିଲେ । ସେ ଚଟ୍ କରି ହାତ ଘଡ଼ିକୁ ଅନାଇ ଦେଲେ । ଇସ୍ ! ମେଲ୍ ଆସିବାକୁ ଆଉ ମାତ୍ର ସାତ ମିନିଟ୍ ବାକି । ଧାଇଁ ଯାଇ ସେ ଗ୍ୟାରେଜ୍ ଖୋଲିଦେଲେ । ସଙ୍ଗେ ସଙ୍ଗେ ଦୁଇଖଣ୍ଡ ମଟର ସାଇକେଲରେ ଦୁହେଁ ବାହାରି ପଡ଼ିଲେ । ଲେଭଲ୍ କ୍ରସିଂ ! ଊଣା ଅଧିକେ ଦଶ ମାଇଲରୁ କମ୍ ନୁହେଁ । ସମୟ ଆଉ ମୋଟେ ପାଞ୍ଚ ମିନିଟ୍ । ହେ ଭଗବାନ୍ !

 

ଶେଷ ରାତ୍ରିର ଗଭୀର ନିସ୍ତବ୍ଧତା ଭଙ୍ଗ କରି ପାଗଳ ପରି ଛୁଟିଚି ଦୁଇଟା ମଟର ସାଇକେଲ, ସମୁଦ୍ରକୂଳ ରାସ୍ତା ଦେଇ । ସତେ ଯେମିତି ଦୁଇଟା ଉଲ୍‍କା ଖସି ଆସିଛି । ଖଣ୍ଡେ ଦୂରରୁ ଟ୍ରେନ୍‍ ଝିଲି ମିଲି ଆଲୁଅ ଦିଶିଗଲା । ଲେଭଲ୍ କ୍ରସିଂ ଠାରୁ ବେଶୀ ଦୂର ନାହିଁ ବୋଧେ । ଆହା, ବିଚାରା ଶଙ୍କରପ୍ରସାଦ ! ଘୁ କରି ବଢ଼ିଗଲା ପୁଣି ମଟର ସାଇକେଲର ବେଗ ।

 

ଟ୍ରେନ୍‍ଟା ପାଖେଇ ଅସିଲାଣି । ତା’ର ଉଜ୍ଜ୍ୱଳ ଆଲୋକ ବିଛୁରି ପଡ଼ିଲାଣି ଧାରଣା ଉପରେ । ହଠାତ୍ ବେଗବାନ ଯାନ ଦୁଇଟା ବ୍ରେକ୍‍କଲା କ୍ରସିଂ ପାଖରେ । ଆରୋହୀ ମି: ଚୌଧୁରୀ ଏକ ପ୍ରକାର କୁଦି ପଡ଼ିଲେ କହିଲେ ଚଳେ । ସମୁଦାୟ ଲାଇନଟା ଟ୍ରେନ୍‍ ଆଲୋକରେ ଆଲୋକିତ-। ମି: ଚୌଧୁରୀ ଲାଇନ ଉପରେ ଲକ୍ଷ୍ୟ କଲେ–ଆଗରେ କ’ଣ ଗୋଟାଏ ଧଳା ହୋଇ ଥୁଆ ହୋଇଛି । ଟ୍ରେନ୍‍ଟା ଖୁବ୍ ପାଖେଇ ଆସିଲାଣି ସେତେବେଳକୁ । ପାଗଳ ପରି ଧାଇଁଗଲେ ମି: ଚୌଧୁରୀ । ବାଘ ପରି ଝାମ୍ପି ପଡ଼ିଲେ ଧଳା ଜିନିଷଟା ଉପରେ । ତା’ ପର ମୁହୂର୍ତ୍ତରେ ତାକୁ ଟେକି ଲାଇନ କଡ଼କୁ ଗଡ଼ି ଆସିଲେ । ଠିକ୍ ସେଇ ମୁହୂର୍ତ୍ତରେ ମେଲ ଟ୍ରେନ୍ ଭୁଷ୍ ଭୁଷ୍ ଗର୍ଜନ କରି ଛୁଟି ଚାଳିଗଲା ।

 

ମି: ଚୌଧୁରୀ ଠିଆ ହୋଇ ସ୍ୱସ୍ତୀର ନିଶ୍ୱାସ ମାରିଲେ । ଓଃ ! ଭଗବାନ, ଆଉ ଟିକେକେ ତ ସରିଥିଲା ସବୁ !

 

ଶରତ୍ ଆଉ ମି: ଚୌଧୁରୀଙ୍କ ଯତ୍ନରେ ଜ୍ଞାନ ଫେରିଲା ଶଙ୍କରପ୍ରସାଦଙ୍କର । ସବୁ ଘଟଣା ଶୁଣି ସେ ମନେ ମନେ ଅଶେଷ ଧନ୍ୟବାଦ ଦେଲେ ମି: ଚୌଧୁରୀଙ୍କୁ । କେତେ ଘଣ୍ଟା ତଳେ ଘଟିଥିବା ଘଟଣା ସବୁ ମନେ ପଡ଼ି ଦେହଟା ଶୀତେଇ ଉଠିଲା ତାଙ୍କର ।

 

ଶଙ୍କରପ୍ରସାଦଙ୍କୁ ସାଙ୍ଗରେ ଧରି ଫେରିଲେ ମି: ଚୌଧୁରୀ ଆଉ ଶରତ୍ । ରାତି ପାହିବାକୁ ଆହୁରି ଡେରି ଅଛି ସେତେବେଳକୁ ।

 

ଶଙ୍କରପ୍ରସାଦଙ୍କ ମୁଣ୍ଡରୁ ବିଷ ବାଷ୍ପର କ୍ରିୟା ଲୋପ ପାଇ ନଥାଏ ସେତେବେଳ ପର୍ଯ୍ୟନ୍ତ । ମି: ଚୌଧୁରୀ ନିଜ ବାସଭବନରେ ତାଙ୍କର ବିଶ୍ରାମର ବ୍ୟବସ୍ଥା କରି ଦେଇ ଫେରି ଆସିଲେ ଶରତ୍ ନିକଟକୁ । ପୋଷାକ ଖୋଲି ରଖୁ ରଖୁ ସେ ପଚାରିଲେ–‘‘ତା’ ପରେ କ’ଣ ହେଲା ଶରତ୍ !’’

 

‘‘–ତା’ ପରେ ଗାଡ଼ି ଖୁବ୍ ବେଗରେ ଛୁଟି ଚାଲିଲା । ଯେତେବେଳେ ଗାଡ଼ିର ବେଗ କମିଲା, ମୁଁ ଜାଣିପାରି ଆଗରୁ ଟିକେ ଓହ୍ଲାଇ ଗଲି । ସେମାନେ ମଧ୍ୟ ଶଙ୍କରପ୍ରସାଦଙ୍କୁ ଟେକି ନେଇ ଚାଲିଗଲେ । ମୁଁ ଟିକେ ଦୂରରେ ରହି ଆଗେଇଲି । ସମୁଦ୍ର କୂଳରେ ସେ ଯେଉଁ ଭୂତ କୋଠିଟା ନାହିଁ, ସେମାନେ ସେଇ କୋଠିର ଦରଜାରେ ପହଞ୍ଚିଲେ । ଦରଜା ପାଖରେ ଜଣେ ଅପେକ୍ଷା କରିଥିଲା । ବୋଧହୁଏ ସର୍ଦ୍ଦାର ହେବ । ଏମାନଙ୍କଠାରୁ ସେ କଣ୍ଢେଇଟି ନେଇ ବେଶ୍ ଖୁସି ହୋଇଗଲା । ତା’ପରେ ଶଙ୍କରପ୍ରସାଦଙ୍କୁ ଦେଖି ସେ ଭାରି ଚିଡ଼ିଲା ତା’ ଲୋକଙ୍କ ଉପରେ । ତା’ର ହୁକୁମ ଥିଲା ବୋଧହୁଏ ଶଙ୍କରପ୍ରସାଦ ବା ନକ୍ସା–କଣ୍ଢେଇ ଦୁଇଟି ଭିତରୁ ଗୋଟିଏ ନେବାକୁ । କିନ୍ତୁ ଏମାନେ ଯୋଡ଼ିକଯାକ ନେଇଥିଲେ । ତହୁଁ ସେ ତାଙ୍କୁ ରେଳ ଲାଇନ ଉପରେ ରଖି ଦେଇ ଆସିବାକୁ କହିଲା । ଏମାନେ ପୁଣି ଗାଡ଼ିରେ ଫେରିଲେ । ଆଉ ମୁଁ ଏଣେ... ।’’ କହିଲେ ଶରତ୍ ।

 

‘‘ଆଚ୍ଛା, ରାଧାଶ୍ୟାମ ସେଠି ଥିଲା କି ?’’ କୋର୍ଟର ବୋତାମ ଖୋଲୁ ଖୋଲୁ ପଚାରିଲେ ମି: ଚୌଧୁରୀ ।

 

‘‘ନା, ସାର୍ ! ତେବେ ସେ କାଲି ରାତିକୁ ସେଠିକି ଯିବ । ତାକୁ ଖବର ଦେବାକୁ ସେ ଲୋକଟି ଜଣକୁ କହିଲା, ମୁଁ ଶୁଣିଛି ।’’ ଉତ୍ତର ଦେଲା ଶରତ୍ ।

 

‘‘ବେଶ୍, କାଲିକି ଆମେ ଏ ସବୁର ସମାଧାନ କରିଦେବା ।’’

 

–ବାର–

 

ମି: ଚୌଧୁରୀଙ୍କ ଆଖିକୁ ନିଦ ନଥିଲା; ସକାଳ ହେବାକୁ ସେ ଅପେକ୍ଷା କରିଥିଲେ ଯେପରି । ସୂର୍ଯ୍ୟ ଉଦୟ ହେବାକ୍ଷଣି ସେ କାର ଛୁଟାଇ ଚାଲିଲେ ଏସ୍.ପି.ଙ୍କ କୋଠି ଆଡ଼େ । ମି: ରାୟ ସେଇ ମାତ୍ର ବିଛଣା ଛାଡ଼ିଥିଲେ । ମି: ଚୌଧୁରୀଙ୍କ ଚାତୁରୀ ଆଉ କାର୍ଯ୍ୟ କଳାପ କଥା ଶୁଣି ବିସ୍ମିତ ହୋଇ ପଡ଼ୁଥିଲେ ସେ । ସେଠାରେ କେତେକ ବିଷୟ ପରାମର୍ଶ କରି ପୁଣି ଫେରିଲେ ଆପଣା ବାସ ଭବନକୁ । ଶଙ୍କରପ୍ରସାଦ ଉଠି ନାହାନ୍ତି ସେତେବେଳେ ଯାଏ; କେବଳ ଶରତ୍ ନିତ୍ୟକର୍ମ ଶେଷ କରି ସାରିଛି । ସେଠାରେ ତାଙ୍କୁ କେତେକ ଉପଦେଶ ଦେଇ ଟାଇଗରକୁ ସାଥିରେ ନେଇ ବାହାରି ପଡ଼ିଲେ ଭୂତକୋଠି ଅଭିମୁଖରେ । ଆଗରୁ ରାସ୍ତା ଘାଟର ସୁବଧା ନ ଦେଖିଲେ ନଚଳେ ।

 

ଭୂତକୋଠି; କାହିଁ କେତେକାଳର ପୁରୁଣା କୋଠା । କେତେ ପୈଶାଚିକ ଅଭିନୟର ସାକ୍ଷୀ ହୋଇ ସେଇ ସମୁଦ୍ର ପନ୍ତରାରେ ଠିଆ ହୋଇଛି ଗୋଟାଏ ବିଭୀଷିକା ଭଳି । ଚାରିପାଖ ତା’ର ଦୁର୍ଗମ ଜଙ୍ଗଲ । କଣ୍ଟା ଝଟାରେ ପରିପୂର୍ଣ୍ଣ । ଭୁଲରେ ଦିନେ କେହି ସେଠି ପାଦ ପକାଏ କି ନା ସନ୍ଦେହ । ମି: ଚୌଧୁରୀ ପଛ ପଟୁ ସେଇ କୋଠିଆଡ଼କୁ ଯାଉଥିଲେ । ଚାରିଆଡ଼କୁ ସତର୍କ ଦୃଷ୍ଟି; କାଳେ କିଏ କେଉଁଠି ଥିବ । ସତର୍କ, ସୁଶିକ୍ଷିତ ଟାଇଗର ବି ପ୍ରଭୁର ସଙ୍କେତ ପାଇ ଆଗେ ଆଗେ ଶୁଙ୍ଘି ଚାଲିଥାଏ । ମି: ଚୌଧୁରୀ ତା’ରି ଉପରେହିଁ ସମ୍ପୂର୍ଣ୍ଣ ଆସ୍ଥା ରଖି ଚାଲିଥାନ୍ତି ସେଇ ଭୀଷଣ ବିପଦସଙ୍କୁଳ ବାଟରେ ।

 

କଣ୍ଟାଝଟାର ଉହାଡ଼ରୁ କୋଠିର କାନ୍ଥଟା ଦିଶିଗଲା । ମି: ଚୌଧୁରୀ ଆସ୍ତେ ଇସାରା ଦେଇ ଟାଇଗରକୁ ଅଟକାଇ ଦେଲେ । କାଳେ ଆଖପାଖରେ କେହି ଥିବ ଭାବି ସେଇଠି କିଛି ସମୟ ଲୁଚି ରହି କୋଠିଆଡ଼କୁ ଦୃଷ୍ଟି ପକାଇଲେ । ସମୁଦାୟ କୋଠିଟା ନୀରବ । ଖାଲି ସମୁଦ୍ରର ଗର୍ଜନ ଆଉ ଝାଉଁଗଛର ସାଇଁ ସାଇଁ ଶବ୍ଦ ଶୁଭୁଥାଏ ଯାହା । ଖୁବ୍ ଆସ୍ତେ ଆସ୍ତେ ପାଦ ଚିପି ଚିପି ଆଗେଇଲେ ମି: ଚୌଧୁରୀ ।

ଏଇଠାରୁ କୋଠିର ପଛ ପଟଟା ଶେଷ । ପଛ କାନ୍ଥଟା ଭଙ୍ଗା ଆଉ ନିବିଡ଼ ଝାଟିବଣ ପୂର୍ଣ୍ଣ । ନିହାତି ଅଜାତିଆ କଣ୍ଟାବଣ ହେଲେ ବି ବହୁତ ବଡ଼ ବଡ଼ । ଜଣାଯାଉଥାଏ, ଯେପରି ବହୁ ବର୍ଷର ପୁରୁଣା । ପଛଟା ପୁଣି ଭଙ୍ଗା ଇଟାରେ ପୂର୍ଣ୍ଣ । ତା’ରି ଉପରେ ଅରମା ବଣ ଗୋଟିଏ ଛୋଟ ପାହାଡ଼ର ଭ୍ରମ ମନରେ ଆଣି ଦେଉଛି । ମି: ଚୌଧୁରୀ ଖୁବ୍ ଆସ୍ତେ ଆସ୍ତେ ତା’ରି ଉପରେ ପାଦ ରଖି ଉପରକୁ ଉଠୁଥିଲେ । ପାଖେ ପାଖେ ଟାଇଗର । ସାମାନ୍ୟ ଶବ୍ଦରେ ବି ଚମକିପଡ଼ି ଚାରିଆଡ଼କୁ ଥରେ ତୀକ୍ଷ୍ଣ ଦୃଷ୍ଟିଦେଇ ଲକ୍ଷ୍ୟ କରି ନେଉଥାଏ ।

ଏଥର ମି: ଚୌଧୁରୀ ଇଟା ଗଦାର ଉପରେ ପହଞ୍ଚିଗଲେ । ଗଦାର ଗଡ଼ାଣିଟି ଘର ଭିତରଆଡ଼କୁ । ସେହିପରି ବଣୁଆ, ତା’ରି ଫାଙ୍କ ଦେଇ ସେ ଦେଖି ପାରିଲେ ଭିତରର କେତେକ ଅଂଶ । ମନଟା ତାଙ୍କର ଆନନ୍ଦରେ କୁରୁଳି ଉଠିଲା । ବେଶ୍ ! ଏଇ ବାଟଟି ଯାତ୍ରାର ଫଳପ୍ରଦ । ପୁଣି ଖୁବ୍ ଧୀରେ ଧୀରେ ଓହ୍ଲାଇ ଆସିଲେ ସେ ।

ତଳେ ଗୋଟିଏ ବୁଦା ଉହାଡ଼ରେ ଠିଆ ହୋଇ ମି: ଚୌଧୁରୀ ସ୍ୱସ୍ତିର ନିଶ୍ୱାସ ଟିକେ ମାରୁଥିଲେ । ଏତିକିବେଳେ କିଏ ହଠାତ୍ ଆର୍ତ୍ତ ଚିତ୍କାର କରି ଉଠିଲା କୋଠି ଭିତରୁ । ମି: ଚୌଧୁରୀ ଚମକି ପଡ଼ିଲେ । ତା’ର ଠିକ୍ ପରେ ପରେ ଗୋଟାଏ ଭୀଷଣ ପୈଶାଚିକ ହସ । ମି: ଚୌଧୁରୀ ଭାବୁଥିଲେ–‘‘ଏ କ’ଣ ସତେ ଭୂତ ଆଡ଼୍ଡ଼ା ନା କ’ଣ ?’’ କିନ୍ତୁ ପର ମୁହୂର୍ତ୍ତରେ ସେ ମନକୁ ଦମ୍ଭ କରି ନେଲେ । ପାଖରେ ଅଛି ରିଭଲଭର, ଆଉ ଟାଇଗର; ଭୟ କ’ଣ ? ଶବ୍ଦକୁ ଲକ୍ଷ୍ୟ କରି କାନ୍ଥ କଡ଼େ କଡ଼େ ଆଗଆଡ଼କୁ ଚାଲିଲେ । କାନ୍ଥ ଉପରକୁ ଜଙ୍ଗଲଟା ଏପରି ମାଡ଼ି ଯାଇଥିଲା ଯେ, ଖୁବ୍ ପାଖରୁ ମଧ୍ୟ କେହି ଲକ୍ଷ୍ୟ କରିଥିଲେ ତାଙ୍କୁ ଦେଖିପାରି ନ ଥାନ୍ତା ।

ମି: ଚୌଧୁରୀ ଆନୁମାନ କଲେ–କେହି ଜଣେ କାହାକୁ ଖୁବ୍ ଚଢ଼ା ଗଳାରେ କଅଣ କହୁଚି ବୋଧହୁଏ । ଶବ୍ଦଟା କ୍ରମେ ପରିଷ୍କାର ହୋଇ ଆସୁଛି । ମି: ଚୌଧୁରୀ ଆଉ ଟିକିଏ ଆଗକୁ ଯାଇ କାନ୍ଥ କଡ଼ରେ କାନ ଡେରିଲେ । ଭିତରୁ ଶୁଣାଯାଉଛି–‘‘ଏବେ ମୋର ସିଦ୍ଧାନ୍ତକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ହୁଅ ଛୋଟରାୟ ! ମୋ ସାଙ୍ଗରେ ଧପ୍ପାବାଜି କରି କେହି ତିଷ୍ଠି ପାରିନାହିଁ । କହ, ଗୁପ୍ତ ଗନ୍ତାଘରର ନକ୍ସା କେଉଁଠି ?’’

‘‘ଓଃ; ମୋତେ ଆଉ ଜଳାନା ଶୟତାନ, ବରଂ ମାରି ଦେ ! କିନ୍ତୁ ମୋର ପ୍ରାଣର ସୁବ୍ରତକୁ ଛାଡ଼ି ଦେ । ମୁଁ ଥରେ କହୁଛି, ସେ ଖଣ୍ଡି ଶଙ୍କରପ୍ରସାଦ ପାଖରେ ।’’ ଖୁବ୍ କ୍ଷୀଣ ଆଉ ଯନ୍ତ୍ରଣାସୂଚକ ସେ ସ୍ୱର । ମି: ଚୌଧୁରୀ ଅନୁମାନ କଲେ ଏ ସ୍ୱର ବୋଧହୁଏ ସୁକାନ୍ତବାବୁଙ୍କର ।

‘‘ଶଙ୍କରପ୍ରସାଦବି ତା’ ଧପ୍ପାବାଜିର ପୁରସ୍କାର ପାଇ ସାରିଲାଣି । ପାଳି ! ଏବେ ତୋ ପାଳି । ତୋ ଆଗରୁ ପ୍ରଥମେ ସୁବ୍ରତର ।’’ କଠୋର କଣ୍ଠ ଶୁଣାଯାଉଥିଲା, ବୋଧହୁଏ ଦସ୍ୟୁର ।

‘‘ନା, ନା ତା’ର କିଛି କରନା....’’ ଖୁବ୍ ମିନତିଭରା ପ୍ରାର୍ଥନା; ଶେଷ ନ ହେଉଣୁ ଚାଲିଲା ଚାବୁକ୍ । ପୁଣି ଥରେ ସେଇ ଆର୍ତ୍ତ ଚିତ୍କାର । ଚିତ୍କାର କ୍ରମେ କ୍ଷୀଣରୁ କ୍ଷୀଣତର ହୋଇ ଆସିଲା । ତା’ ସଙ୍ଗେ ସଙ୍ଗେ ଗୋଟାଏ ପୈଶାଚିକ ହସ ସମୁଦାୟ କୋଠିକୁ ଥରାଇ ଦେଲା ଯେପରି ।

ମି: ଚୌଧୁରୀଙ୍କ ଧୈର୍ଯ୍ୟ କ୍ରମେ ଲୋପ ହୋଇ ଆସୁଥିଲା । ହୁଏତ ଆଉ ଟିକିଏ ଧୈର୍ଯ୍ୟ ହରାଇଥିଲେ ସେ କ’ଣ ବୋଲି କ’ଣ କରିଥାନ୍ତେ । କିନ୍ତୁ ଗୋଟିଏ ବିଲୁଆ ପାଖ ଦେଇ ଧାଇଁଗଲା । ସେଥିରେ ଚମକ ଭାଙ୍ଗିଗଲା ତାଙ୍କର । ଟାଇଗରଟା ଟାଣି ହୋଇ ଯାଉଥିଲା ତା’ରି ପଛେ ପଛେ । ତାକୁ ରୋକି ନେଲେ ମି: ଚୌଧୁରୀ । ବିଲୁଆଟା ଦେଖି ମନେ ମନେ ଭାବୁଥିଲେ–‘‘ବାଃ; ମନ୍ଦ ନୁହେଁ । ଦିନ ଦୁଇ ପହରରେ ବି ବିଲୁଆର ନିର୍ଭୟ ଭ୍ରମଣ । ହଁ; ନ ହେବ ବା କାହିଁକି ? ପ୍ରେତ, ପିଶାଚର ଲୀଳାଭୂମିରେ ସେମାନଙ୍କର ଭୟ କ’ଣ ?’’ ଅଧିକ ସର୍ତକତା ସହିତ ଫେରିଲେ ସେ ।

 

ଠିକ୍ ସଂଧ୍ୟା ହେଲା ବେଳକୁ ଶରତ୍ ଆସି ପହଞ୍ଚିଗଲା । ମୁହଁଟି ତାର ପ୍ରଫୁଲ୍ଲ । ମି: ଚୌଧୁରୀ ପଚାରିଲେ–‘‘କ’ଣ ଆଉ ସବୁ ଖବର ?’’

 

‘‘ଖବର ସବୁ ଠିକ୍ ସାର୍ ! ରାଧାଶ୍ୟାମ ଆଉ ରତ୍ନମଞ୍ଜରୀ ତ ଏଇ ବାହାରିଗଲେ ।’’

 

‘‘ଠିକ୍ ଅଛି !’’ ଗମ୍ଭୀର ଭାବରେ ଏତକ କହି ନୀରବ ହେଲେ ମି: ଚୌଧୁରୀ ।

 

ସେଦିନ ରାତି ନଅଟା ନ ବାଜୁଣୁ ପଚାଶଜଣ ସୁଶିକ୍ଷିତ ପୋଲିସ, କେତେଜଣ କୌଶଳୀ ପୋଲିସ ଅଫିସର, ମି: ରାୟ, ଶରତ୍, ଆଉ ମି: ଚୌଧୁରୀ ଖୁବ୍ ଗୋପନରେ ଯାଇ ଏକାଠି ହୋଇଥିଲେ ଭୂତକୋଠି ପଛରେ । ପ୍ରତ୍ୟେକେ ମାରଣାସ୍ତ୍ରରେ ସଜ୍ଜିତ; ବିଜୟ ଆଶାରେ ଉତ୍‍ଫୁଲ୍ଲ ।

 

ଖୁବ୍ ସତର୍କରେ ସବୁ ଆଡ଼କୁ ନଜର ଦେଇ ପ୍ରଥମେ ଭିତର ଆଡ଼କୁ ଓହ୍ଲାଇଲେ ମି: ଚୌଧୁରୀ । ତାଙ୍କ ପଛେ ପଛେ ଅନ୍ୟମାନେ ! କଣ୍ଟାଝଟା ଲାଗି ଦେହର କେତେ ଜାଗା ଚିରି ହୋଇ ଗଲାଣି । ତଥାପି କାହାର ଭ୍ରୂକ୍ଷେପ ନାହିଁ ସେଥିକୁ । ଅନ୍ଧାରରେ ବି ଆଲୁଅ ଟିକିଏ ଜାଳି ରାସ୍ତା ଦେଖିବାର ଉପାୟ ନାହିଁ । ସେହି ବିପଦସଙ୍କୁଳ ରାସ୍ତା ଦେଇ ବଣ ଜନ୍ତୁ ପରି ଓହ୍ଲାଇ ଆସୁଥିଲେ ପୋଲିସବାହିନୀ । ପ୍ରତ୍ୟେକଙ୍କର ମାରଣାସ୍ତ୍ର ଯେ କୌଣସି ମୁହୂର୍ତ୍ତରେ ଅଗ୍ନି ଉଦ୍‍ଗାର କରିବାକୁ ପ୍ରସ୍ତୁତ । ଅପେକ୍ଷା କେବଳ ସଙ୍କେତର ।

 

କୋଠିର ଏ ପଟଟା ସମ୍ପୂର୍ଣ୍ଣ ଅନ୍ଧକାର । ଗୁଡ଼ାଏ କୋଠରୀ ଖାଲି ପଡ଼ିଛି । ପ୍ରତି କୋଠରୀ ଦ୍ୱାରରେ ଠିଆ ହୋଇ କାନ ପାତୁଥିଲେ ମି: ଚୌଧୁରୀ; କାଳେ ମନୁଷ୍ୟର କିଛି ସୋର୍ ଶବ୍ଦ ମିଳିପାରେ । କିନ୍ତୁ କାହିଁ ? ମନୁଷ୍ୟ ଶବ୍ଦର ତ ଆଭାସ ସୁଦ୍ଧା ନାହିଁ । ଆଶଙ୍କାରେ ଭରି ଉଠିଲା ତାଙ୍କର ମନ । ଆଉ କ’ଣ ସେ ପ୍ରତାରିତ ହୋଇଛନ୍ତି, ବା ଦସ୍ୟୁଦଳ ସାବଧାନ ହୋଇ ଅନ୍ୟତ୍ର ଚାଲିଯାଇଛନ୍ତି !

 

ହଠାତ୍ ଖୁବ୍ ପାଖରେ ପାଦ ଶବ୍ଦ ଶୁଣାଗଲା । କେହି ଜଣେ ଅନ୍ଧାରରେ ଦ୍ରୂତ ଗତିରେ ଚାଲି ଆସୁଛି । ମି: ଚୌଧୁରୀ ବାଟ ପାଖରୁ ଆଡ଼େଇ ଗଲେ । ଲୋକଟା କିଏ ଚିହ୍ନା ହେଉ ନଥାଏ, ଖାଲି ଛାୟାଟା ଝାପ୍ସା ଦିଶୁଥାଏ ଯାହା । ମି: ଚୌଧୁରୀଙ୍କ ମନରେ ଆଶାର ଉଦୟ ହେଲା । ମନୁଷ୍ୟ ଅଛି ତେବେ ! ଖୁବ୍ ପାଦ ଚିପି ଚିପି ଲୋକଟିର ପଛେ ପଛେ ସେ ଚାଲିଲେ ।

 

ଲମ୍ୱା ବାରଣ୍ଡାଟା ଉପର ଦେଇ କେତେଗୁଡ଼ାଏ କୋଠରୀ ପାର ହୋଇଗଲା ପରେ ଆଗ ଲୋକଟା ଗୋଟାଏ କୋଠରୀରେ ପହଞ୍ଚିଗଲା । ସଙ୍ଗେ ସଙ୍ଗେ ତା ହାତର ଟର୍ଚ୍ଚ ଜଳି ଉଠିଲା-। ଆଗରେ ସୁଡ଼ଙ୍ଗ । ଲୋକଟା ଟର୍ଚ୍ଚ ପକାଇ ନିର୍ଭୟରେ ଅଭ୍ୟସ୍ତ ବାସିନ୍ଦା ପରି ତା ଭିତରକୁ ଓହ୍ଲାଇ ଗଲା । ମି: ଚୌଧୁରୀ ଟିକିଏ ଅପେକ୍ଷା କରି ସୁଡ଼ଙ୍ଗ ଦ୍ୱାରରେ ପହଞ୍ଚିଲେ । ଭିତରକୁ କାନ ପାତିଲେ-। ସେପଟରୁ ମନୁଷ୍ୟ ଶବ୍ଦ ଖୁବ୍ ଅସ୍ପଷ୍ଟ ଭାବରେ ଆସୁଛି । ମନେ ମନେ ବଡ଼ ଖୁସି ହୋଇଗଲେ ସେ । ‘ଏଇଠି ତେବେ ସଭା ଲାଗିଛି; ଆଚ୍ଛା, ଦେଖାଯାଉ ।’

 

ସେ ଖୁବ୍ ସତର୍କତା ସହିତ ସେଇଠୁ ଫେରି ସମସ୍ତ ପୋଲିସବାହିନୀ ସହିତ ପୁଣି ସେଇଠି ପହଞ୍ଚିଲେ । ସର୍ବ ପ୍ରଥମେ ସୁଡ଼ଙ୍ଗ ଦ୍ୱାରରେ ପାଦ ଦେଇ ଓହ୍ଲାଇଲେ ମି: ଚୌଧୁରୀ । ତାଙ୍କ ପଛେ ପଛେ ଅନ୍ୟମାନେ । ଭିତରଟା ଘୋର ଅନ୍ଧକାର । ଗୋଟାଏ ନିହାତି ଅସ୍ୱସ୍ତିକର ଗନ୍ଧ ବାହାରୁଛି ଭିତରୁ । ବେଳେବେଳେ ଦୂରରୁ ଉଚ୍ଛସ୍ୱରରେ କତାବାର୍ତ୍ତା ଆଉ ହସ ଶୁଭୁଛି । ମି: ଚୌଧୁରୀଙ୍କ ମନ ନାନା ଭାବନାରେ ଭାରାକ୍ରାନ୍ତ । ସେ ସୁକାନ୍ତ ଛୋଟରାୟ ଆଉ ସୁବ୍ରତକୁ ମରଣ ମୁହଁରୁ ଫେରାଇ ପାରିବେ ତ ?

 

ଏହିପରି ଭାବୁ ଭାବୁ ସୁଡ଼ଙ୍ଗର ଶେଷ ସୀମାରେ ପହଞ୍ଚି ଯାଇଥିଲେ ସେ । ଆଗଟା ପରିଷ୍କାର ଦେଖି ପାରିଥିଲେ । ପ୍ରକାଣ୍ଡ ଖଞ୍ଜାଟାଏ, କିନ୍ତୁ ମାଟିତଳେ । ଖୁବ୍ ଶକ୍ତ ଭାବରେ ଖିଲାଣ କରାଯାଇ ଉପର ମାଟିକୁ ଟେଖି ଧରାଯାଇଛି । ମି: ଚୌଧୁରୀଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏତେ କୌଶଳରେ ତିଆରି ବିରାଟ ପ୍ରାସାଦ । ଲୋକ ଦ୍ୱାରା ପରିତ୍ୟକ୍ତ ହୋଇ ପଡ଼ିଛି କାହିଁକି, ତା’ର କାରଣ କିଛି ସ୍ଥିର କରି ପାରିଲେ ନାହିଁ ସେ ।

 

ପାଖ କୋଠରୀରୁ ସ୍ତ୍ରୀ ଲୋକର ଚିତ୍କାର ଶୁଣାଗଲା । ଚମକି ପଡ଼ିଲେ ମି: ଚୌଧୁରୀ । ‘‘ଏ କ’ଣ ? ତେବେ କ’ଣ ରତ୍ନମଞ୍ଜରୀ......’’ ଆଉ କିଛି ଚିନ୍ତା କରିବାର ସମୟ ନଥିଲା ମି: ଚୌଧୁରୀଙ୍କର । ଯଥା ସମ୍ଭବ ସତର୍କ ରହି ଯେଉଁ ଆଡ଼ୁ ଶବ୍ଦ ଶୁଣା ଯାଉଥିଲା ସେଇ ଆଡ଼କୁ ଧାଇଁଗଲେ ।

 

ଆଗରେ ବଡ଼ କୋଠରୀଟାଏ; ଭିତରଟା ମଳିନ ଆଲୋକରେ ଆଲୋକିତ । ମି: ଚୌଧୁରୀ ଝରକା ଫାଙ୍କ ଦେଇ ଦେଖିଲେ, ଭିତରେ ଗୋଟାଏ ଟେବୁଲକୁ ଘେରି କେତେଜଣ ବସିଛନ୍ତି । ଗୋଟାଏ କୋଣକୁ ରତ୍ନମଞ୍ଜରୀ ଠିଆହୋଇ ବରଡ଼ାପତ୍ର ପରି ଥରୁଛି । ତାଙ୍କରି ଆଗରେ ଜଣେ କଳାପୋଷାକଧାରୀ ଖଣ୍ଡିଏ କାଗଜ ଧରି ଠିଆ ହୋଇଛି । ପାଖରେ ଠିଆ ହୋଇଛନ୍ତି ରାଧାଶ୍ୟାମବାବୁ; ମନଟା ତାଙ୍କର ବେଶ୍ ଖୁସି ।

 

‘‘ତତେ ଏ ଉଇଲରେ ଦସ୍ତଖତ କରିବାକୁ ହେବ ରତ୍ନମଞ୍ଜରୀ !’’ କହୁଥିଲା କଳା ପୋଷାକଧାରୀ ଜଣକ ।

 

‘‘କି ଉଇଲ ସେ, ମୁଁ ଜାଣେନା ସେସବୁ କିଛି । ମୁଁ ଯଦି ଆଗରୁ ଏତେକଥା ଜାଣିଥାନ୍ତି...’’ କହୁ କହୁ କାନ୍ଦିଲେ ରତ୍ନମଞ୍ଜରୀ ।

 

ହେଁ ହେଁ ହୋଇ ହସି ଉଠିଲେ ସମସ୍ତେ । ‘‘ତେବେ ଗନ୍ତାଘର’’ ସନ୍ଧାନ ଦେବାକୁ ଯାଇ ଧପ୍ପାବାଜି ଖେଳି ନଥାନ୍ତି, କି ଆପଣା ମଥାରୁ ସିନ୍ଦୂର ପୋଛି ନଥାନ୍ତି ।’’ ଥଟ୍ଟାଳିଆ ସ୍ୱରରେ ମୁଖ ବିକୃତ କରି କହିଲା... କଳାପୋଷାକଧାରୀ ଜଣକ । ପୁଣି ଥରେ ହସି ଉଠିଲେ ସମସ୍ତେ ହେଁ ହେଁ ହୋଇ ।

 

କଠୋର କଣ୍ଠରେ କହିଗଲା କଳାପୋଷାକଧାରୀ ଜଣକ, ରତ୍ନମଞ୍ଜରୀଙ୍କୁ ଲକ୍ଷକରି–‘‘ଦେଖ୍‍, ଜୀବନର ଅବଶିଷ୍ଟ ସମୟତକ ଯଦି ସୁଖରେ କଟାଇବାକୁ ଚାହୁଁ, ତେବେ ଏ ଉଇଲରେ ଦସ୍ତଖତ କର । ମୁଁ ଭରସା ଦେଉଛି; ରାଧାଶ୍ୟାମ ଜମିଦାରୀର ମାଲିକ ହେଲେ ତତେ ସୁଖରେ ରଖିବ । ନଚେତ୍ ତୋର ପରିଣାମ କ’ଣ ହେବ, ଏଣେ ଦେଖ...’’–କହୁକହୁ କାନ୍ତରେ ଲୁହାକଡ଼ାଟାକୁ ଝିଙ୍କି ଦେଲା ସେ । କଟ କଟ ଶବ୍ଦ କରି ପଥର ଖଣ୍ଡେ ଖସି ଆସିଲା ତଳକୁ । ତାର ଆରପଟେ ମଣିଷଖିଆ ଇଗଲ । ଆଖି ଦୁଇଟା ଦପ୍ ଦପ୍ କରୁଛି । ଆଗେଇ ଆସୁଥିଲା ଖପ୍ ଖପ୍ ହୋଇ । ରତ୍ନମଞ୍ଜରୀ ଚିତ୍କାର କରି ଦୁଇ ହାତରେ ଆଖି ଢାଙ୍କି ପକାଇଲେ ।

 

‘‘ଆଉ ଦୁଇ ମିନିଟ୍ ସମୟ ଦେଲି । କ’ଣ କରିବାକୁ ଚାହୁଁ ଠିକ୍ କରିଦେ’’–କହି ବସିପଡ଼ିଲା ଦସ୍ୟୁ । ସାଙ୍ଗେ ସାଙ୍ଗେ କେତେ ଗ୍ଲାସ ମଦର ସଦ୍‍ବ୍ୟବହାର ମଧ୍ୟ କରି ପକାଇଲା । ଏ ପୈଶାଚିକ କାଣ୍ଡ ଦେଖି ମି: ଚୌଧୁରୀଙ୍କ ହାତ ଆଙ୍ଗୁଳି ପିସ୍ତଲ ଘୋଡ଼ିଆ ଉପରେ ଠକ୍ ଠକ୍ ହେଉଥିଲା ।

 

‘‘ଆଉ ମିନିଟିଏ’’–ଘଡ଼ଘଡ଼ି ପରି ଚିତ୍କାର କରି କହୁଥିଲା ଦସ୍ୟୁ ।

 

ରତ୍ନମଞ୍ଜରୀଙ୍କ କାନରେ ବଜ୍ରପରି ବାଜୁଥିଲା କଥାଗୁଡ଼ା । ତାଙ୍କ କାନରେ ଶୁଭୁଥିଲା ସୁକାନ୍ତବାବୁଙ୍କର ସେ ଦିନର କଥା–’‘ସେ ଧନ ସତ୍ ଧନ । ଉପଯୁକ୍ତ ଅଧିକାରୀ ହିଁ ତା’ର ପ୍ରଭୁ’’ । ଓଃ ! କି ଭୁଲ କରିଛନ୍ତି ସେ ରାଧାଶ୍ୟାମ ପରାମର୍ଶରେ । ନିଜର ଇହକାଳ, ପରକାଳ ନଷ୍ଟ କରି ଗୋଟିଏ ବୁନିଆଦ ଜମିଦାର ବଂଶକୁ ନିଆଁରେ ପକାଇଛନ୍ତି ସେ ! ତାଙ୍କର ମୃତ୍ୟୁ ହେଉ; ଖୁବ୍ ଶୀଘ୍ର-!!

 

‘‘ଦିଲାବର !’’ ଚିତ୍କାରଟାଏ କରି ଡାକିଲା ଦସ୍ୟୁ । ସାଙ୍ଗେ ସାଙ୍ଗେ ଗୋଟାଏ ରାକ୍ଷସାକୃତି ମନୁଷ୍ୟ ସେଠି ପହଞ୍ଚିଗଲା । ଅପେକ୍ଷା କେବଳ ଆଦେଶର ।

 

‘‘ସେଗୁଡ଼ାଙ୍କୁ ହାଜର କର ।’’ ହୁକୁମ ପାଇବା ମାତ୍ରେ ଦସ୍ୟୁଟା ଚାଲିଗଲା । କେଇମୁହୂର୍ତ୍ତ ମଧ୍ୟରେ ସୁକାନ୍ତବାବୁ ଆଉ ସୁବ୍ରତ, ଦୁଇଜଣଙ୍କୁ ଦୁଇହାତରେ ଏକପ୍ରକାର ଟାଣି ଟାଣି ଆଣି ସେଇଠି ପହଞ୍ଚାଇ ଦେଲା । ସୁକାନ୍ତବାବୁଙ୍କର ସେସମୟର ଅବସ୍ଥା ଦେଖିଲେ ପଥର ମଧ୍ୟ ତରଳି ଯିବ । ସୁବ୍ରତ ଅବସ୍ଥା ତହୁଁ ବଳି । ରତ୍ନମଞ୍ଜରୀ ସୁକାନ୍ତବାବୁଙ୍କୁ ଦେଖି ପୁଣିଥରେ ଚିତ୍କାର କରି ଉଠିଲେ । ସୁକାନ୍ତବାବୁ; ଦେହରେ ପ୍ରାଣ ନଥିଲା ତାଙ୍କର । ରତ୍ନମଞ୍ଜରୀଙ୍କୁ ଦେଖି ରାଗରେ ଥରି ଉଠିଲେ । ତୁଣ୍ଡରେ ତାଙ୍କର ଆଜି ସଂଯମ ନାହିଁ; ସେ ପାଗଳ ।

 

‘‘ପାପିଷ୍ଠା ! ତୋର ଇଚ୍ଛା ପୂର୍ଣ୍ଣ ହେଉ; ତଥାପି ଛୋଟରାୟ ବଂଶର ଗୁପ୍ତ ଗନ୍ତାଘର ସତ୍ ଧନ; ଉପଯୁକ୍ତ ଉତ୍ତରାଧିକାରୀହିଁ ତା’ର ପ୍ରଭୁ ।’’ ଗର୍ଜିଉଠି କହିଲେ ଛୋଟରାୟ ।

 

ପାଗଳ ପରି ଅଟ୍ଟହାସ୍ୟ କରିଉଠିଲା ଦସ୍ୟୁ । ପର ମୁହୂର୍ତ୍ତରେ ଗର୍ଜନ କରି କହିଲା–‘‘ଦିଲାବର୍ ! ଆଉ ଡେରି କାହିଁକି ? ଏବେ ଇଗଲର କ୍ଷୁଧା ଶାନ୍ତ କର ଏ ତିନିଟାଙ୍କୁ ଦେଇ-।’’

 

ହୁକୁମ ପାଇ ଯମଦୂତ ପରି ଆଗେଇ ଆସୁଥିଲା ଦିଲାବର୍ । ଏତିକିବେଳେ ରାଧାଶ୍ୟାମବାବୁ ଚିତ୍କାର କରି ଉଠିଲେ–‘‘ସାବଧାନ ଗୁଲାବ ସିଂ ! ଏମାନଙ୍କୁ ଖତମ କଲେ ଲାଭ ତୋ’ର, କିନ୍ତୁ କ୍ଷତି ମୋର । ମୋର ଭାଗ ଆଗ ଦେଇଦେ ତା’ପରେ ଯାହା କରିବୁ ।’’

 

‘‘ଭାଗ ! ତୋର ପୁଣି ଗୋଟାଏ କି ଭାଗ ?’’ ମୁଖ ବିକୃତ କରି ପଚାରିଲା ଗୁଲାବ ସିଂ-

 

‘‘ମନେପକା; ସୁକାନ୍ତ ଛୋଟରାୟର ରେଳରୁ ଲୁଟି ଲକ୍ଷେ ଟଙ୍କା, ଟ୍ରେଜେରୀରୁ ଦୁଇ ଲକ୍ଷରୁ ଅଧିକ, ଶଙ୍କରପ୍ରସାଦ ଘରୁ ଯେତେ । ସେଥିରେ ମୋର ପୁଣି ଗୋଟାଏ ନ୍ୟାଯ୍ୟ ଅଧିକାର ତ ଅଛି ?’’ ଚିତ୍କାର କରି କହୁଥିଲେ ରାଧାଶ୍ୟାମବାବୁ ।

 

ଗୁଲାବ ସିଂ ରାଧାଶ୍ୟାମବାବୁଙ୍କ କଥା ଶୁଣି କିଛି କଥା ମନେ ପକାଇଲା ପରି ହୋଇ କହିଲା–‘‘ଠିକ୍ ! ଠିକ୍ କଥା ମନେ ପକାଇଛୁ ଦୋସ୍ତ୍ ! ତୋର ନ୍ୟାଯ୍ୟ ପାଉଣା ଅଛି ଅଲବତ୍ । ଗୁଲାବ ସିଂ କାହାରିକୁ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ କରେନାହିଁ, ଆଉ ତୋତେ ବି ବଞ୍ଚିତ କରିବନାହିଁ । ଆଜି ତୋର ପାଉଣା ତୁ ପାଇବୁ ।’’ କହୁ କହୁ ଚଟ୍ କରି ପକେଟରୁ ପିସ୍ତଲ କାଢ଼ି ରାଧାଶ୍ୟାବାବୁଙ୍କ ଆଡ଼କୁ ଆଗେଇଗଲା ।

 

ଏତେ ସୁକାନ୍ତବାବୁ, ସୁବ୍ରତ ଆଉ ରତ୍ନମଞ୍ଜରୀଙ୍କୁ ନେଇ ଦିଲାବର ଇଗଲ ଆଗରେ ପକାଇବାବୁ ପ୍ରସ୍ତୁତ ହେଉଥିଲା । ନରମାଂସ ଭୋଜୀ ଇଗଲଟା ଆନନ୍ଦରେ ଚିତ୍କାର କରି ପିଞ୍ଜରାକୁ ଝୁଙ୍କାଇ ଦେଉଥାଏ । ଆଉ ମୁହୂର୍ତ୍ତେ । ......‘ଗୁଡ଼ୁମ୍ ।’

 

‘କେଁ’ ବୋଲି ଶବ୍ଦ କରି ଇଗଲଟା ଲୋଟିଗଲା ପିଞ୍ଜରା ଭିତରେ । ଚମକିପଡ଼ି ଦ୍ୱାରଆଡ଼କୁ ଚାହିଁ ଦେଲା ଗୁଲାବ ସିଂ । ପୁଣି ଥରେ ପିସ୍ତଲ ଶବ୍ଦ । ତା’ ସଙ୍ଗେ ସଙ୍ଗେ ଗୁଲାବ ସିଂ ହାତରୁ ପିସ୍ତଲଟା ଛିଟିକିଯାଇ ପଡ଼ିଲା ତଳେ । ଯନ୍ତ୍ରଣାରେ ଆର୍ତ୍ତନାଦ କରି ଉଠିଲା ସେ ।

 

ପିସ୍ତଲ ଆବାଜ ଶୁଣି ପୋଲିସବାହିନୀ ଧାଇଁ ଆସୁଥିଲେ ସେଠାକୁ । ମି: ଚୌଧୁରୀ ଉଦ୍ୟତ ରିଭଲଭର ହାତରେ ପଶିବାକୁ ଯାଇଥିଲେ କୋଠରୀ ଭିତରକୁ । ହଠାତ୍ ଖଟ୍ କରି ଶବ୍ଦରେ ଚମକି ପଡ଼ିଲେ ସେ । କ’ଣ ହେଲା ! ଗୁଲାବ ସିଂ କାହିଁ ? ତା’ର ଠିଆ ହେବା ଜାଗାରେ ଗୋଟାଏ ସୁଡ଼ଙ୍ଗ ! ପଥରଟାଏ ଥୀରେ ଧୀରେ ଖସି ଆସି ଦ୍ୱାରଟା ବନ୍ଦ ହୋଇଗଲା । ହତାଶ ହୋଇ ପଡ଼ିଲେ ମି: ଚୌଧୁରୀ । ଏଣେ ଶରତ୍ ଆଉ ପୋଲିସବାହିନୀ ହାତକଡ଼ି ପକାଇବାରେ ଲାଗିଥିଲେ ଦସ୍ୟୁଗୁଡ଼ାକଙ୍କ ହାତରେ । ମି: ଚୌଧୁରୀ ଅନୁମାନ କଲେ–ଗୁଲାବ ସିଂର ସନ୍ଧାନ ନେବା ବୃଥା । ଅତି ଅଳ୍ପସମୟ ମଧ୍ୟରେ ସେ ଖୁବ୍ ନିରାପଦ ସ୍ଥାନରେ ଆତ୍ମଗୋପନ କରି ସାରିଥିବ ।

Image